ଓଡ଼ିଶାଲାଇଭ୍ ବ୍ୟୁରୋ

(ବରଗଡ଼ରୁ ବୀରେନ୍ଦ୍ର କୁମାର ପ୍ରଧାନ): ଧନୁଯାତ୍ରା ପାଇଁ ଚଳଚଞ୍ଚଳ ବରଗଡ଼ ସହର। କଂସ ମହାରାଜାଙ୍କ ଶାସନ ଏବଂ ଗୋପପୁରରେ କୃଷ୍ଣ ବଳରାମଙ୍କ ଲୀଳା ଲୋକମାନଙ୍କୁ ପ୍ରଫୁଲ୍ଲିତ କରୁଛି। ପ୍ରତିଦିନ ଅନେକ ସଂଖ୍ୟାରେ ଲୋକ ଧନୁଯାତ୍ରାକୁ ଉପଭୋଗ କରିବାକୁ ଆସୁଛନ୍ତି। ଭଗବାନ ଶ୍ରୀକୃଷ୍ଣ ଏବଂ କଂସ ମହାରାଜଙ୍କ ଚିତ୍ତାକର୍ଷକ ଦୃଶ୍ୟାଭିନୟ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରୁଛି।

ବରଗଡ଼ ଧନୁଯାତ୍ରା ଶୁକ୍ରବାର ଚତୁର୍ଥ ଦିବସରେ ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ ଗୋପପୁରରେ ପୁତନା ରାକ୍ଷସୀର ଷଡଯନ୍ତ୍ରର ଦୃଶ୍ୟ ଦେଖିବାକୁ ମିଳିଛି। ଶେଷରେ ପୁତନାକୁ ଶ୍ରୀକୃଷ୍ଣ ବଧ କରିଛନ୍ତି। ଅନ୍ୟପଟେ କଂସ ମହାରାଜଙ୍କୁ ପୁତନା ମୃତ୍ୟୁର ଖବର ମର୍ମାହତ କରିଛି। କଂସ ମହାରାଜ କୃଷ୍ଣଙ୍କୁ ମାରିବା ପାଇଁ ଷଡମଲ୍ଲଙ୍କୁ ଗୋପାପୁର ପ୍ରେରଣ କରିଛନ୍ତି। ଷଡମଲ୍ଲଙ୍କ ଶ୍ରୀକୃଷ୍ଣ ବଲରାମଙ୍କ ହାତରେ ବଧର ଦୃଶ୍ୟାଭିନୟ ଦେଖିବାକୁ ମିଳିଛି। ଗୋପପୁର ଉତ୍ସବମୁଖର ହୋଇପଡିଛି। କଂସ ମହାରାଜ ପ୍ରତିଦିନ ଭଳି ନଗର ପରିକ୍ରମା କରିଛନ୍ତି।

କଂସ ମହାରାଜଙ୍କ ଆଦେଶରେ ପୁତନା ରାକ୍ଷସୀ, କୃଷ୍ଣଙ୍କୁ ମାରିବା ପାଇଁ ଗୋପପୁର ଆସିଥିଲା। ପୁତନା ରାକ୍ଷସୀ ଷଡଯନ୍ତ୍ର କରି କୃଷ୍ଣଙ୍କୁ ସ୍ତନପାନ ବହନାରେ ମାରିବାକୁ ଯାଇଥିଲା କୃଷ୍ଣଙ୍କ ହାତରେ ପୁତନା ରାକ୍ଷସୀର ବଧ ହୋଇଥିଲା। ଗୋପପୁରରେ ପୁତନା ନିହତ ଖବର ପାଇ ମଥୁରାଧିପତି କଂସ ବିଚଳିତ ହୋଇ ପଡ଼ିଥିଲେ। କୃଷ୍ଣଙ୍କୁ ମାରିବାପାଇଁ ଷଡ଼ମଲ୍ଲଙ୍କୁ ଗୋପପୁର ପ୍ରେରଣ କରିଥିଲେ। କଂସ ରାଜାଙ୍କ ଆଦେଶକୁ ଅବମାନନା ନ କରି ଷଡ଼ମଲ୍ଲ ଗୋପାଭିମୁଖୀ ହୋଇଥିଲେ।

ଗୋପପୁରେ କୃଷ୍ଣଙ୍କ ଲୀଳା

ପୁତନା ବଧରେ ଗୋପପୁର ଉତ୍ସବମୁଖର ହୋଇଥିଲା ନନ୍ଦଭବନରେ ନନ୍ଦରାଣୀ, ନନ୍ଦରାଜା ମେଲାଣୀ ଦେଇଥିଲେ। ଏହାପରେ ଶ୍ରୀକୃଷ୍ଣ ଓ ବଳରାମ ଗୋପାଳ ବାଳକଙ୍କ ଗହଣରେ ଗୋପଦାଣ୍ଡ ପରିକ୍ରମା କରିଥିଲେ। ଏହାପରେ ସେମାନେ ଗୋପ ମଣ୍ଡପକୁ ଯାଇଥିଲେ। ସେଠାରେ ଶ୍ରୀକୃଷ୍ଣ ମାଟି ଖାଉଥିବା ଦେଖି ମା’ ଯଶୋଦା ତାଙ୍କୁ ଆକଟ କରିଥିଲେ। ଏହି ସମୟରେ ସେ ଶ୍ରୀକୃଷ୍ଣଙ୍କ ପାଟିରେ ବିଶ୍ୱରୂପ ଦର୍ଶନ କରିଥିଲେ।

କଂସ ମହାରାଜଙ୍କ ନଗର ପରିକ୍ରମା

କଂସ ମହାରାଜା ନଗର ପରିକ୍ରମାରେ ବାହାରି ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମୁକ୍ତେଶ୍ୱର ମହାଦେବଙ୍କୁ ଦର୍ଶନ କରି ରୁଦ୍ରାଭିଷେକ କରିଥିଲେ। ସେଠାରୁ ସେ ରଙ୍ଗମହଲକୁ ଯାଇ ନୃତ୍ୟଗୀତ ଆସରରେ ମସଗୁଲ୍‌ ହୋଇଥିଲେ। ଏହାପରେ କଂସ ହାଟପଦାସ୍ଥିତ ରାଜଦରବାରକୁ ଆସି ମଥୁରା ନଗରୀର ଖବର ବୁଝିଥିଲେ।

ଷଡ଼ମଲ୍ଲ ବଧ

ନିଜର ମୃତ୍ୟୁ ସୁନିଶ୍ଚିତ ଜାଣି ମଧ୍ୟ କଂସ ପ୍ରେରିତ ବକା, ଶକଟା, ତୃଣା, ଧେନୁ, ଷଣ୍ଢା, ଅଘାସୁର ଆଦି ରାକ୍ଷସ ରାକ୍ଷସୀ ଗୋପପୁରରେ ପହଁଞ୍ଚିଥିଲେ। ପର୍ଯ୍ୟାୟ କ୍ରମେ ଶ୍ରୀକୃଷ୍ଣ, ବଳରାମ ସମସ୍ତ ରାକ୍ଷସ ରକ୍ଷାସୀଙ୍କୁ ହତ୍ୟାକରି ମାମୁଁଙ୍କ ଚକ୍ରାନ୍ତକୁ ଖଣ୍ଡନ କରିଥିଲେ। ଶ୍ରୀକୃଷ୍ଣ ନିଜର ବାଲ୍ୟ ସୁଲଭ ଚପଳାମିରେ ଜଗତ ଉଦ୍ଧାରର ବର୍ତ୍ତା ପ୍ରେରଣ କରିଥିଲେ। ଷଡ଼ମଲ୍ଲଙ୍କ ମୃତ୍ୟୁ ଖବର ପାଇଥିଲେ ମହାରାଜ କଂସ। ନିଜ ବିବ୍ରତ ମନ ସମ୍ପର୍କରେ ଯେଭଳି ମଥୁରାନଗରୀ ତିଳେମାତ୍ର ଆଭାସ ପାଇବେ ନାହଁ ସେଥିପାଇଁ ଅଟ୍ଟହାସ୍ୟ ଜାରି ରଖିଥିଲେ ମଥୁରା ନରେଶ।

ଧନୁଯାତ୍ରାର ଚତୁର୍ଥ ଦିନରେ ରାଜ ଦରବାର ଓ ରଙ୍ଗମହଲରେ ବାରିପଦା କପାଇ ଛଉ ପ୍ରତିଷ୍ଠାନ, ଜଗତିଂହପୁରର ଚଇତି ଘୋଡ଼ା ନାଚ, ବୌଦ୍ଧର ବଉଲି କଳା ପରିଷଦ, ବୁର୍ଲାର ଭାରତୀ କଳା ବିକାଶ କେନ୍ଦ୍ର, ହରିୟାଣା ଓ ପଞ୍ଜାବର ସାଂସ୍କୃତିକ ଦଳମନେ ନୃତ୍ୟ ପରିବେଷଣ କରିଥିଲେ।

Tags: #DhanuJatra #BargarhDhanuJatra #ShreeKrishna #KansaMaharaj #Gopapur

Comment