ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପ୍ରତିଦିନ ଲୋକଙ୍କ ମନରେ ଛାପ ଛାଡ଼ୁଛି। ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଏବଂ ତ୍ରିପୁର ବିଜୟୀ ମହାରାଜ କଂସଙ୍କ ଦୃଶ୍ୟାଭିନୟ ସମସ୍ତଙ୍କୁ ବାନ୍ଧି ରଖୁଛି। ଧନୁଯାତ୍ରା ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ଲୋକ ବରଗଡ଼ ଆସୁଛନ୍ତି। ରାଧାକୃଷ୍ଣଙ୍କ ପ୍ରେମକାହାଣୀରେ ଦର୍ଶକ ହୋଇଛନ୍ତି ମନ୍ତ୍ରମୁଗ୍ଧ।

ବରଗଡ଼ ଧନୁଯାତ୍ରା ସୋମବାର ସପ୍ତମ ଦିନରେ ପହଁଞ୍ଚିଛି। ମଥୁରାପତି କଂସ ମହାରାଜ କୃଷ୍ଣଙ୍କୁ ମାରିବା ପାଇଁ ଧନୁଯାତ୍ରା ଆୟୋଜନ କରିଛନ୍ତି। କୃଷ୍ଣ ବଳରାମଙ୍କୁ ମଥୁରା ନିମନ୍ତ୍ରଣ କରିବା ପାଇଁ କଂସ ନିଜର ପୂର୍ବତନ ମନ୍ତ୍ରୀ ଅକ୍ରୁରଙ୍କୁ ଗୋପପୁର ପ୍ରେରଣ କରିବାର ଦୃଶ୍ୟ ଦେଖିବାକୁ ମିଳିଛି। ଅନ୍ୟପଟେ ଗୋପପୁରରେ ରାଧାକୃଷ୍ଣଙ୍କ ଯମୁନାରେ ନାବକେଳିର ଦୃଶ୍ୟାଭିନୟ ଦେଖିବାକୁ ମିଳିଛି। ରାଧାକୃଷ୍ଣଙ୍କୁ ନେଇ ଗୋପବାସୀ ଶୋଭାଯାତ୍ରାରେ ଯମୁନା ଅଭିମୁଖେ ବାହାରିଛନ୍ତି। ବାଟରେ ପ୍ରତିଘର ସମ୍ମୁଖରେ ପୂର୍ଣ୍ଣକଳସ ରଖି ରାଧାକୃଷ୍ଣଙ୍କୁ ସ୍ଵାଗତ କରିବାର ଦୃଶ୍ୟ ଦେଖିବାକୁ ମିଳିଛି।

କଂସ ମହାରାଜଙ୍କ ଦ୍ଵାରା ଧନୁଯାତ୍ରା ଆୟୋଜନ

ମହାରାଜ କଂସ କୃଷ୍ଣଙ୍କୁ ମାରିବାକୁ ବାର ବାର ଯୋଜନା କରି ବିଫଳ ହୋଇଥିଲେ। ଶେଷରେ ରଙ୍ଗସଭାରେ ମହର୍ଷି ନାରଦଙ୍କ ଉପଦେଶ କ୍ରମେ କଂସ ଆୟୋଜନ କରିଥିଲେ ଛଳନାର ଧନୁଯାତ୍ରା। ଏଥିଲାଗି ସେ କୃଷ୍ଣ ବଳରାମଙ୍କୁ ମଥୁରା ନିମନ୍ତ୍ରଣ କରିବା ପାଇଁ ପୂର୍ବତନ ମନ୍ତ୍ରୀ ଅକ୍ରୁରଙ୍କୁ ଗୋପପୁର ପ୍ରେରଣ କରିଥିଲେ।

କଂସଙ୍କ ଶଙ୍ଗଚୂଡ ସର୍ପ ସହ ସାକ୍ଷାତ

ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଶଙ୍ଗଚୂଡ ସର୍ପ ମହାରାଜ କଂସଙ୍କ ସହିତ ସାକ୍ଷାତ କରିଥିଲା। ନିଜ ପିତାଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଶଙ୍ଗଚୂଡ଼ କ୍ରୋଧରେ ଆତୁର ହେଉଥିଲା। ସୁବର୍ଣ୍ଣ ସୁଯୋଗ ପାଇ ମହାରାଜା କଂସ ଶଙ୍ଗଚୂଡ଼କୁ ମଧ୍ୟ ଗୋପପୁର ପ୍ରେରଣ କରିଥିଲେ।

ଯମୁନାରେ ରାଧାକୃଷ୍ଣଙ୍କ ନାବକେଳି

ଶ୍ରୀକୃଷ୍ଣ ଓ ରାଧାଙ୍କ ପ୍ରେମରେ ମୁଗ୍ଧ ହୋଇ ପଡ଼ିଥିଲେ ସମଗ୍ର ଗୋପବାସୀ। ଯମୁନା ନଦୀରେ ରାଧାକୃଷ୍ଣଙ୍କ ନାବକେଳିର ଦୃଶ୍ୟ ମନେପକାଇ ଦେଇଥିଲା ଦ୍ୱାପର ଯୁଗର ମହାନ ପ୍ରେମକାହାଣୀ। ରାଧାକୃଷ୍ଣଙ୍କୁ ନେଇ ଗୋପବାସୀ ଶୋଭାଯାତ୍ରାରେ ବାହାରିଥିଲେ। ପ୍ରତିଘର ସମ୍ମୁଖରେ ପୂର୍ଣ୍ଣକଳସ ରଖି ରାଧାକୃଷ୍ଣଙ୍କୁ ସ୍ଵାଗତ କରାଯାଇଥିଲା।

କଂସ ମହାରାଜଙ୍କ ନଗର ଭ୍ରମଣ

ମଥୁରାଧିପତି କଂସ ସବୁଦିନ ଭଳି ଅପରାହ୍ଣରେ ମଥୁରା ଭ୍ରମଣରେ ବାହାରିଥିଲେ। ଏହି ସମୟରେ ସେ ବରଗଡ଼ ଷ୍ଟେଟବ୍ୟାଙ୍କ ସମେତ ଅନ୍ୟ କେତେକ ସ୍ଥାନ ପରିଦର୍ଶନ କରିଥିଲେ। ଏହାପରେ ଲୋକମଣ୍ଡପ ପଡ଼ିଆ ସ୍ଥିତ ରଙ୍ଗମହଲରେ ପହଁଞ୍ଚିଥିଲେ। କଂସ ମହାରାଜଙ୍କ ସମ୍ମୁଖରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ ନୃତ୍ୟଗୀତ ପରିବେଷଣ କରିଥିଲେ।

Tags: #DhanuJatra #BargarhDhanuJatra #ShreeKrishna #KansaMaharaj #Gopapur

 

Comment