ବିଶ୍ଵଜିତ ସାହୁ

ରେଡିଓ, ମଞ୍ଚ ନାଟକ, ମେଗା ଧାରାବାହିକ ଏବଂ ସିନେମା – ସବୁଠି ଅଭିନୟର ଯାଦୁ ଦେଖାଇଛନ୍ତି ଓଡ଼ିଆ ସିନେମା ଜଗତର ଲୋକପ୍ରିୟ ଅଭିନେତା ଶଙ୍କର ବସୁମଲ୍ଲିକ।

ଓଡ଼ିଆ ସିନେମାରେ ମଡର୍ଣ୍ଣ ବା ଆଧୁନିକ ଖଳନାୟକର ଧାରା ଆରମ୍ଭ କରି ଭିଲେନ୍‌ର ଏକ ନୂଆ ଅବତାରରେ ନଜର ଆସିଛନ୍ତି ଅଭିନେତା ଶଙ୍କର ବସୁମଲ୍ଲିକ। ଶଙ୍କର ବସୁମଲ୍ଲିକଙ୍କ ଅଭିନୟ-ଜୀବନ-ଯାତ୍ରାକୁ ନେଇ ଓଡ଼ିଶାଲାଇଭ୍ ସହ ସ୍ୱତନ୍ତ୍ର ସାକ୍ଷାତକାର।

ନିଖୁଣ ଅଭିନୟ କଳା ପାଇଁ ଆଜି ଓଡ଼ିଆ ନାଟ୍ୟ ଜଗତରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଶଙ୍କର ବସୁମଲ୍ଲିକ। ପିତା ହରପ୍ରସାଦ ବସୁମଲ୍ଲିକ ଓ ମାତା ଗାୟତ୍ରୀ ବସୁମଲ୍ଲିକଙ୍କ କୋଳରେ ୧୯୫୫ ଜୁନ୍ ୧୬ ତାରିଖ ଦିନ ବାଲେଶ୍ଵରର ସହଦେବଖୁଣ୍ଟାରେ ଜନ୍ମଗ୍ରହଣ କରିଥିଲେ ଶଙ୍କର। ବାପା ଓଏଫ୍ଏସ୍ ଅଫିସରକୁ ମା’ ସୁନାମଧନ୍ୟା ଗାଳ୍ପିକା ଓ ଔପନାସିକା। ବାପାଙ୍କ ଚାକିରି ପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିବାର ଅନୁଭୂତି ଏବଂ ମା’ଙ୍କ ଲେଖାଲେଖି ରୁଚିକୁ ସାଥିରେ ନେଇ ପିଲାଟିବେଳୁ କଳାପ୍ରେମୀ ଥିଲେ ଶଙ୍କର।

ପ୍ରାଥମିକ ଭାବେ ଗୀତ ଗାଇବା ଏବଂ ଚିତ୍ର ଆଙ୍କିବାରେ ଶଙ୍କରଙ୍କର ରୁଚି ଥିଲା। ହେଲେ ବଲାଙ୍ଗିରରେ ଥିବା ବେଳେ ମା’ଙ୍କ ଲେଖା ଏବଂ ନିର୍ଦ୍ଦେଶନାରୁ ହିଁ ଶଙ୍କରଙ୍କ ଅଭିନୟ ଜୀବନର ନିଅ ପଡ଼ିଥିଲା। ସେଦିନର ସେହି ନିଅ ପରବର୍ତ୍ତୀ ସମୟରେ ବିରାଟ ପ୍ରାସାଦରେ ପରିଣତ ହୋଇଛି, ଯାହାର ସମ୍ରାଟ ହେଉଛନ୍ତି ଶଙ୍କର ବସୁମଲ୍ଲିକ।

ଅନେକ ମଞ୍ଚ ନାଟକ, ବେତାର ନାଟକ, ଦୂରଦର୍ଶନ ନାଟକ, ମେଗା ଧାରାବାହିକ, ଟେଲି ଚଳଚ୍ଚିତ୍ର ସହ ଜଗା ବଳିଆ, ଲାଲ୍‌ପାନ ବିବି, ପଞ୍ଚୁ ପାଣ୍ଡବ ଭଳି ଚଳଚ୍ଚିତ୍ରରେ ନିଜ ଅଭିନୟର ଯାଗୁ ଦେଖାଇଛନ୍ତି ଶଙ୍କର।ମୋଗଲ ତାମସାର ବାଦଶାହ

ଶଙ୍କର ବସୁମଲ୍ଲିକ ତାଙ୍କ ଅଭିନୟ ଜୀବନରେ ପ୍ରାୟ ୧୫୨ଟି ନାଟକ, ୨୭ ଚଳଚ୍ଚିତ୍ର ସହ ଅନେକ ମେଗା ଧାରାବାହିକରେ ଅଭିନୟ କରିଛନ୍ତି। ହେଲେ ‘ମୋଗଲ ତାମସା’ ନାଟକରେ ତାଙ୍କ ନିଆରା ଅଭିନୟ ଆଜି ବି ଦର୍ଶକଙ୍କ ମନରେ ଜୀବିତ।

୨୦୦ ବର୍ଷ ତଳର ଲୋକନାଟକ ହେଉଛି ମୋଗଲ ତାମସା। ଏଥିରେ ମୋଗଲ ସମ୍ରାଟ ଭୂମିକାରେ ଅଭିନୟ କରିଥିଲେ ଶଙ୍କର ବସୁମଲ୍ଲିକ। ନାଟକର କାହାଣୀ ଏବଂ ଚରିତ୍ର ସବୁ ଏତେ ଆକର୍ଷଣୀୟ ଥିଲା ଯେ, ପ୍ରତିଥର ସୋ’ ହାଉସଫୁଲ୍ ରହୁଥିଲା। ନାଟକରେ ସବୁଠାରୁ ଖାସ୍ ମୂହୂର୍ତ୍ତ ଥିଲା ମୋଗଲ ସମ୍ରାଟଙ୍କ ମଞ୍ଚ ପ୍ରବେଶ। ଯାହାକୁ ବେଶ୍ ଦର୍ଶକଆଦୃତି ମିଳିଥିଲା।

ମୋଗଲ ତାମସା ନାଟକକୁ ନେଇ ଶଙ୍କର ବସୁମଲ୍ଲିକ କହନ୍ତି, “ମୋ ଅଭିନୟ ଜୀବନର ଏକ ସ୍ମରଣୀୟ ନାଟକ ହେଉଛି ‘ମୋଗଲ ତାମସା’। ଏହି ନାଟକରେ ମୁଁ ମୋଗଲ ବାଦଶାହ ଭୂମିକାରେ ଅଭିନୟ କରିଥିଲି। ଖାସ୍ କଥା ହେଉଛି ୬୦ଟି ମଞ୍ଚରେ ଆମ ଗ୍ରୁପ୍ ୬୦ ଥର ଏ ନାଟକ ପରିବେଷଣ କରିଛି। ଆଉ ଏହି ଚରିତ୍ର ହିଁ ମତେ ଚାକିରି ସହ ସିନେମା ଦୁନିଆରେ ଅଭିନୟ ଲାଗି ବାଟ ଦେଖାଇଥିଲା।”ଚରିତ୍ର ଅଭିନେତାରୁ ହୋଇଥିଲେ ମଡର୍ଣ୍ଣ ଖଳନାୟକ

ମଞ୍ଚ ନାଟକରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ ଶଙ୍କର ବସୁମଲ୍ଲିକ। ପ୍ରାୟ ସବୁ ନାଟକରେ ତାଙ୍କୁ କେବଳ ଚରିତ୍ର ଅଭିନୟ କରୁଥିବା ଦେଖାଯାଏ। ସେମିତିରେ ବି ଚରିତ୍ର ଅଭିନୟକୁ ସେ ଖୁବ୍ ଚମତ୍କାର ଜୀବନ୍ୟାସ ଦେଇପାରନ୍ତି। ହେଲେ ଅଶୀ ଦଶକରେ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଜଗା ବଳିଆ’ ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ସମସ୍ତଙ୍କୁ ଚକିତ କରିଥିଲା।

ଏହାଥିଲା ଶଙ୍କରଙ୍କ ପ୍ରଥମ ଚଳଚ୍ଚିତ୍ର। ପ୍ରଥମ ସିନେମାରେ ହିଁ ଖଳନାୟକ ଭୂମିକାରେ ନଜର ଆସିଥିଲେ ଶଙ୍କର। ତାହାବି ଖୁବ୍ ଆକର୍ଷିତ ଏବଂ ଆଧୁନିକ ଲୁକ୍। ଲଣ୍ଡିତ ମସ୍ତକ ସାଙ୍ଗକୁ ସୁଟ୍ ବୁଟ୍ ପିନ୍ଧା ଭିଲେନ୍। ସେ ଯାଏଁ ଓଡ଼ିଆ ସିନେମାରେ ଖଳନାୟକ କହିଲେ ସାଧାରଣତଃ ଗାଁ ଜମିଦାର, ସରପଞ୍ଚ, ଖଣି ମାଫିଆ ଭଳି ଚରିତ୍ର ହିଁ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ। ହେଲେ ଜଗା ବଳିଆର ମୋହନ ବଳିୟାରସିଂ ଥିଲେ ବେଶ୍ ନିଆରା।

ପ୍ରଥମେ ପ୍ରଥମେ ତ ସମସ୍ତେ କହିଲେ ଏ କଳାକାର ଓଡ଼ିଶାର ନୁହେଁ, ବମ୍ଵେରୁ ଆସିଛନ୍ତି। ଏପରିକି ଶଙ୍କରଙ୍କ ସାଙ୍ଗମାନେ ମଧ୍ୟ ତାଙ୍କୁ ଏ ଭୂମିକାରେ ଚିହ୍ନି ପାରିନଥିଲେ। ମଞ୍ଚ ଉପରେ ଚରିତ୍ର ଅଭିନୟ କରୁଥିବା ଶଙ୍କରଙ୍କୁ ଏହି ଖଳନାୟକ ଚରିତ୍ର ଏକ ନୂଆ ମାଇଲେଜ୍ ଦେଇଥିଲା। ଏହି ସିନେମା ପରେ ତାଙ୍କ ବେଶ୍ କିଛି ସିନେମାରେ ଏଭଳି ଆଧୁନିକ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଛି।

“ଅଭିନୟ ଯାତ୍ରା ଆରମ୍ଭରୁ ହିଁ ମୁଁ କେବଳ ଚରିତ୍ର ଅଭିନୟ କରୁଥିଲି। ହେଲେ ‘ଜଗା ବଳିଆ’ ଚଳଚ୍ଚିତ୍ରରେ ପ୍ରଥମଥର ଲାଗି ମତେ ଏକ ଭିନ୍ନ ଖଳନାୟକ ଚରିତ୍ର ମିଳିଥିଲା। ଦର୍ଶକମାନେ ଏହାକୁ ବେଶ୍ ପ୍ରଶଂସା କରିଥିଲେ। ଆଉ ଚରିତ୍ର ଅଭିନେତାରୁ ମୁଁ ବନିଗଲି ମଡର୍ଣ୍ଣ ଖଳନାୟକ”, ଓଡ଼ିଶାଲାଇଭ୍ ସହ ସାକ୍ଷାତକାର ବେଳେ କହିଛନ୍ତି ଅଭିନେତା ଶଙ୍କର ବସୁମଲ୍ଲିକ।

ମୁଁ ସର୍ଟଟର୍ମ ପ୍ରେମ କରିଛି’  

କଲେଜ ପଢ଼ା ସମୟରେ ଅନ୍ୟମାନଙ୍କ ପରି ଶଙ୍କର ବି ପ୍ରେମ ନାଆର ନାଉରୀ ହୋଇଛନ୍ତି। ସମ୍ପର୍କର ନଦୀକୂଳେ ସୂର୍ଯ୍ୟାସ୍ତ ଦେଖିଛନ୍ତି। ହେଲେ ତାଙ୍କ ପ୍ରେମର ଅନ୍ୟମାନଙ୍କଠାରୁ ଟିକେ ନିଆରା ଥିବା ସେ କହନ୍ତି। ଜୀବନରେ ପ୍ରେମର ସ୍ଵାଦ କେମିତିକା ଜାଣିବା ଲାଗି ସେ କିଛି ସର୍ଟ-ଟର୍ମ ପ୍ରେମ କରିଛନ୍ତି ବୋଲି କହନ୍ତି।

“ଭଲପାଇବା ଟା କେମିତି, ତା’ର ଅନୁଭୂତି ଜାଣିବା ପାଇଁ ଜୀବନରେ ମୁଁ କିଛି ସର୍ଟ-ଟର୍ମ ପ୍ରେମ କରିଛି। ଅର୍ଥାତ କିଛି ଝିଅ ମୋ ଜୀବନରେ ଆସିଛନ୍ତି ଖୁବ କମ୍ ବା ନିର୍ଦ୍ଦିଷ୍ଟ ସମୟ ପାଇଁ। ସେମାନେ ଆଜି ବାହା ହୋଇ ଘର ସଂସାର କରିସାରିଲେଣି। କିନ୍ତୁ ସେଇ ଅଳ୍ପ ସମୟ ପ୍ରେମର ଅନୁଭୂତିରୁ ମୁଁ ଅନେକ କିଛି ଶିଖିପାରିଛି”, ଓଡ଼ିଶାଲାଇଭ୍ ସହ ସାକ୍ଷାତକାର ବେଳେ କହିଛନ୍ତି ଅଭିନେତା ଶଙ୍କର ବସୁମଲ୍ଲିକ।ବି.. ପାସ୍ କରିଥିଲି ବାହା ହେବାକୁ

ଶଙ୍କରଙ୍କ ଅଭିନୟ ପରି ତାଙ୍କ ଜୀବନର ପ୍ରତି ମୁହୂର୍ତ୍ତରେ କିଛି ନା କିଛି ରୋମାଞ୍ଚ ଭରି ରହିଛି। ସେହିଭଳି ଏକ ରୋମାଞ୍ଚର କାହାଣୀ ହେଉଛି ତାଙ୍କର ବି.ଏ. ପାସ୍ କରିବା। ସ୍କୁଲ ପଢ଼ା ପରେ ଭୁବନେଶ୍ଵରର ଉତ୍କଳ ବିଶ୍ଵବିଦ୍ୟାଳୟରେ ଗ୍ରାଜୁଏସନ୍ ଲାଗି ନାମ ଲେଖାଇଥିଲେ ଶଙ୍କର। ଆଉ ସେହି ସମୟର ଏକ ରୋମାଞ୍ଚ କାହାଣୀକୁ ନେଇ ଶଙ୍କର କହନ୍ତି, “ମୁଁ ପାଠରେ ସେତେଟା ଭଲ ନଥିଲି। ତେଣୁ ମୋ ମନରେ ଗୋଟେ ଡର ଥିଲା ଯେ, ମତେ ବାହାହେବା ପାଇଁ ଝିଅ ମିଳିବେ ତ! ଏହି ଡରରେ ମୁଁ ଲାଗିପଡ଼ି ପାଠ ପଢ଼ିଲି, ଆଉ ବି.ଏ. ପାସ୍ କଲି।”‘ମା’ ମୋ ଜୀବନର ସବୁକିଛି’

ଶଙ୍କର ବସୁମଲ୍ଲିକଙ୍କ ମା’ ଗୟତ୍ରୀ ବସୁମଲ୍ଲିକ ଥିଲେ ଜଣାଶୁଣା ଗାଳ୍ପିକା ଓ ଔପନାସିକା। ତାଙ୍କରି ଲେଖା ଓ ନିର୍ଦ୍ଦେଶନାରୁ ହିଁ ଅଭିନୟର ଖଡ଼ି ଛୁଇଁଥିଲେ ଶଙ୍କର। ନିଜ ମା’ଙ୍କୁ ନେଇ ବେଶ୍ ଭାବବିହ୍ଵଳ ହୋଇପଡ଼ନ୍ତି ଶଙ୍କର। ସେ କହନ୍ତି ତାଙ୍କ ମା’ ତାଙ୍କ ଜୀବନର ସବୁକିଛି। ଆଜି ଯାଏଁ ଜୀବନରେ ଯାହା ବି କିଛି କରିପାରିଛନ୍ତି, ବନିଛନ୍ତି ସବୁଥିରେ ମା’ଙ୍କ ଭୂମିକାକୁ ସେ ଗୁରୁତ୍ଵ ଦିଅନ୍ତି। ଶଙ୍କରଙ୍କ ମା’ ଏବେ ପରଲୋକାଗତ। ମାତ୍ର ସବୁଦିନ ପରି ଆଜି ବି ସେ ମା’ଙ୍କ ସହ ସମୟ ବିତାନ୍ତି। ଦିନ ଯାକର କାମ-ଦାମ, ନାଟକର କାହାଣୀ, ଅଭିନୟରେ ନୂଆ ଚରିତ୍ର ମା’ଙ୍କ ପାଖରେ ରଖୁଥିବା କହନ୍ତି।

ଓଡ଼ିଆ ସାହିତ୍ୟକୁ ଅତୁଳନୀୟ ଅବଦାନ ପାଇଁ ଗାୟତ୍ରୀ ବସୁମଲ୍ଲିକ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନିତ ହୋଇଥିଲେ। ମା’ଙ୍କ ପଦାନୁସରଣ କରି ଶଙ୍କର ମଧ୍ୟ ଆଜି ଅଭିନୟ ଜଗତରେ ବେଶ୍ ସଫଳତା ପାଇପାରିଛନ୍ତି। ପାଞ୍ଚ ଦଶନ୍ଧି ଧରି ଅଭିନୟ ଧାରାରେ ଭାସିଥିବା ଶଙ୍କରଙ୍କୁ ୨୦୨୨ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ପୁରସ୍କୃତ କରାଯାଇଛି।‘ଭଲ କାହାଣୀ ମିଳିଲେ ସିନେମା କରିବି’

ଶଙ୍କର ବସୁମଲ୍ଲିକ ସିନେ ପରଦାରେ ଆଗପରି ଆଉ ଖାସ୍ ଦେଖିବାକୁ ମିଳୁ ନାହାନ୍ତି। ଶେଷଥର ପାଇଁ ‘ଏଡିୟୁ ଗୋଦାର’ ଚଳଚ୍ଚିତ୍ରରେ ସେ ନଜର ଆସିଥିଲେ। ଏନେଇ ତାଙ୍କୁ ପଚାରିବାରୁ ସେ କହନ୍ତି, ଆଗପରି ଏବେ କାହାଣୀ ବା କାହିଁ? ଅଶୀ, ନବେ ଦଶକରେ ଓଡ଼ିଆ ଚଳଚ୍ଚିତ୍ରରେ ଓଡ଼ିଆପଣର ବାସ୍ନା ଥିଲା। ପ୍ରଶାନ୍ତ ନନ୍ଦ, ମହମ୍ମଦ ମହସୀନ, ଗୌର ଘୋଷ, ପାର୍ବତୀ ଘୋଷ, ରାଜୁ ମିଶ୍ର, ପ୍ରଣବ ପଟ୍ଟନାୟକଙ୍କ ପରି ନିର୍ମାତାଙ୍କ ସ୍ପର୍ଶରେ ଓଡ଼ିଆ ସିନେମା ଜୀବନ୍ତ ଲାଗୁଥିଲା। କାବେରୀ, କା’, ଶେଷ ଶ୍ରାବଣ ଭଳି ନିଚ୍ଛକ ଓଡ଼ିଆ କାହାଣୀ ସିନେମାକୁ ଦର୍ଶକାଦୃତ କରୁଥିଲା। ହେଲେ ସମୟର ଧାରାରେ ଧୀରେ ଧୀରେ ତାହା ବହିଗଲାଣି। ନା ଆଗପରି କାହାଣୀ ଅଛି ନା ସେଭଳି ନିର୍ମାତା।

ସେ ସମୟର ଯେଉକିଛି ନିର୍ମାତା ଅଛନ୍ତି, ବର୍ତ୍ତମାନର ଆଧୁନିକ ସିନେ କ୍ରିଏଟରଙ୍କ ଆଗରେ ସେମାନେ ଆଉ ଆଗକୁ ଆସିବାକୁ ବି ମନ ବଳାଉନାହାନ୍ତି। ତେଣୁ ଆଗ ଭଳି ଭଲ କାହାଣୀ ଯଦି ମିଳେ ପୁଣି ସିନେ ପରଦାରେ ଦର୍ଶକଙ୍କୁ ମନୋରଞ୍ଜନ ଦେବେ ବୋଲି କହନ୍ତି ଶଙ୍କର। ତେବେ ମଞ୍ଚ ଉପରେ ଆଜି ବି ଶଙ୍କର ବସୁମଲ୍ଲିକ ସତେଜ ରହିଛନ୍ତି। ନାଟକରେ ଅଭିନୟ ସହ କାହାଣୀ ରଚନା ଏବଂ ନିର୍ଦ୍ଦେଶନାରେ ନିଜକୁ ବ୍ୟସ୍ତ ରଖିଛନ୍ତି ଶଙ୍କର।

‘ଏଠି କଳାକାରକୁ ପାରିଶ୍ରମିକ ମିଳେନି’

ଇଣ୍ଡଷ୍ଟ୍ରିର ପେମେଣ୍ଟ ବା ପାରଶ୍ରମିକ ବ୍ୟବସ୍ଥାକୁ ଶକ୍ତ ନିନ୍ଦା କରନ୍ତି ଶଙ୍କର। ତାଙ୍କ ମତରେ ଏଠି କଳାକାରର କଳାର ମହତ୍ଵକୁ କେହି ଆଡ଼ ଆଖିରେ ବି ଦେଖନ୍ତି। ଯେଉଁ କେତେଜଣ ଏହି ସମସ୍ୟାକୁ ବୁଝି କଳାକାର ପାଇଁ କିଛି କରିବା ଲାଗି ଆଗକୁ ପାଦ ବଢ଼ାନ୍ତି, ପଛରୁ ଅନେକ ତାଙ୍କୁ ଭିଡ଼ି ତଳେ କଚାଡ଼ି ଦିଅନ୍ତି। ଅଭିନୟ ଅଫର୍ ପୂର୍ବରୁ ଯେତିକି ପାରିଶ୍ରମିକ କୁହାଯାଏ, ତାହାର ଚାରି ଭାଗରୁ ଭାଗେ ଦେବାକୁ ବି ବର୍ତ୍ତମାନର ନିର୍ମାତାମାନେ ପଛଘୁଞ୍ଚା ଦେଉଥିବା ଶଙ୍କର ଅଭିଯୋଗ କରନ୍ତି।

Tags: #SankarBasumallik #GayatriBasumallik #OdiaCinema #MughalTamsa #JagaBalia #OdiaCineIndustry

Comment