ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିର ଟଙ୍କା ପରେ ଏବେ ୟେସ୍‌ ବ୍ୟାଙ୍କରେ ପୁରୀ ଅର୍ବାନ ବ୍ୟାଙ୍କର ଟଙ୍କା ରହିଥିବା ଜଣାପଡ଼ିଛି। ୟେସ ବ୍ୟାଙ୍କରେ ଅର୍ବାନ ବ୍ୟାଙ୍କର ପ୍ରାୟ ୧୧କୋଟି ଟଙ୍କା ଜମାଥିବା ନେଇ ସୂଚନା ମିଳିଛି। ଏଥିପାଇଁ ଅର୍ବାନ ବ୍ୟାଙ୍କର ଜମାକାରୀଙ୍କ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଅର୍ବାନ ବ୍ୟାଙ୍କରୁ ଟଙ୍କା ଉଠାଣକୁ ନେଇ କଟକଣା ମଧ୍ୟ ଜାରି କରାଯାଇଛି।

ରାଜ୍ୟର ୧୧ଟି ସମବାୟ ବ୍ୟାଙ୍କ ୟେସ ବ୍ୟାଙ୍କର ଅନୁବନ୍ଧିତା ରହିଛି। ୟେସ୍ ବ୍ୟାଙ୍କ ଦେବାଳିଆ ଘୋଷଣା ହେବା ପରେ ବ୍ୟାଙ୍କରୁ ଟଙ୍କା ଉଠାଣ ନେଇ କଟକଣା ଜାରି ହୋଇଛି। ମାସରେ ୫୦ହଜାର ଟଙ୍କାରୁ ଅଧିକ ଉଠାଇ ପାରିବେ ନାହିଁ ଗ୍ରାହକ। ଫଳରେ ପୁରୀ ଅର୍ବାନ ବ୍ୟାଙ୍କ ଖାତାଧାରୀଙ୍କୁ ମଧ୍ୟ ଟଙ୍କା ଉଠାଣକୁ ନେଇ ହିନସ୍ତା ହେବାକୁ ପଡ଼ିବ। ପୁରୀ ଅର୍ବାନ ବ୍ୟାଙ୍କର ୟେସ୍ ବ୍ୟାଙ୍କ ସହ ଅନୁବନ୍ଧିତା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗ୍ରାହକମାନେ ନେଟ ବ୍ୟାଙ୍କିଙ୍ଗ୍‌ ଓ ୟୁପିଆଇ ପେମେଣ୍ଟ କରିପାରୁନାହାଁନ୍ତି। ଫଳରେ ସେମାନଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି।

ୟେସ ବ୍ୟାଙ୍କକୁ ନେଇ ଏତିକିରେ ଚିନ୍ତା ସରିଯାଉନି। ରାଜ୍ୟର ୧୧ଟି ସମବାୟ ବ୍ୟାଙ୍କ ସହ ୟେସ୍‌ ବ୍ୟାଙ୍କର ଅନୁବନ୍ଧିତା ରହିଛି। ୟେସ୍‌ ବ୍ୟାଙ୍କର ଦେବାଳିଆ ପରିସ୍ଥିତି ଯୋଗୁଁ ଏହି ୧୧ ସମବାୟ ବ୍ୟାଙ୍କକୁ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ।

ସେପଟେ ଗ୍ରାହକଙ୍କ ଟଙ୍କା ସୁରକ୍ଷିତ ଅଛି ବୋଲି କହିଛନ୍ତି ପୁରୀ ଅର୍ବାନ ବ୍ୟାଙ୍କ ସଭାପତି ଗୁଣଧର ଦାସମହାପାତ୍ର। ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ସ୍ୱୀକୃତି କ୍ରମେ ୨୦୧୨ ମସିହାରୁ ପୁରୀ ଅର୍ବାନ ବ୍ୟାଙ୍କ ୟେସ ବ୍ୟାଙ୍କ ସହ କାରବାର କରି ଆସୁଛି। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ନିୟମ ଅନୁଯାୟୀ ରାଜ୍ୟର ୧୧ଟି କୋ-ଅପେରିଟିଭ ବ୍ୟାଙ୍କ ୟେସ୍‌ ବ୍ୟାଙ୍କ ସହ କାର୍ଯ୍ୟ କରୁଥିଲେ।

ଗୋଟିଏ ବ୍ୟାଙ୍କର ଟଙ୍କା ଆଉ ଗୋଟିଏ ବ୍ୟାଙ୍କରେ କାହିଁକି ରହିଲା ସେନେଇ ସାଧରଣରେ ପ୍ରଶ୍ନ ଉଠିଛି। ତୁରନ୍ତ ଇ-ବ୍ୟାଙ୍ଗଙ୍ଗ୍‌ ପାଇଁ ସରକାର ଅନ୍ୟ ବ୍ୟାଙ୍କ ସହ ଅନୁବନ୍ଧିତା କରାନ୍ତୁ ବୋଲି ଦାବି କରିଛନ୍ତି ପୁରୀ ଅର୍ବାନ ବ୍ୟାଙ୍କ ଗ୍ରାହକ।

Comment