ଓଡ଼ିଶାଲାଇଭ୍ ବ୍ୟୁରୋ
ମଧ୍ୟପ୍ରଦେଶ ରାଜନୀତିରେ ମଙ୍ଗଳବାର ବଡ଼ ଧରଣର ପରିବର୍ତ୍ତନ ଦେଖାଦେଇଛି। ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳରୁ ଇସ୍ତଫା ଦେବା ପରେ ପରେ ଦଳର ଆଉ ୨୦ ଜଣ ବିଧାୟକ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି।
ଏହାପରେ ଏବେ ମଧ୍ୟପ୍ରଦେଶରେ କମଳନାଥ ସରକାର ଭାଙ୍ଗିବା ଏକପ୍ରକାର ସ୍ଥିର ହୋଇଯାଇଛି। ଅନ୍ୟପଟେ ବିଜେପି ପୁଣିଥରେ ଶାସନ ଗାଦି ହାତେଇବାକୁ ଲକ୍ଷ୍ୟ ରଖିଛି। ଏଭଳି ପରିସ୍ଥିତିରେ କିଏ ସରକାର ଗଠନ କରିବ ଏବଂ କିଏ ବିରୋଧୀ ଆସନରେ ବସିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଜାଣନ୍ତୁ, ପୂରା ନମ୍ବର ଗେମ୍
ମଧ୍ୟପ୍ରଦେଶ ବିଧାନସଭାର ସମୁଦାୟ ସିଟ୍ ସଂଖ୍ୟା ହେଲା ୨୩୦। ସେଥିମଧ୍ୟରୁ ଏବେ ବିଧାନସଭାରେ ୨୨୮ ଜଣ ବିଧାୟକ ରହିଛନ୍ତି। ତା ମଧ୍ୟରୁ କଂଗ୍ରେସର ୧୧୪ ଜଣ ବିଧାୟକ, ବିଜେପିର ୧୦୭, ବହୁଜନ ସମାଜବାଦୀ ପାର୍ଟିର ୨, ସମାଜବାଦୀ ପାର୍ଟିର ୧ ଓ ୪ ଜଣ ସ୍ୱାଧୀନ ବିଧାୟକ ରହିଥିଲେ।
କମଳନାଥ କଂଗ୍ରେସର ୧୧୪ ବିଧାୟକଙ୍କ ସହ ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ଓ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିଥିଲେ।
ଏବେ କଂଗ୍ରେସର ୨୦ ବିଧାୟକ ନିଜ ପଦରୁ ଇସ୍ତଫା ଦେଇ ଦେଇଛନ୍ତି। ଫଳରେ ଏବେ ବିଧାନସଭାର ସିଟ୍ ସଂଖ୍ୟା ୨୨୮ ରୁ ୨୦୮କୁ ଖସିଯାଇଛି। ତେଣୁ ସରକାର ଗଠନ ପାଇଁ ଏବେ କୌଣସି ଦଳରୁ ୧୦୫ ଜଣ ବିଧାୟକଙ୍କ ସମର୍ଥନ ରହିବା ଆବଶ୍ୟକ।
ଏଭଳି ପରିସ୍ଥିତିରେ କଂଗ୍ରେସ ପାଖରେ ୧୧୪ ଜଣ ବିଧାୟକରୁ ମାତ୍ର ୯୬ ବିଧାୟକ ବାକି ରହିଛନ୍ତି। ଯଦି ପୂର୍ବଭଳି ଅନ୍ୟଦଳର ୭ ଜଣ ବିଧାୟକ କଂଗ୍ରେସକୁ ସମର୍ଥନ ଦିଅନ୍ତି ତେବେ ମଧ୍ୟ ସରକାର ଗଠନ ପାଇଁ କଂଗ୍ରେସକୁ ୨ ବିଧାୟକଙ୍କ ଅଭାବ ହେବ।
ବିଜେପି କିନ୍ତୁ ଏହାପରେ ସହଜରେ ନିଜର ସଂଖ୍ୟାଗରିଷ୍ଠତା ଦେଖାଇପାରିବ। ବିଜେପି ପାଖରେ ଏବେ ୧୦୭ ଜଣ ବିଧାୟକ ଅଛନ୍ତି। ବିଧାନସଭାର ମ୍ୟାଜିକ ନମ୍ବରଠାରୁ ଦଳ ପାଖରେ ଆହୁରି ଅଧିକ ୨ ଜଣ ବିଧାୟକ ରହିଛନ୍ତି। ତେଣୁ ସରକାର ଗଠନରେ ବିଜେପିକୁ ସେଭଳି କୌଣସି ଅସୁବିଧା ନହେଇପାରେ ବୋଲି କୁହାଯାଉଛି।

















