ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ମହାରଜଙ୍କ ଶାସନ ଓ ରାଧାକୃଷ୍ଣଙ୍କ ଲୀଳା ସମସ୍ତଙ୍କ ହୃଦୟସ୍ପର୍ଶୀ ହୋଇଛି। କୃଷ୍ଣ ପ୍ରେମରେ ସମସ୍ତେ ଆତ୍ମହରା ହୋଇଛନ୍ତି। ଗୋପପୁରଠାରୁ ଆରମ୍ଭ କରି ମଥୁରାନଗରୀ ସବୁଠାରେ ଧନୁଯାତ୍ରା ଦର୍ଶକଙ୍କୁ ଆକର୍ଷିତ କରୁଛି। ସବୁଦିନ ପ୍ରବଳ ଜନସମାଗମରେ କମ୍ପୁଛି ବରଗଡ଼ ସହର।

ବରଗଡ଼ ଧନୁଯାତ୍ରା ନବମ ଦିବସରେ ପହଞ୍ଚିଛି। ବୁଧବାର କୃଷ୍ଣ ବଳରାମଙ୍କ ମଥୁରାନଗରୀରେ ଆଗମନ ହୋଇଛି। କୃଷ୍ଣ ବଳରାମଙ୍କ ମଥୁରା ନେବାପାଇଁ ମନ୍ତ୍ରୀ ଅକ୍ରୂର ଗସ୍ତରେ ସମସ୍ତ ଗୋପପୁରବାସୀ ଭାଙ୍ଗି ପଡ଼ିଛନ୍ତି। ଶ୍ରୀକୃଷ୍ଣଙ୍କ ବିଦାୟରେ ମା ଯଶୋଦା, ରାଧାରାଣୀ ଏବଂ ଅନ୍ୟ ଗୋପାଙ୍ଗନା ଦୁଃଖରେ ବିଳାପ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଅନ୍ୟପଟେ ମଥୁରାରେ କଂସ ମହାରାଜଙ୍କ ଅତ୍ୟାଚାର ସମସ୍ତ ସୀମା ପାର କରିଛି।

କୃଷ୍ଣ ବଳରାମଙ୍କ ଗୋପପୁରରୁ ବିଦାୟ

କଂସଙ୍କ ନିର୍ଦ୍ଦେଶରେ କୃଷ୍ଣ ବଳରାମଙ୍କୁ ମଥୁରା ନେବାକୁ ଆସିଥିବା ଅକ୍ରୂର ସଫଳ ହୋଇଥିଲେ। କୃଷ୍ଣ ବଳାରାମଙ୍କୁ ଧରି ଅକ୍ରୁର ଗୋପପୁରରୁ ବିଦାୟ ନେବାବେଳେ ମା’ ଯଶୋଦାଙ୍କ ସହ ଗୋପୀମାନେ ବିଳାପ କରିଥିଲେ। ଶେଷରେ କୃଷ୍ଣ ତାଙ୍କର ପ୍ରିୟ ସଖାମାନଙ୍କଠାରୁ ବିଦାୟ ନେଇଥିଲେ। କୃଷ୍ଣଙ୍କ ବିଦାୟରେ ସମଗ୍ର ଗୋପପୁରରେ ଭାବବିହୋଳ ପରିବେଶ ସୃଷ୍ଟି ହୋଇଥିଲା।

ଶ୍ରୀକୃଷ୍ଣଙ୍କ ମଥୁରା ଆଗମନ

ଅକ୍ରୂରଙ୍କ ସହ କୃଷ୍ଣ ବଳରାମ ଗୋପପୁରରୁ ଆସି ମଥୁରାନଗରୀରେ ପହଞ୍ଚିଥିଲେ। ମଥୁରାରେ ଦୁଇ ଭାଇ ଆଦିମାତାଙ୍କ ମନ୍ଦିରରେ ବିଶ୍ରାମ ନେଇଥିଲେ। ଶ୍ରୀକୃଷ୍ଣଙ୍କ ମଥୁରା ଆଗମନ ଖବର ପାଇ ନିଜ ଯୋଜନା ସାର୍ଥକ ହେଲା ଭାବି ଉଚ୍ଚ ଅଟ୍ଟହାସ୍ୟ କରିଥିଲେ ମଥୁରାନରେଶ କଂସ।

 ମଥୁରାନରେଶଙ୍କ ମୁନିଋଷିଙ୍କ ଉପରେ ଅତ୍ୟାଚାର

ସବୁଦିନ ଭଳି ମଥୁରାନରେଶ କଂସ ଅପରାହ୍ଣରେ ନଗର ଭ୍ରମଣରେ ବାହାରିଥିଲେ। ଏହି ଭ୍ରମଣବେଳେ ମଥୁରାରେ କୃଷ୍ଣ ଭକ୍ତିରେ ନିମଗ୍ନ ଥିବା ମୁନିଋଷିଙ୍କ ଉପରେ କ୍ରୋଧାନ୍ଵିତ ହୋଇ ଉଠିଥିଲେ କଂସ। ମହାରାଜାଙ୍କ ଆଦେଶକ୍ରମେ ଦୈତ୍ୟମାନେ ମୁନିଋଷିଙ୍କୁ ପ୍ରବଳ ଅତ୍ୟାଚାର କରିଥିଲେ। ଏହାପରେ କଂସ ନିଜ ରଙ୍ଗମହଲକୁ ଯାଇ ନାଚଗୀତରେ ମସଗୁଲ ହୋଇଥିଲେ।

Tags: #DhanuJatra #BargarhDhanuJatra #ShreeKrishna #KansaMaharaj #Gopapur

 

Comment