ଓଡ଼ିଶାଲାଇଭ୍‌ ବ୍ୟୁରୋ

ୟେସ୍‌ ବ୍ୟାଙ୍କରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କାକୁ ନେଇ ଝଡ଼ ଥମୁନି। ବିଧାନସଭା ବାହାରେ ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ଆଜି ବିଧାନସଭାରେ ଏହି ପ୍ରସଙ୍ଗ ଉଠିଥିଲା। କଂଗ୍ରେସ ଏବଂ ବିଜେପି ସରକାରଙ୍କୁ ଘେରିଥିବା ବେଳେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାର ଜବାବ ରଖିଥିଲେ।

ବିଧାନସଭାରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ବିରୋଧୀ ଦାବି କରିଥିଲେ। କାହିଁକି ୟେସ୍‌ ବ୍ୟାଙ୍କରେ ସରକାର ଟଙ୍କା ରଖିଲେ ତାର ସ୍ପଷ୍ଟୀକରଣ ମାଗିଥିଲେ। ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିରୋଧୀଙ୍କ ପ୍ରଶ୍ନ ଉତ୍ତର ଦେଇଥିଲେ। ସେ ସିଧାସିଧା ଶ୍ରୀମନ୍ଦିର ପ୍ରଶାସନ ଉପରେ ସବୁ ଦୋଷ ଲଦିଥିଲେ।

‘‘ଶ୍ରୀମନ୍ଦିର ଅର୍ଥ ରାଜ୍ୟ ସରକାର ପରିଚାଳନା କରନ୍ତି ନାହିଁ। ଏହାକୁ ଶ୍ରୀମନ୍ଦିର ପ୍ରଶାସନ ପରିଚାଳନା କରିଥାଏ। ଏଥିରେ ସରକାର ହସ୍ତକ୍ଷେପ କରନ୍ତି ନାହିଁ। ଅଧିକ ସୁଧ ପାଇବା ଆଶାରେ ଶ୍ରୀମନ୍ଦିର ପ୍ରଶାସନ ୟେସ୍‌ ବ୍ୟାଙ୍କରେ ଟଙ୍କା ରଖିଥିଲେ’’, ବିଧାନସଭାରେ କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

ମନ୍ତ୍ରୀ ଆହୁରି କହିଥିଲେ ଯେ, ଟଙ୍କା ଜମା କରିବା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ବ୍ୟାଙ୍କ ଚୟନ କରିଥିଲା। କୋଟେସନ ମାଧ୍ୟମରେ ବ୍ୟାଙ୍କଠାରୁ ପ୍ରସ୍ତାବ ଆହ୍ୱାନ କରାଯାଇଥିଲା। ୧୨ଟି ବ୍ୟାଙ୍କ ପ୍ରସ୍ତାବ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୟେସ୍‌ ବ୍ୟାଙ୍କର ସୁଧହାର ୮.୬୧ ପ୍ରତିଶତ ରହିଥିଲା। ଫଳରେ ବର୍ଷକ ପାଇଁ ଏହି ବ୍ୟାଙ୍କରେ ଟଙ୍କା ଜମା ହୋଇଥିଲା।

ମନ୍ତ୍ରୀଙ୍କ ବିବୃତି ପରେ ସରକାରଙ୍କୁ ଘେରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି। କାହା ସ୍ୱାର୍ଥରେ ଜାତୀୟ ବ୍ୟାଙ୍କରେ ଟଙ୍କା ନରଖି ୟେସ୍‌ ବ୍ୟାଙ୍କରେ ଟଙ୍କା ରଖାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ବିଷୟରେ ଖୋଳତାଡ଼ କରିବାକୁ ସେ ଦାବି କରିଥିଲେ।

‘‘ବ୍ରହ୍ମ ପରିବର୍ତ୍ତନ ବେଳେ ବିଭ୍ରାଟ ଦେଖାଦେଲା। ରତ୍ନଭଣ୍ଡାର ଚାବି କୁଆଡ଼େ ହଜିଗଲା। ଏବେ ଶ୍ରୀମନ୍ଦିର ଟଙ୍କା ଚଳୁ କରିବାକୁ ରାଜ୍ୟ ସରକାର ବସିଛନ୍ତି। ରାଜ୍ୟ ସରକାରଙ୍କୁ କୋରୋନା ଗ୍ରାସ କଲାଣି। ଏଣୁ ସେ ଜଗନ୍ନାଥଙ୍କ ଟଙ୍କା ସହ ଖେଳୁଛନ୍ତି’’, କହିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି ସରକାରଙ୍କୁ ଘେରିଥିଲେ। ସେ କହିଥିଲେ ଯେ, ୟେସ୍‌ ବ୍ୟାଙ୍କ ଦେବାଳିଆ ହେବା ପୂର୍ବରୁ ରାଜ୍ୟ ସରକାର ଜାଣିପାରିଲେ ନାହିଁ କେମିତି? କେନ୍ଦ୍ର ସରକାର ଏନେଇ ରାଜ୍ୟ ସରକାରଙ୍କୁ ପୂର୍ବରୁ ଅବଗତ କରିବାର ଥିଲା। ଯଦି ତିରୁପତି ଟ୍ରଷ୍ଟ ଆଗୁଆ ଜାଣିପାରି ୧୩୦୦ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରୁ ଉଠାଇ ପାରିଲେ ତାହାଲେ ଆମ ସରକାର କେମିତି ଜାଣିପାରିଲେ ନାହିଁ? ଏନେଇ ଗୃହ କମିଟି ତଦନ୍ତ କରିବା ଦରକାର।

Comment