ବିପିନ ବିହାରୀ ମହାନ୍ତି
ଦୋଳୋତ୍ସବ ବା ବସନ୍ତୋତ୍ସବ ଏକ ଜାତୀୟପର୍ବ ହେଲେ ହେଁ, ଓଡ଼ିଶାରେ ଏହି ଉତ୍ସବ ବା ଯାତ୍ରାକୁ ସ୍ୱତନ୍ତ୍ର ମାନ୍ୟତା ଏବଂ ଗୁରୁତ୍ୱ ଦିଆଯାଏ। ଦ୍ୱାଦଶ ଶତାବ୍ଦୀର ଓଡ଼ିଆ ଜ୍ୟୋତିର୍ବିଦ୍ ଶତାନନ୍ଦଙ୍କ ‘ଶତାନନ୍ଦ ସଂଗ୍ରହ’ ଅନୁସାରେ ହିସାବ କଲେ ଓଡ଼ିଶାରେ ଏହା ଦୀର୍ଘ ୮୦୦ ବର୍ଷ ଧରି ପାଳିତ ହୋଇଆସୁଅଛି। ଏହି ଯାତ୍ରା ଫଗୁଣ ଶୁକ୍ଳ ଦଶମୀଠାରୁ ଆରମ୍ଭ ହୋଇ ଚୈତ୍ର କୃଷ୍ଣ ପଞ୍ଚମୀ ବା ସ୍ଥାନ ବିଶେଷରେ କୃଷ୍ଣ ଦଶମୀ ପର୍ଯ୍ୟନ୍ତ ମହାସମାରୋହରେ ପାଳନ କରାଯାଏ। ଗୋଟିଏ ପଟେ ଋତୁରାଜ ବସନ୍ତଙ୍କର ଆଗମନକୁ ସ୍ୱାଗତ କରିବାରେ ଉଦ୍ଦିଷ୍ଟ ବୋଲି କୁହାଯାଉଥିବା ବେଳେ, ଅନ୍ୟ ପକ୍ଷରେ ଏହା ବସନ୍ତୋତ୍ସବର ମୁଖ୍ୟ ଆରାଧ୍ୟ ଠାକୁର ‘ଶ୍ରୀ ରାଧାକୃଷ୍ଣ’ଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଗ୍ରହଣ କରାଯାଏ। ଅନ୍ୟାନ୍ୟ ଉତ୍ସବରେ ଠାକୁରଙ୍କ ଦର୍ଶନାର୍ଥେ ଏବଂ ଭୋଗରାଗ ପାଇଁ ଭକ୍ତମାନେ ମନ୍ଦିରକୁ ଯାଉଥିବା ବେଳେ, ଏହି ଉତ୍ସବରେ ଠାକୁରମାନେ ଦୋଳ ବା ବିମାନରେ ବସି ଭକ୍ତଙ୍କ କାନ୍ଧରେ ଗ୍ରାମ ମଧ୍ୟକୁ ପ୍ରବେଶ କରି ପ୍ରତିଟି ଦ୍ୱାରେ ଉପସ୍ଥିତ ହୁଅନ୍ତି ଏବଂ ଭକ୍ତମାନେ ଠାକୁରମାନଙ୍କୁ ଅବିର, ଭୋଗ ଓ ନୈବେଦ୍ୟ ଅର୍ପଣ କରିଥାନ୍ତି। ରାଧାକୃଷ୍ଣ ଦୋଳରେ ବିଜେ କରି ଗ୍ରାମ ପରିକ୍ରମା କରନ୍ତି ବୋଲି ଏହାର ନାମ ଦୋଳଯାତ୍ରା।
ରାଧାକୃଷ୍ଣଙ୍କର ଦୋଳ ବିଜେ ନେଇ ଅଚ୍ୟୁତାନନ୍ଦ ଯାହା କହିଛନ୍ତି, ସେଥିରୁ କିଛିଟା ପଙକ୍ତି ଏଠାରେ ଉଦ୍ଧୃତ କଲୁ।
ଫଗୁଣ ମାସରେ ଦୋଳ ଗୋବିନ୍ଦ,
ଫଗୁ ଖେଳୁଛନ୍ତି ପରମାନନ୍ଦ।।
ଅବିର ସଙ୍ଗେ ଝାଲେରୀ ମିଶାଇ,
ଫଗୁ ଖେଳୁଛନ୍ତି ଯଦୁ ଗୋସାଇଁ
ମୋ କାହ୍ନୁରେ – (ବାରମାସୀ କୋଇଲି)।।
‘ରାମାୟଣ’ ଦଶରଥଙ୍କର କୈକେୟୀଙ୍କ ପ୍ରତି ଏକ ପ୍ରତିଶ୍ରୁତିବଦ୍ଧତାର ଫଳସ୍ୱରୂପ ପରି ଦୋଳୋତ୍ସବର ଫଗୁଖେଳ କୃଷ୍ଣଙ୍କର ରାଧାଙ୍କ ପ୍ରତି ଏକ ଅଙ୍ଗୀକାରବଦ୍ଧତାର ନିଦର୍ଶନ ବୋଲି କୁହାଯାଏ। ଏ ନେଇ ଅଚ୍ୟୁତାନନ୍ଦ ପୁନଶ୍ଚ କୁହନ୍ତି:
ଯେତେ ଦୂର ଆମେ ଗୋପପୁରେ ରହିଥିବା
କହୁଅଛି ବୃନ୍ଦାବନେ ଆମେ କେଳି ଆଚରିବା।।
ଏହି ଫଗୁଣରେ ଦୋଳ ଗୋବିନ୍ଦ ବୋଲାଇ
ଫଗୁ ଖେଳୁଥିବା ଆମେ ଚଉଦୋଳେ ରହି।।
-ଗୋପାଳ ଓଗାଳ
ଏହି ଉତ୍ସବରେ ଠାକୁରମାନଙ୍କ ଗ୍ରାମ ପରିକ୍ରମା ବେଳେ ଫଗୁ ଓ ଝାଲେରୀ ଇତ୍ୟାଦି ସହ ଭୋଗ ଅର୍ପଣ କରାଯାଏ। ଏହିପରି ବୁଲି ଭୋଗଖିଆକୁ ଚାଚେରୀ ଭୋଗ କୁହାଯାଏ। ଚାଚେରୀ ଭୋଗ ଖିଆବେଳେ ଗ୍ରାମଗୁଡ଼ିକ ବିଶେଷ କରି କେଉଟମାନଙ୍କର ଘୋଡ଼ା ନାଚ, ଗଉଡ଼ମାନଙ୍କର ଲଉଡ଼ି ଖେଳ, ଚଢ଼େୟା ଚଢ଼େୟାଣୀଙ୍କ ଗୀତିନାଟ୍ୟ, ଶଙ୍ଖଧ୍ୱନି, ବଂଶୀବାଦନ, ସଂକୀର୍ତ୍ତନ ଏବଂ ମଶାଲର ରୋଷଣୀ ପଟୁଆରରେ ପ୍ରକମ୍ପିତ ହୋଇ ଉଠୁଥାଏ। ଠାକୁରମାନଙ୍କର ଗ୍ରାମ ପରିକ୍ରମା ଓ ଚାଚେରୀ ଭୋଗଖିଆ ଫଗୁଣ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ସୁଦ୍ଧା ସରିଯାଇଥାଏ। ପୂର୍ଣ୍ଣମୀ ଦିନ ଆରମ୍ଭରୁ ଦୋଳ ମେଳଣ। ଏହି ମେଳଣ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଗୋଟିଏ ଗାଁର ଗାଁ ମୁଣ୍ଡ ବା କୋଉ ଆମ୍ବ ତୋଟା ଅବା ମେଳଣ ପଡ଼ିଆରେ ଅନୁଷ୍ଠିତ ହୁଏ। ଏହି ମେଳଣର ମୁଖ୍ୟ ଦେବତା ଯିଏ, ସିଏ ଅନ୍ୟଗ୍ରାମ ବା ଅନ୍ୟ ଦେବତାମାନଙ୍କୁ ନିମନ୍ତ୍ରଣ କରିଥାନ୍ତି ଏବଂ ସେମାନେ ଏଥିରେ ଯୋଗ ଦିଅନ୍ତି।
ଦୋଳ ପଡ଼ିଆରେ ଠାକୁରମାନେ ସ୍ଥାନୀୟ ବ୍ୟବସ୍ଥା ଅନୁଯାୟୀ ଦିନେ ବା ଦୁଇଦିନ ରୁହନ୍ତି। ଏହି ସମୟରେ ଠାକୁରମାନଙ୍କର ସଭା ହୁଏ ବୋଲି ବିଚାର କରାଯାଏ। ଏଠାରେ ସୂଚାଇ ଦିଆଯାଇପାରେ ଯେ, ଯଦିଓ ଦୋଳୋତ୍ସବର ମୁଖ୍ୟ ଠାକୁର ହେଉଛନ୍ତି ଶ୍ରୀ ରାଧା-କୃଷ୍ଣଙ୍କର ଯୁଗଳମୂର୍ତ୍ତି, ତଥାପି ଗ୍ରାମର ଅନ୍ୟାନ୍ୟ ଦେବତା ଯଥା ଭଗବତ ଗୋସାଇଁ, ମଦନ ମୋହନ, ଶ୍ରୀ ମହେଶ୍ୱର ଏବଂ ଅନ୍ୟାନ୍ୟ ଗ୍ରାମାଧିପତି ଠାକୁରମାନେ ଏ ମେଳଣରେ ଯୋଗ ଦେଇଥାନ୍ତି।
ମେଳଣ ବେଦୀରେ ଠାକୁରମାନଙ୍କୁ ଫଗୁ ବା ଅବିର ସହ ଭୋଗ ଅର୍ପଣ କରାଯାଏ। ଭୋଗ ଭିତରେ ଥାଏ ଲିଆ, ଉଖୁଡ଼ା, ଚୁଡ଼ା ଉଖୁଡ଼ା, ସାକର, ଫେଣି, ଚଣା, କଦଳୀ, ଚୁଡ଼ାଘଷା, କାକୁଡ଼ି, ଆମ୍ବ, ଆଖୁ ଏବଂ ଏମିତି କିଛି। ଏସବୁ ଅର୍ପଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାରେ ଭୋଗ ଆଟିକା ଓ ସରା ଇତ୍ୟାଦିର ବ୍ୟବସ୍ଥା ଥାଏ।
ମେଳଣ ବା ବିଦାୟ ଦିନ ରତ୍ନ ମଣ୍ଡପକୁ ସ୍ଥାନାଧିପତି ପତିଙ୍କ ପରେ ଗୁରୁତ୍ୱ ଓ ବିଶେଷତ୍ୱ ନେଇ ଠାକୁରମାନେ ରତ୍ନ ମଣ୍ଡପକୁ ଉଠନ୍ତି ବା ରତ୍ନମଣ୍ଡପ ପରିକ୍ରମା କରନ୍ତି। ରତ୍ନମଣ୍ଡପକୁ ମଧ୍ୟ ଭୋଗମଣ୍ଡପ କୁହାଯାଏ। ତତ୍ପରେ ଅଗରୁ ବର୍ଷଣ, ବାଜାବାଜାନ୍ତରୀ, ଶଙ୍ଖ, ତୁରୀଭେରୀ ଇତ୍ୟାଦି ନିନାଦରେ ସ୍ଥାନଟି ଚେଇଁଉଠେ। ଦିଅଁ, ଦେଉଳ, ମଣିଷ, ପବନ ଓ ଆକାଶ ପାଲଟିଯାଏ ଅଗୁରମୟ। ଏହାପରେ ଠାକୁରମାନେ ସ୍ୱ ସ୍ୱ ଗ୍ରାମ ବା ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି।
ହରିରାଜପୁର ଓ ପଞ୍ଚପିଢ଼ି ପରି କେତେକ ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ ପରେ ବି ଯାତ୍ରା ସରେ ନାହିଁ। ମାସେ ଯାଏଁ ଏଠାରେ ଥିଏଟର, ନାଚ ସୁଆଙ୍ଗ, ପାଲା, ସିନେମା, ସର୍କସ ଏବଂ ମୀନାବଜାର ଇତ୍ୟାଦି ଚାଲିଥାଏ। ଏହି ମେଳାରେ କୁଲା, ଛାଞ୍ଚୁଣୀ, ଶିଳ, ଶିଳପୁଆଠୁ ଆରମ୍ଭ କରି ଶଗଡ଼, ବଳଦ, ବାସନକୁସନ, କାଠ ସାମଗ୍ରୀ, ମିଠା ଦୋକାନ, ପରିବା ଦୋକାନ, ଡାଲି ଚାଉଳ ଦୋକାନ, ମନୋହରୀ ଦୋକାନରେ ଇତ୍ୟାଦି ହରେକ୍ ମାଲ ବଣିଜ ଚାଲିଥାଏ। ଅନ୍ୟାନ୍ୟ ଦୋକାନ ଭିତରେ ଲୁହାଦୋକାନ, କଂସା ଓ ପିତ୍ତଳ ବାସନ ଦୋକାନ, ଜୋତା ଦୋକାନ, ଆଧୁନିକ ଫାଇବର ଦୋକାନ, ଷ୍ଟିଲ୍ ବାସନ ଦୋକାନ, ପ୍ଲାଷ୍ଟିକ୍ ସରଞ୍ଜାମ ଓ ସପ ମଶିଣା ଦୋକାନ ଇତ୍ୟାଦି ମୁଖ୍ୟ ଆକର୍ଷଣ ଥାଏ। ଲୋକେ ବର୍ଷକ ପାଇଁ ଘରର ଦରକାରୀ ସାଜସଜ୍ଜା ଏତିକି ବେଳେ କ୍ରୟ କରିଥାଆନ୍ତି। ତେବେ ଅଧିକାଂଶ କାରବାର ମଧ୍ୟରେ ପ୍ରଧାନ ଥାଏ ବିବାହ ଏବଂ କୃଷି ସାମଗ୍ରୀ।
ଦୋଳପୂର୍ଣ୍ଣମୀ ଦିନ ଗୌଡ଼ୀୟ ବୈଷ୍ଣବ ଧର୍ମାବଲମ୍ବୀମାନେ ଚୈତନ୍ୟ ମହାପ୍ରଭୁଙ୍କର ଷୋଡ଼ଶ ଶତାବ୍ଦୀରେ ଏହି ଦିନରେ ଓଡ଼ିଶା ଆଗମନକୁ ଉପଜୀବ୍ୟ କରି ସେମାନେ ବି ଏହାକୁ ମହାସମାରୋହରେ ପାଳନ କରନ୍ତି। ଓଡ଼ିଶାର ଗଉଡ଼ମାନେ ନିଜକୁ ଯଦୁବଂଶୀୟ ବୋଲି ପରିଚିତ ଦେଇ ଦୋଳପୂର୍ଣ୍ଣିମାକୁ ତାଙ୍କର ଶ୍ରେଷ୍ଠ ପର୍ବ ରୂପେ ପାଳନ କରନ୍ତି ତଥା ଗୋଷ୍ଠରେ ଧେନୁପୂଜା କରନ୍ତି। ତା’ ସହିତ ନାନାରଙ୍ଗ ବେରଙ୍ଗର ଧୋତି ବା ଗାମୁଛା ପିନ୍ଧି ଏବଂ ଅଣ୍ଟାରେ ଘାଗୁଡ଼ି ବାନ୍ଧି କୃଷ୍ଣଲୀଳା ସମ୍ପର୍କିତ ଅଚ୍ୟୁତାନନ୍ଦଙ୍କ ଓଗାଳଗୀତ ଗାଆନ୍ତି ଏବଂ ଲଉଡ଼ି ଖେଳ ଖେଳନ୍ତି।
ପରମ୍ପରାକ୍ରମେ ଦୋଳପୂର୍ଣ୍ଣିମାକୁ ଆଧାର କରି କୋଠିଆ ତା’ର ଜୀବିକା ଆରମ୍ଭ କରେ। କୃଷକମାନେ ତାଙ୍କ କୃଷିକାର୍ଯ୍ୟର ଅୟମାରମ୍ଭ କରନ୍ତି। ନୂଆପାଞ୍ଜି ଭାଗବତ ଘରେ ବା ଗ୍ରାମଦେବତୀଙ୍କ ପାଖେ ପାଠ କରାଯାଏ। ଗାଁ ଅବଧାନେ ଆଗାମୀ ବର୍ଷ ପାଇଁ କୃଷି ଜଳବାୟୁ, ବର୍ଷା, ଦଶା, ମହାଦଶା, ପ୍ରାକୃତିକ ଦୁର୍ବିପାକ ଇତ୍ୟାଦି ସମ୍ପର୍କରେ ପାଞ୍ଜିରୁ ସମ୍ୟକ୍ ସୂଚନା ଦିଅନ୍ତି। ଏହିଦିନ ପୂର୍ବରୁ ଥିବା ସମସ୍ତ ହଟ୍ଟଗୋଳ, ମନମନାନ୍ତର, ବାସନ୍ଦ ବିଚାର ହୁଏ ଏବଂ ତୁଟେ, ନୋହିଲେ ଠାକୁର ବାସନ୍ଦ ଘରୁ ଭୋଗ ଖାଆନ୍ତି ନାହିଁ।
ପୂର୍ଣ୍ଣିମାବାସୀ ଅର୍ଥାତ୍ ଚୈତ୍ର ପ୍ରଥମ ଦିନ ହିଁ ହୋଲି। ହୋଲି ହେଉଛି ରଙ୍ଗ ଓ ପିଚକାରୀର ଖେଳ। ଏହା ରାଧାକୃଷ୍ଣ ଓ ଗୋପୀମାନଙ୍କ ରସରାସକୁ ଆଧାର କରି ବସନ୍ତୋତ୍ସବର ଏକ ରଙ୍ଗର ଦିନ। ତେବେ ଏହିଦିନ ହିରଣ୍ୟ ପଶିପୁ ପୁତ୍ର ପ୍ରହ୍ଲାଦକୁ ମାରିବା ପାଇଁ ଷଡ଼ଯନ୍ତ୍ର କରି ଭଉଣୀ ହୋଲିକାକୁ ପ୍ରେରଣ କରିଥିଲା। ହୋଲିକା ବର ପାଇଥିଲା ଯେ ସେ ନିଆଁରେ ପୋଡ଼ି ମରିବ ନାହିଁ ଅଥଚ ପ୍ରହ୍ଲାଦକୁ କୋଳେଇ ନିଆଁ ଗଦାରେ ବସନ୍ତେ, ସେ ନିଜେ ଜଳିଗଲା। ରଖେ ହରି ମାରେ କିଏ? ପ୍ରହ୍ଲାଦ ବଞ୍ଚିଗଲା। ଏଣୁ ହୋଲିକାର ମରଣ ଓ ପ୍ରହ୍ଲାଦର ପ୍ରାଣରକ୍ଷା ହେତୁ ଲୋକେ ସେଦିନ ଖୁସିରେ ରଙ୍ଗ ଖେଳିଥିଲେ ବୋଲି ଏହାକୁ ହୋଲି ମଧ୍ୟ କୁହାଯାଏ। ହୋଲିର ରଙ୍ଗ ପ୍ରସ୍ତୁତି ଏହାର ତିନିଦିନ ପୂର୍ବରୁ ଆରମ୍ଭ ହୋଇଥାଏ। କେବଳ ଖେଳ ହୋଲିଦିନ ହୁଏ। କେତେକଙ୍କ ଘରେ ଲୋକେ ନୂତନ ବସ୍ତ୍ର ପରିଧାନ କରନ୍ତି ଏବଂ ଘର ଘର ବୁଲି ଜାତି ଓ ବର୍ଣ୍ଣ ନିର୍ବିଶେଷରେ ସର୍ବସାଧାରଣରେ ସମ୍ପର୍କିତ ବା ଅସମ୍ପର୍କିତ ଲୋକଙ୍କ ସହ ହୋଲି ଖେଳନ୍ତି। ତେବେ ରଙ୍ଗର ମଜ୍ଜା ଉଠାନ୍ତି ସମ୍ପର୍କୀୟ ଓ ପରିଚିତ ଲୋକମାନଙ୍କ ମଧ୍ୟରେ।
ହୋଲି ପର୍ବ ହେଉଛି ସ୍ନେହ, ପ୍ରେମ ଓ ସଦ୍ଭାବନାର ପ୍ରତୀକ ଏବଂ ସର୍ବୋପରି ଏହା ଏକ ମହାନ ଜାତୀୟ ପର୍ବ। ଏହା ହିନ୍ଦୁମାନଙ୍କ ପର୍ବ ହେଲେ ହେଁ ଅଧୁନା ସବୁ ଧର୍ମ ଓ ସମ୍ପ୍ରଦାୟର ବ୍ୟକ୍ତିମାନେ ଏଥିରେ ସାମିଲ ହୋଇ ମହାନ୍ ଭାରତୀୟତା ଭାବରେ ଉଦ୍ବୁଦ୍ଧ ହେଲେଣି।
ଦୋଳ ପୂର୍ଣ୍ଣିମାର ପାଞ୍ଚ ଦିନକୁ ପଞ୍ଚୁଦୋଳ କୁହନ୍ତି। ଅନେକ ସ୍ଥାନରେ ଚୈତ୍ର କୃଷ୍ଣପକ୍ଷର ଦଶଦିନ ଯାଏଁ ଦୋଳଯାତ୍ରା ଚାଲେ ବୋଲି ସ୍ଥାନ ଭେଦରେ ଦି’ ଦୋଳ, ତିନି ଦୋଳ,… ନଅ ଦୋଳ ଓ ଦଶଦୋଳ ଆକାରରେ ପାଳନ କରାଯାଏ।
ଦୋଳ ଉତ୍ସବ ବା ହୋଲିରେ ବ୍ୟବହୃତ ରଙ୍ଗ ବିଜ୍ଞାନ ସମ୍ମତ ସ୍ୱାସ୍ଥ୍ୟ ପ୍ରଦାୟକ। ଏହା ଚର୍ମରୋଗ ନିବାରକ। ଏମିତି କି ହାଡ଼ଫୁଟି, ବସନ୍ତ, ମିଳିମିଳା ଓ କୁଣ୍ଡିଆ ଇତ୍ୟାଦିର ପ୍ରତିଷେଧକ। ସେମିତି ଦୋଳ ଭୋଗରେ ବ୍ୟବହୃତ ଚଣା କାମ ଉଦ୍ଦୀପନା ରୋଧକ। ମାତ୍ର ଆଧୁନିକ ମୁଣ୍ଡଫଟା ରଙ୍ଗ ଖେଳ ନିହାତି ଏକ ପ୍ରଦୂଷିତ ପରମ୍ପରା। ଏହାକୁ ରୋକାଯିବା ଉଚିତ।
(ସୌଜନ୍ୟ: ଉତ୍କଳ ପ୍ରସଙ୍ଗ)