ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଦେବନି ବିଜେପି। ଦଳ ପାଖରେ ଆବଶ୍ୟକୀୟ ସଂଖ୍ୟା ନଥିବା ହେତୁ ଦଳ ଏଥର ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଦେବା ନେଇ କୌଣସି ନିଷ୍ପତ୍ତି ନେଇନି। ଏନେଇ ସୋମବାର ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ଦେବାକୁ ଦଳ ପାଖରେ ଆବଶ୍ୟକୀୟ ବିଧାୟକଙ୍କ ସଂଖ୍ୟା ନାହିଁ। ତେଣୁ ଦଳ ଏଥର ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଦେବ କି ନାହିଁ ସେନେଇ ବିଚାର ହୋଇନି ବୋଲି ସେ କହିଛନ୍ତି।

କଂଗ୍ରେସ ମଧ୍ୟ ଏଥର ନିର୍ବାଚନରେ ପ୍ରାର୍ଥୀ ଦେବନି ବୋଲି ପୂର୍ବରୁ କହିସାରିଛି। ଏବେ ବିଜେପିର ଏପରି ଘୋଷଣା ପରେ ବିଜେଡିର ଚାରିଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ରାଜ୍ୟସଭାରେ ନିର୍ବାଚିତ ହୋଇଯିବା ଏକପ୍ରକାର ସ୍ଥିର ହୋଇଯାଇଛି।

ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଚାରିଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛନ୍ତି। ବିଜେଡି ରାଜ୍ୟସଭା ନିର୍ବାଚନ ପାଇଁ ମୁନା ଖାଁ, ସୁବାସ ସିଂହ, ସୁଜିତ୍ କୁମାର ଓ ମମତା ମହନ୍ତଙ୍କ ନାଁ ଘୋଷଣା କରିସାରିଛି।

ମାର୍ଚ୍ଚ ୨୬ ତାରିଖରେ ୧୭ଟି ରାଜ୍ୟର ୫୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ପ୍ରାର୍ଥୀମାନେ ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ନିଜର ପ୍ରାର୍ଥିପତ୍ର ଦାଖଲ କରିବେ। ମାର୍ଚ୍ଚ ୨୬ ତାରିଖରେ ସମସ୍ତ ଆସନ ପାଇଁ ଭୋଟଗ୍ରହଣ ହେବ। ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ନିର୍ବାଚନ କମିସନର ଘୋଷଣା କରିଛନ୍ତି।

Comment