ଓଡ଼ିଶାଲାଇଭ୍ବ୍ୟୁରୋ

ବରଗଡ଼ର ଧନୁଯାତ୍ରା ବିଶ୍ୱ ପ୍ରସିଦ୍ଧ ହେବା ପଛର କାରଣ ହେଉଛନ୍ତି କଳାକାର। କଳାକାରମାନେ ଧନୁଯାତ୍ରାରେ ଏମିତି ଅଭିନୟ କରନ୍ତି ଯାହା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିଯାଏ।

ବରଗଡ଼ ଧନୁଯାତ୍ରାର ନାଟ୍ୟଧାରା ହରିବଂଶ ପୁରାଣ ଓ ମଥୁରାମଙ୍ଗଳର ପୌରାଣିକ ଆଖ୍ୟାନ ଉପରେ ଆଧାରିତ। ଶ୍ରାବ୍ୟବାଦର ଚରିତ୍ରମାନଙ୍କୁ ମଞ୍ଚର ଦୃଶ୍ୟକାବ୍ୟକୁ ଆଣିବା ପାଇଁ ଆବଶ୍ୟକ ହୋଇଥାନ୍ତି ଅନେକ କଳାକାର।

ଧନୁଯାତ୍ରାର ନାଟ୍ୟଧାରାଟି ମୁଖ୍ୟତଃ ଦୁଇଟି ନାଟ୍ୟକ୍ଷେତ୍ରରେ ବିଭକ୍ତ ହୋଇଥାଏ। ଗୋଟିଏ ବରଗଡ଼ ଅନ୍ୟଟି ଅମ୍ବାପାଲ୍ଲି। ବରଗଡ଼ରେ ମଥୁରାର ପୌରାଣିକ ଘଟଣାବଳି ଅଭିନୀତ ହେଉଥିବା ବେଳେ, ସମାନ୍ତରାଳ ଭାବେ ଅମ୍ବାପାଲ୍ଲିରେ ଗୋପପୁରର ଘଟଣାବଳି ଘଟିଯାଉଥାଏ। ଉଭୟ ନାଟ୍ୟକ୍ଷେତ୍ର ପାଇଁ କଳାକାର ବାଛିବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ଚୟନ ପ୍ରକ୍ରିୟାର ଆୟୋଜନ କରାଯାଇଥାଏ।

ସହର ଗ୍ରାମୀଣ ପରିବେଶରୁ ବଛା ଯାଆନ୍ତି କଳାକାର

ଉଭୟ ସହର ଓ ଗ୍ରାମୀଣ ପରିବେଶରୁ ଭିନ୍ନ ଭିନ୍ନ ଚରିତ୍ର ପାଇଁ କଳାକାର ବଛାଯାଇଥାଏ। ଧନୁଯାତ୍ରାର ମଥୁରାନଗରୀ ପରିପ୍ରେକ୍ଷୀରେ କଂସ, ଉଗ୍ରେସନ, ଅକ୍ରୁର, ବାସୁଦେବ, ଦେବକୀ, ଅଷ୍ଟମଲ୍ଲ ରାକ୍ଷସ ରାକ୍ଷସୀ, ସୁଦାମା, କୁବୁଜା, ରଜନି, ଅକୁର, ନାରଦ, ଜରାସନ୍ଧ, ମନ୍ତ୍ରୀ, ସେନାପତି, ଦୂତ, ପ୍ରହରୀ, କରଦ ରାଜନ୍ୟବର୍ଗ, ମୁନି, ଋଷି ଏମିତି ଆହୁରି ଅନେକ ପୌରାଣିକ ଚରିତ୍ର ରହିଥାନ୍ତି।

କଂସ ଚରିତ୍ର ପାଇଁ କଳାକାରଙ୍କ ମଧ୍ୟରେ ହୁଏ ପ୍ରତିଯୋଗିତା

ଏହି ଚରିତ୍ରମାନଙ୍କ ମଧ୍ୟରୁ ‘କଂସ’ ଚରିତ୍ର ହେଉଛି ମୁଖ୍ୟ। ତା’ ପରେ ପରେ ମନ୍ତ୍ରୀ, ସେନାପତି, ଦୂତ, ପ୍ରହରୀ ଆଦି ଚରିତ୍ରମାନଙ୍କର ଦୈନନ୍ଦିନ ଉପସ୍ଥିତି, ଗୌଣ ଚରିତ୍ର ହୋଇଥିଲେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ମନେ ହୋଇଥାଏ। ମୁଖ୍ୟତଃ  ‘କଂସ’ ଚରିତ୍ର ପାଇଁ ଆୟୋଜନ କରାଯାଉଥିବା ଚୟନ ପ୍ରକ୍ରିୟାର ବେଶ୍ ଗୁରୁତ୍ୱ ରହିଥାଏ। କଂସ ଚରିତ୍ର ପାଇଁ ଶାରୀରିକ ଗଠନ, ଉଚ୍ଚତା, ଅଭିନୟ ଦକ୍ଷତା, ସଂଳାପ ଉଚ୍ଚାରଣ, ନାଟକୀୟ ଉପାଦାନ ଓ ଅନୁଭୂତି ଆଧାରରେ କଳାକାରମାନଙ୍କୁ ଚୟନ କରାଯାଇଥାଏ।

ଅନ୍ୟପକ୍ଷରେ କହିବାକୁ ଗଲେ ‘କଂସ’ ଚରିତ୍ର ପାଇବା ପାଇଁ କଳାକାରମାନଙ୍କ ଭିତରେ ପ୍ରତିଯୋଗିତା ଜୋର୍‌ଦାର ହୋଇଥାଏ। ଅଭିଜ୍ଞ ଚୟନମଣ୍ଡଳୀଙ୍କ ରାୟ ଆଧାରରେ ‘କଂସ’ ଚରିତ୍ରର କଳାକାର ବଛାହୁଅନ୍ତି। ଏହା ଗଣମାଧ୍ୟମରେ ଏକ ମୁଖ୍ୟଖବର ପାଲଟିଯାଇଥାଏ।

ଅମ୍ବାପାଲ୍ଲି ଗାଁରୁ ବଛା ହୁଅନ୍ତି ଶ୍ରୀକୃଷ୍ଣ-ବଳରାମ

ଗୋପପୁରରେ ଠିକ୍ ସେମିତି ଶ୍ରୀକୃଷ୍ଣ, ବଳରାମ, ଶ୍ରୀରାଧା, ନନ୍ଦରାଜା, ଯଶୋଦା ରାଣୀ, ଗୋପବାଳକ ଗୋପୀଗଣ, ମଧୁମଙ୍ଗଳ, ଚନ୍ଦ୍ରସେଣା ଚରିତ୍ର ପାଇଁ ପ୍ରାୟ ଅମ୍ବାପାଲି ଗାଁର କଳାକାରମାନଙ୍କ ଭିତରୁ ବଛାଯାଇଥାଏ। ଧନୁଯାତ୍ରାର ଇତିହାସକୁ ତର୍ଜମା କଲେ ଜଣାପଡ଼େ ଯେ, କୌଳିକ ପରମ୍ପରା ଭାବେ ନିର୍ଦ୍ଦିଷ୍ଟ କିଛି ଚରିତ୍ରର ଅଭିନେତାମାନେ ଗୋପପୁରର ନାଟ୍ୟଧାରାରେ ସାମିଲ ହୋଇଆସୁଛନ୍ତି। ସବୁଠାରୁ କୌତୂହଳ ମନେହୁଏ ଯେ, ଏକ ଦମ୍ପତ୍ତି ଦୀର୍ଘ ବର୍ଷ ଧରି ନନ୍ଦରାଜା ଓ ଯଶୋଦା ଚରିତ୍ରରେ ଅଭିନୟ କରିଆସୁଛନ୍ତି। ଧନୁଯାତ୍ରା ଅବସରରେ ସେମାନଙ୍କ ଘରେ ହିଁ ଅନେକ ନାଟକୀୟ ଘଟଣା ଘଟେ। ଏପରିକି ତାଙ୍କ ଘର ‘ନନ୍ଦଉଆସ’ ଭାବେ ନାମିତ ହୋଇଥାଏ। ଏହା ସତ ଯେ, ଗୋପପୁର ବା ଅମ୍ବାପାଲ୍ଲିର ନାଟ୍ୟଧାରାରେ ଅନେକ ଶିଶୁକଳାକାରଙ୍କୁ ଦେଖିବାକୁ ମିଳିଥାଏ।

ଅତୀତରେ ଯେଉଁମାନେ ବିଭିନ୍ନ ଚରିତ୍ରରେ ଅଭିନୟ କରୁଥିଲେ, ସେମାନଙ୍କ ମଧ୍ୟରୁ ଅନେକ ଦିବଂଗତ ପାଲଟି ସାରିଛନ୍ତି। ଯେଉଁମାନେ ଜୀବିତ ଅଛନ୍ତି, ସେମାନେ ଅତୀତର ସ୍ମୃତିକୁ ମୁଖ୍ୟତଃ ରୋମନ୍ଥନ କରିଥାନ୍ତି ପ୍ରତିଟି ଧନୁଯାତ୍ରାର ଅବସରରେ। ଏହି ବରିଷ୍ଠ କଳାକାରମାନେ ପୂର୍ବର ଓ ଏବର ଧୁନଯାତ୍ରାକୁ ନେଇ ଅନେକ ଟିପ୍ପଣୀ ଦେଉଥାନ୍ତି। କେତେକ ପରିବର୍ତ୍ତନ ଧାରାକୁ ସ୍ୱୀକାର କରୁଥାନ୍ତି ତ, କେତେକ ପସନ୍ଦ କରିନଥାନ୍ତି। କିନ୍ତୁ ଏହି କଳାକାରମାନଙ୍କଠାରୁ ହିଁ ମିଳିଥାଏ ଧନୁଯାତ୍ରା ସମ୍ପର୍କିତ ଅନେକ ତଥ୍ୟ, ଯାହାକି ସାମ୍ପ୍ରତିକ ଧନୁଯାତ୍ରା ଆୟୋଜନରେ ଅନେକ ବାଟ ଦେଖାଇଥାଏ।

ଆଗେଇ ଚାଲିଛି ଧନୁଯାତ୍ରା

ଧନୁଯାତ୍ରା ଆଗକୁ ଆଗକୁ ପାଦ ଥାପି ଚାଲିଛି। କେତେ ବର୍ଷଯାଏ ଏହା ଚାଲିଥିବ ତାହା ସମୟ ହିଁ କହିବ। ଏମିତି ଅନେକ କଳାକାର ମଞ୍ଚକୁ ଆସୁଥିବେ ପୁଣି ଫେରି ଯାଉଥିବେ। ଧନୁଯାତ୍ରାର ପରିପାଟୀ ବଦଳି ଯାଉଥିବ ସିନା ଲୋକଙ୍କ ଉନ୍ମାଦନା ପୂର୍ବ ପରି ସ୍ଥିର ରହିଥିବ। ଏହି ଧାରାରେ ଧନୁଯାତ୍ରାର ଇତିହାସରେ ପୃଷ୍ଠା ପରେ ପୃଷ୍ଠା ଯୋଡ଼ି ହୋଇଚାଲିଥିବ। କିନ୍ତୁ କଳାକାରମାନେ ଦିବଙ୍ଗତ ହେବା ପରେ ମଧ୍ୟ ଧନୁଯାତ୍ରାର ଦର୍ଶକମାନଙ୍କଠାରୁ ଜୀବିତ ଭାବେ ସମ୍ମାନ ପାଉଥିବେ।

ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା ୭୫ ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ଏ ବର୍ଷ ପାଳନ ହେବ ହୀରକ ଜୟନ୍ତୀ। ଏଥିପାଇଁ ଜୋରସୋର ଆୟୋଜନ ଆରମ୍ଭ ହୋଇଛି। ଆସନ୍ତା ଡିସେମ୍ବର ୨୭ ତାରିଖରୁ ୨୦୨୩ ଜାନୁଆରି ୬ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଅନୁଷ୍ଠିତ ହେବ।

Tags: #Dhanujatra #BargarhWorldFamousDhanujatra #ArtAndCulture

Comment