ଓଡ଼ିଶାଲାଇଭ୍ ବ୍ୟୁରୋ

ଧନୁଯାତ୍ରା କେବଳ ବରଗଡ଼ ସହର ଅମ୍ବାପାଲି ଗାଁରେ ସୀମିତ ହୋଇ ରହିନାହିଁବରଗଡ଼ ଜିଲ୍ଲାରେ ଏହା ଲୋକ ଉତ୍ସବରେ ପରିଣତ ହୋଇଛି

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଅନ୍ୟ ସ୍ଥାନର ଧନୁଯାତ୍ରା ପାଇଁ ଆଇକନ୍ ପାଲଟିଛି। ବରଗଡ଼ର ପଦାଙ୍କ ଅନୁସରଣ କରି କିଛି ବର୍ଷ ହେଲା ଜିଲ୍ଲାର ବିଭିନ୍ନ ସ୍ଥାନରେ ଧନୁଯାତ୍ରାର ଆୟୋଜନ କରାଯାଉଛି। ହେଲେ ବରଗଡ଼ ଧନୁଯାତ୍ରା ବାଧାପ୍ରାପ୍ତ ହୋଇନାହିଁ, ବରଂ ଦିନକୁ ଦିନ ତାହା ଆହୁରି ଲୋକପ୍ରିୟତା ହାସଲ କରୁଛି।

ବରଗଡ଼ ଜିଲ୍ଲାର ତାଲପାଲି, ଦହିତା, ମଲଦା, ଝାରବନ୍ଧ, ଥୁଆପାଲି, ଭେଡେନ୍, ଭଟଲି, ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା, ବଲାଙ୍ଗୀର ଜିଲ୍ଲାର ଭାଲେର୍, ନଅଗାଁର ବଙ୍ଗୋମୁଣ୍ଡାଠାରେ, ଖୋର୍ଦ୍ଧା ଜିଲ୍ଲାର ଜଟଣୀଠାରେ ଧନୁଯାତ୍ରା ଉତ୍ସବର ଆୟୋଜନ କରାଯାଉଛି। ଆୟୋଜକମାନେ ସବୁ ଦୃଷ୍ଟିକୋଣରୁ ଧନୁଯାତ୍ରାକୁ ସଫଳ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।

ବରଗଡ଼ ଧନୁଯାତ୍ରା ଉତ୍ସବର ପାଳନବିଧି ଏହି ସବୁ ଧନୁଯାତ୍ରାରେ ଦେଖିବାକୁ ମିଳେନାହିଁ। ନାଟକର କଥାବସ୍ତୁ ସମାନ, କିନ୍ତୁ ପରିବେଷଣ ଶୈଳୀ ବରଗଡ଼ ଧନୁଯାତ୍ରାଠାରୁ ଟିକିଏ ଭିନ୍ନ ହୋଇଥାଏ।  ଭିନ୍ନ ଭିନ୍ନ ମଞ୍ଚରେ ନାଟକୀୟତା ପ୍ରଦର୍ଶିତ ହୋଇଥାଏ। ହେଲେ ବରଗଡ଼ ଧନୁଯାତ୍ରା ସହିତ ଅନ୍ୟାନ୍ୟ ଅଞ୍ଚଳର ଧନୁଯାତ୍ରାର ଆୟୋଜନରେ ତଥା ରୂପରେଖରେ ଯେତିକି ସମାନତା ଦେଖାଯାଇଥାଏ, ସେତିକି ଭିନ୍ନତା ମଧ୍ୟ ପରିଲକ୍ଷିତ ହୋଇଥାଏ।

ଏହି ସବୁ ଧନୁଯାତ୍ରାରେ ଅନେକ କଳାକାର ‘କଂସ’ ଚରିତ୍ରରେ  ଅଭିନୟ କରିଆସୁଛନ୍ତି। ସେ ଭିତରୁ କେତେଜଣ ପୃଥିବୀ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଅଭିନୟ କରିଥିବା ବେଳେ ଅନ୍ୟ କିଛି ନୂଆ କଳାକାର। ଏଥିସହିତ ବରଗଡ଼ ଧନୁଯାତ୍ରା ମଞ୍ଚରେ କଂସଙ୍କ ମନ୍ତ୍ରୀ, ସେନାପତି ଏବଂ ଅନ୍ୟାନ୍ୟ ସହଯୋଗୀ ଚରିତ୍ରରେ ଅଭିନୟ କରିଥିବା କଳାକାରମାନେ ଅନ୍ୟାନ୍ୟ ମଞ୍ଚରେ କଂସ ଚରିତ୍ରରେ ଅଭିନୟ କରିଆସୁଛନ୍ତି। ଏପରି ଭାବେ ଓଡ଼ିଶାରେ ଶହ ଶହ ‘କଂସ’ ଚରିତ୍ରର କଳାକାର ସୃଷ୍ଟି ହୋଇସାରିଲେଣି। ସେମାନଙ୍କୁ ନେଇ ‘କଂସ ଅନୁଷ୍ଠାନ’ ମଧ୍ୟ ଖୋଲାଯାଇଛି।

ବରଗଡ଼ ଧନୁଯାତ୍ରାରେ ଯିଏ ‘କଂସ’ ଚରିତ୍ରରେ ଅଭିନୟ କରନ୍ତି, ତାଙ୍କ ପାଇଁ ସ୍ୱତନ୍ତ୍ର ନିୟମ ରହିଛି ଯେ ସେମାନେ ଅନ୍ୟ ଧନୁଯାତ୍ରାରେ ‘କଂସ’ ଚରିତ୍ରରେ ଅଭିନୟ କରିପାରିବେ ନାହିଁ। ଯଦି ସେ ନିୟମ ନ ମାନନ୍ତି ତାଙ୍କୁ ବରଗଡ଼ ଧନୁଯାତ୍ରାରୁ ଅଭିନୟ ପାଇଁ ବଞ୍ଚିତ କରାଯାଇଥାଏ। ଏହି ନିୟମ ଭୟରେ କିଛି କଳାକାର ଅନ୍ୟତ୍ର କଂସ ଅଭିନୟ କରିବା ପାଇଁ ଚାହାନ୍ତି ନାହିଁ।

ବରଗଡ଼ ଧନୁଯାତ୍ରାର ପ୍ରଭାବ କେବଳ ନାଟକୀୟ ସ୍ତରରେ ପଡ଼ିନାହିଁ। ବରଗଡ଼ ଧନୁଯାତ୍ରାର ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟ, ଓଡ଼ିଶାର ବିଭିନ୍ନ ଧନୁଯାତ୍ରାରେ ଆୟୋଜିତ ହୋଇଥାଏ। ଏଇ ମଞ୍ଚଗୁଡ଼ିକ ମଧ୍ୟ କଳାକାରମାନଙ୍କୁ ସୁଯୋଗ ଦେଇ ଆସୁଛି। ମୋଟାମୋଟି କହିବାକୁ ଗଲେ ଭିନ୍ନ ଭିନ୍ନ କ୍ଷେତ୍ରରେ କଳାକାରମାନେ ସାରା ଓଡ଼ିଶାର ଧନୁଯାତ୍ରାରେ ଜୀବିକା ପାଇଁ ପରିବେଶଟିଏ ସୃଷ୍ଟି କରିପାରିଛନ୍ତି।

ପୃଥିବୀର କୌଣସି ଏକ ନାଟକୀୟ ମଞ୍ଚରେ ପ୍ରଭାବ ଏତେ ସୁଦୂରବ୍ୟାପି ଆଗରୁ ହୋଇନାହିଁ କିମ୍ବା ଆଗକୁ ହେବା ସମ୍ଭାବନା ନ ଥିବା ପରି ମନେ ହୋଇଥାଏ।

ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରେ ଅନୁଷ୍ଠିତ ହେଉଥିବା ଧନୁଯାତ୍ରା ଉତ୍ସବ, ପୃଥିବୀ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପ୍ରତିଦ୍ୱନ୍ଦୀ ନୁହନ୍ତି। ଅନ୍ୟ ଭାଷାରେ ଏମାନେ ପ୍ରଭାବିତ ହୋଇ ଓଡ଼ିଶାର ଏକ ମହାନ୍ ନାଟ୍ୟକଳାକୁ ସଂପ୍ରସାରିତ କରିବାରେ ବିଶେଷ ଭୂମିକା ଗ୍ରହଣ କରିଛନ୍ତି।

Tags: #BargarhDhanuJatra #Ambapali #Tradition #KansaMaharaj

LEAVE A REPLY

Please enter your comment!
Please enter your name here