ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଭିନ୍ନ ଏକାଡେମୀ ପୁରସ୍କାର ପାଉଥିବା ଲେଖକ, ଶିଳ୍ପୀ, କଳାକାରଙ୍କୁ ପୁରସ୍କାର ହିସାବରେ ଏଣିକି ଅଧିକ ପ୍ରୋତ୍ସାହନ ରାଶି ମିଳିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା ଐତିହ୍ୟ କ୍ୟାବିନେଟ୍‌ରେ ଏହି ନିଷ୍ପତ୍ତି ହୋଇଛି। ବିଭିନ୍ନ ସାଂସ୍କୃତିକ କ୍ଷେତ୍ରର ମନୋନୀତ କଳାକାରଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦିଆଯାଉଥିବା ପ୍ରୋତ୍ସାହନ ରାଶିକୁ କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ ବଢ଼ାଇ ଦିଆଯାଇଛି। ପୁରସ୍କୃତ ବ୍ୟକ୍ତିବିଶେଷଙ୍କ ଗୁରୁତ୍ବକୁ ଉଚିତ୍‌ ସମ୍ମାନ ଦେଇ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ଧର୍ମପଦ ସମ୍ମାନ ଓ ବ୍ୟାସକବି ଫକୀରମୋହନ ସମ୍ମାନର ପୁରସ୍କାର ରାଶିକୁ ୧ ଲକ୍ଷ ଟଙ୍କାରୁ ୫ ଲକ୍ଷକୁ ବୃଦ୍ଧି କରାଯାଇଛି। ସେହିପରି ବିଭିନ୍ନ ଏକାଡେମୀ ପୁରସ୍କାର ରାଶିକୁ ୫୦ ହଜାର ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବଢ଼ାଇ ଦିଆଯାଇଛି। ବିଭିନ୍ନ ଏକାଡେମୀ ସମ୍ବର୍ଦ୍ଧନା ରାଶି ମଧ୍ୟ ୧ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଛି।

BGU

ଉଲ୍ଲେଖଯୋଗ୍ୟ, ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସାହିତ୍ୟ କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଦିଆଯାଏ। ସେହିପରି ଲଳିତ କଳା ଏକାଡେମୀ ପକ୍ଷରୁ କଳା ଓ ସ୍ଥାପତ୍ୟ କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ଧର୍ମପଦ ସମ୍ମାନ ପ୍ରଦାନ କରାଯାଉଛି। ସାହିତ୍ୟରେ ଜୀବନବ୍ୟାପୀ ଅବଦାନ ପାଇଁ ଜାତୀୟସ୍ତରର ପୁରସ୍କାର ଭାବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ନ୍ୟାଶନାଲ ଆଓ୍ବାର୍ଡ଼ ଦିଆଯାଉଛି। ସେହିପରି ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରଚାର ତଥା ବିକାଶ କ୍ଷେତ୍ରରେ ନିରବଚ୍ଛିନ୍ନ ଅବଦାନ ଦେଇଆସିଥିବା ବ୍ୟକ୍ତିବିଶେଷ କିମ୍ବା ଅନୁଷ୍ଠାନକୁ ବ୍ୟାସକବି ଫକୀରମୋହନ ଭାଷା ସମ୍ମାନ ପ୍ରଦାନ କରାଯାଏ। ନିଜ ନିଜ କ୍ଷେତ୍ରରେ ଏହା ସର୍ବୋଚ୍ଚ ସମ୍ମାନ ଓ ଏଥିପାଇଁ ପ୍ରାପକଙ୍କୁ ପୂର୍ବରୁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯାଉଥିଲା। ଏବେ ତାହା ବୃଦ୍ଧି ପାଇ ୫ ଲକ୍ଷ ହେବ।

Comment