ଓଡ଼ିଶାଲାଇଭ୍ ବ୍ୟୁରୋ

(ବରଗଡ଼ରୁ ବୀରେନ୍ଦ୍ର କୁମାର ପ୍ରଧାନ): ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ମାହୋଲ ପ୍ରତିଦିନ ବଢିବାରେ ଲାଗିଛି। କଂସ ମହାରାଜ ଏବଂ ଶ୍ରୀକୃଷ୍ଣଙ୍କ ଦୃଶ୍ୟାଭିନୟ ଲୋକଙ୍କୁ ବାନ୍ଧି ରଖୁଛି। ଉଭୟ ମଥୁରା ଏବଂ ଗୋପପୁରରେ ଦର୍ଶକଙ୍କ ପ୍ରବଳ ସମାଗମ ହେଉଛି। ଏହି ଧନୁଯାତ୍ରା ମାଧ୍ୟମରେ ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ, ଯାହା ଲୋକମାନଙ୍କୁ ମନ୍ତ୍ରମୁଗ୍ଧ କରୁଛି।

ଧନୁଯାତ୍ରା ମହୋତ୍ସବ ରବିବାର ଷଷ୍ଠ ଦିନରେ ପ୍ରବେଶ କରିଛି। ମହାରାଜ କଂସ ଗୋପପୁରରେ ନିଜର ରାକ୍ଷସ ରାକ୍ଷସୀଙ୍କ ବଧରେ ମର୍ମାହତ ହୋଇ ରଙ୍ଗ ସଭା ଆୟୋଜନର ଦୃଶ୍ୟ ଦେଖିବାକୁ ମିଳିଛି। ପୁଣିଥରେ କୃଷ୍ଣଙ୍କୁ ମାରିବା ପାଇଁ ସଭାରେ ଉପସ୍ଥିତ ରାଜା ଓ ସାମନ୍ତଙ୍କ ଗହଣରେ କରିଛନ୍ତି ଷଡଯନ୍ତ୍ର। ସବୁଦିନ ଭଳି କଂସ ମହାରାଜଙ୍କ ନଗର ଭ୍ରମଣ ଦେଖିବାକୁ ମିଳିଛି। ଅନ୍ୟପଟେ ଗୋପପୁରରେ କୃଷ୍ଣଙ୍କ ବାଲ୍ୟଲୀଳା ଏବଂ ଗୋପାଙ୍ଗନାଙ୍କ ବସ୍ତ୍ର ଚୋରିର ଦୃଶ୍ୟପଟ ସମସ୍ତଙ୍କ ମନ ମୋହିଛି।

କଂସ ମହାରଜଙ୍କ ରଙ୍ଗସଭା

ମହାରାଜ କଂସ ପୁତନା ଓ ଷଡ଼ମଲ୍ଲଙ୍କ ମୃତ୍ୟୁରେ ମର୍ମାହତ ହୋଇ ରଙ୍ଗସଭାର ଆୟୋଜନ କରିଥିଲେ। ଏହି ସଭାରେ ଅନେକ ରାଜା, ମନ୍ତ୍ରୀ, ସାମନ୍ତ ଓ ଯୋଦ୍ଧାମନେ ଉପସ୍ଥିତ ଥିଲେ। ରଙ୍ଗସଭାରେ ଏହି ଯୋଦ୍ଧା ମାନେ କୃଷ୍ଣ ବଳରାମ ପରି ସାମାନ୍ୟ ଶିଶୁକୁ ହତ୍ୟା କରିବା ପାଇଁ ନିଜ ନିଜର ସମର୍ଥନ ଘୋଷଣା କରିଥିଲେ। କଂସ ପୁଣିଥରେ ଆରମ୍ଭ କରିଥିଲେ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର।

ନାରଦଙ୍କ ଦରବାରରେ ପ୍ରବେଶ

କଂସ ମହାରାଜ ଷଡଯନ୍ତ୍ର କରୁଥିବା ସମୟରେ ଦରବାରରେ ଆବିର୍ଭାବ ହୋଇଥିଲେ ଦେବର୍ଷି ନାରଦ। ଶ୍ରୀକୃଷ୍ଣଙ୍କୁ ବଳରେ ପରାସ୍ତ ନ କରି ଛଳରେ ମଥୁରା ନିମନ୍ତ୍ରଣ କରିବା ପାଇଁ ସେ କଂସାସୁରକୁ ପରାମର୍ଶ ଦେଇଥିଲେ। ମହର୍ଷି ନାରଦଙ୍କ ପରାମର୍ଶ କ୍ରମେ କଂସ ଛଳନାକ୍ରମେ ଧନୁଯାତ୍ରା ଆୟୋଜନ କରି ଭଣଜା କୃଷ୍ଣଙ୍କୁ ହତ୍ୟା କରିବାର ଯୋଜନା ପ୍ରସ୍ତୁତ କରିଥିଲା।

ଗୋପପୁରରେ କୃଷ୍ଣଙ୍କ ଦ୍ଵାରା ଲହୁଣି ଚୋରି 

ଗୋପପୁରରେ କୃଷ୍ଣଙ୍କ ବାଲ୍ୟଲୀଳାରେ ସମସ୍ତେ ମୁଗ୍ଧ ହୋଇଥିଲେ। ଭଗବାନ ଶ୍ରୀକୃଷ୍ଣ ଗୋପାଳ ବାଳକଙ୍କ ସହ ମିଶି ଗୋପାଙ୍ଗନାମାନେ ପ୍ରସ୍ତୁତ କରିଥିବା ଦହି, ଲହୁଣି ଆଦି ଚୋରି ଖାଇଥିଲେ। ଏହାସହ ଯମୁନାରେ ଗାଧୋଉଥିବା ରାଧା ଓ ଅନ୍ୟ ଗୋପାଙ୍ଗନାଙ୍କ ବସ୍ତ୍ର ଚୋରି କରିଥିଲେ କୃଷ୍ଣ। ଏଥିରେ ବହୁତ ହଟହଟା ହୋଇଥିଲେ ଗୋପାଙ୍ଗନା। ଶେଷରେ ଅନେକ ନେହୁରା ହେବା ପରେ କାହ୍ନା ସେମାନଙ୍କ ବସ୍ତ୍ର ଫେରାଇଥିଲେ।

କଂସଙ୍କ ନଗର ପରିକ୍ରମା

ସବୁଦିନ ଭଳି କଂସ ମହାରାଜ ରାଜମହଲରୁ ମଥୁରା ଭ୍ରମଣରେ ବାହାରିଥିଲେ। ନଗର ଭ୍ରମଣ ସାରି ଲୋକମଣ୍ଡପ ପଡ଼ିଆସ୍ଥିତ ରଙ୍ଗମହଲକୁ ଯାଇଥିଲେ। ମଥୁରାନଗରୀରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଠିକ୍‌ ଭାବେ  ହେଉନଥିବା ନେଇ ବିଦୁଷକ କଂସ ମହାରାଜଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କଂସ ସମ୍ପୃକ୍ତ ଅଧିକାରୀଙ୍କୁ ତାଙ୍କ ସମ୍ମୁଖରେ ହାଜର କରି ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେ ନାଚଗୀତରେ ମସଗୁଲ୍‌ ହେବା ସହିତ ଚିତ୍ରକଳା ପ୍ରଦର୍ଶନୀରେ ସାମିଲ ହୋଇଥିବା ଶିଳ୍ପୀଙ୍କୁ ପୁରସ୍କୃତ କରିଥିଲେ।

Tags: #DhanuJatra #BargarhDhanuJatra #ShreeKrishna #KansaMaharaj #Gopapur

Comment