ଓଡ଼ିଶାଲାଇଭ୍ ବ୍ୟୁରୋ

ଧନୁଯାତ୍ରା ଆସିଲେ ବରଗଡ଼ ସହରର ବରିଷ୍ଠ ଲୋକମାନେ ସବୁବେଳେ କଳାକୁଞ୍ଜକୁ ମନେପକାନ୍ତି। କାରଣ ୫୦ ଦଶକରୁ ୯୦ ଦଶକ ପର୍ଯ୍ୟନ୍ତ ଦୀର୍ଘ ୩୫ ବର୍ଷ ଧରି ଧନୁଯାତ୍ରାର ସବୁଠାରୁ ଆକର୍ଷଣ ଥିଲା କଳାକୁଞ୍ଜ। କଳାକୁଞ୍ଜଗୁଡ଼ିକ ଯାତ୍ରାର ଆର୍ଥିକ ଆବଶ୍ୟକତା ପୂରଣ କରିବା ସହ ଦର୍ଶକମାନଙ୍କ ମନୋରଞ୍ଜନର ଏକ ପ୍ରମୁଖ ମାଧ୍ୟମ ଥିଲା।

୫୦ ଦଶକରେ ବରଗଡ଼ ଗୌଡ଼ପଡ଼ାରେ ରହୁଥିବା ମିଟୁ ବଢ଼େଇ ଓ ଅନ୍ୟ କଳାକାରଙ୍କୁ ନେଇ ଆରମ୍ଭ ହୋଇଥିଲା କଳାକୁଞ୍ଜ। କଳାକୁଞ୍ଜଗୁଡ଼ିକରେ ମୁଖ୍ୟତଃ ପୌରାଣିକ କଥାବସ୍ତୁ ସ୍ଥାନ ପାଉଥିଲା। ତେବେ ସମୟର ପରିବର୍ତ୍ତନ ସହିତ ଅନ୍ୟ ଆଧୁନିକ ବିଷୟଗୁଡ଼ିକ ମଧ୍ୟ ଏଥିରେ ଦେଖିବାକୁ ମିଳୁଥିଲା। ହାଟପଦା, ତଳିପଡ଼ା, ଖଜୁରଟିକ୍ରା, ନାୟକପଡ଼ା ସମେତ ବିଭିନ୍ନ ପଡ଼ାର ଯୁବକ ସଂଘଗୁଡ଼ଇକ ଏହି କଳାକୁଞ୍ଜଗୁଡ଼ିକରେ ପ୍ରମୁଖ ଭୂମିକା ନେଉଥିବାବେଳେ ପରବର୍ତ୍ତି ସମୟରେ ଶିକ୍ଷାନୁଷ୍ଠାନ ମଧ୍ୟ ଏଥିରେ ସାମିଲ ହୋଇଥିଲା।

କଳାକୁଞ୍ଜଗୁଡ଼ିକରେ ଟିକେଟ ପ୍ରାୟ ୨୫ ପଇସାରୁ ୫୦ ପଇସା ଥିବାବେଳେ ଏହାକୁ ଦେଖିବା ପାଇଁ ଏତେ ଭିଡ଼ ହେଉଥିଲା ଯେ ସିମେଣ୍ଟ ବସ୍ତାରେ ପଇସା ରଖାଯାଉଥିଲା। ପରବର୍ତ୍ତି ସମୟରେ ଛାଳ ଦୀପ, ମୃତ୍ୟୁଞ୍ଜୟ ପ୍ରଧାନ ଓ ତ୍ରିଲୋଚନ ପ୍ରଧାନଙ୍କ ସମେତ ବହୁ ସ୍ଥାନୀୟ କଳାକାର ଏହି କାର୍ଯ୍ୟକୁ ଆଗେଇ ନେଇଥିଲେ।

୭୦ ଦଶକରେ କଟକରୁ ମଧ୍ୟ ପ୍ରମୁଖ ମୂର୍ତ୍ତି କଳାକାର ଶ୍ରୀଧର ମହାରଣା ଓ ତାଙ୍କ ସହଯୋଗୀମାନେ ବରଗଡ଼ରେ କଳାକୁଞ୍ଜ ପ୍ରସ୍ତୁତ କରିଥିଲେ। ପରେ ୮୦ ଦଶକର ପ୍ରାରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ତ୍ରିଲୋଚନ ପ୍ରଧାନ ଏହି ଦାୟିତ୍ୱ ତୁଲାଇ ଆସୁଛନ୍ତି। ବର୍ତ୍ତମାନ ଧନୁଯାତ୍ରା କିମ୍ବଦନ୍ତୀ ଚିହ୍ନ ଶିବଧନୁ, ଶିବ ଲିଙ୍ଗ, ଦ୍ୱାରପାଳ ଇତ୍ୟାଦି ମୂର୍ତ୍ତି ତ୍ରିଲୋଚନଙ୍କ ଦ୍ୱାରା କମିଟି ପ୍ରସ୍ତୁତ କରିଥାଏ।

କଳାକୁଞ୍ଜରେ ୧୯୮୩ ରେ କପିଳ ଦେବଙ୍କ ବିଶ୍ୱ କପ୍‌ କ୍ରିକେଟ ବିଜୟ ସ୍ଥାନ ପାଇଥିବାବେଳେ ୯୦ ଦଶକର ପ୍ରାରମ୍ଭରେ ସରଗମ୍ ଚଳଚ୍ଚିତ୍ରର ନାୟକ ଋଷି କପୁର ଓ ଜୟା ପ୍ରଦାଙ୍କ ଡଫଲି ବଜାଇବା ଦୃଶ୍ୟ ସବୁଠାରୁ ବେଶୀ ଲୋକପ୍ରିୟତା ଅର୍ଜନ କରିଥିଲା।

କଳାକୁଞ୍ଜ ଭବିଷ୍ୟତରେ ଧନୁଯାତ୍ରାକୁ ଫେରିବ କି ନାହିଁ ତା’ର କୌଣସି ନିଶ୍ଚତତା ନାହିଁ। ଡିଜିଟାଲ ଯୁଗରେ ଏବେ ବରଗଡ଼ ସହରର ଛକମାନଙ୍କରେ ଧନୁଯାତ୍ରା କମିଟି ପକ୍ଷରୁ ବିଭିନ୍ନ ଚଳୟମାନ ମୂର୍ତ୍ତି ଲଗାଯାଇ ଦର୍ଶକମାନଙ୍କୁ ଆକର୍ଷିତ କରାଯାଇଥିଲା। ଏହି ସବୁ ମୂର୍ତ୍ତି ମୋଟର ସାହାଯ୍ୟରେ ଚାଲୁଥିବା ବେଳେ କଳାକୁଞ୍ଜ ସମୟରେ ପରଦା ପଛରେ ଜଣେ ଘଣ୍ଟା ଘଣ୍ଟା ବସି ଏହାକୁ ଚଳାଉଥିଲେ। ତେଣୁ ଭବିଷ୍ୟତରେ ଧନୁଯାତ୍ରାରେ କଳାକୁଞ୍ଜରେ ସ୍ଥାନ ନପାଇଲେ ମଧ୍ୟ ଧନୁଯାତ୍ରା ଇତିହାସରେ କଳାକୁଞ୍ଜର ଲୋକପ୍ରିୟତା ସବୁଦିନ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖାଯିବ।

Tags: #BargarhDhanuJatra #Ambapali #Tradition #KansaMaharaj #Kalakunja

Comment