ଓଡ଼ିଶାଲାଇଭ୍‌ ବ୍ୟୁରୋ

(କେନ୍ଦ୍ରାପଡା ରୁ ନାରାୟଣ ସାହାଣୀ): କେନ୍ଦ୍ରାପଡାରେ କୋରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ବଢୁଛି। ସରକାରୀ ଭାବେ ୭ ଥିବା ବେଳେ ଦୁବାଇରୁ ଆସି ପହଞ୍ଚିଲେ ଆଉଜଣେ। ଏମାନେ ନିଜଘରେ ନିଜେ ୧୫ ଦିନିଆ ଏକାକି ବନ୍ଦୀ ହୋଇ ରହିଛନ୍ତି।

କୋରୋନାକୁ ବିଶ୍ୱ ମହାମାରୀ ଘୋଷଣା ହେବାପରେ ପ୍ରଭାବିତ ଦେଶମାନଙ୍କରୁ ପରଦେଶୀ ଲୋକେ ନିଜ ଦେଶକୁ ଫେରି ଆସୁଛନ୍ତି। ଏଇ କିଛିଦିନ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାକୁ ବିଦେଶରୁ ଫେରିଲେଣି ୮ ଜଣ। ଏମାନଙ୍କ ମଧ୍ୟରୁ ଜଣେ କଟକ ଏସ୍‌ସିବି ହସ୍ପିଟାଲରେ ଅବଜରଭେସନରେ ରହିଥିବା ବେଳେ ଆଉଜଣେ ଘରେ ପହଞ୍ଚି ନାହାନ୍ତି। ଏବେ ୬ଜଣ ବିଦେଶୀ ଫେରନ୍ତାଙ୍କୁ ନେଇ ଆତଙ୍କିତ ଜିଲ୍ଲା ବାସୀ।

କେନ୍ଦ୍ରାପଡା ଜିଲ୍ଲାର ହଜାର ହଜାର ପାଣି ପାଇପ୍ ଶ୍ରମଜୀବୀମାନେ ପୃଥିବୀର ବିଭିନ୍ନ ଦେଶରେ କାର୍ଯ୍ୟରତ। ବିଦେଶରେ କୋରୋନା କାୟା ବିସ୍ତାର କରୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ବଢି ବଢି ଚାଲିଛି। ଏପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ଅନେକଙ୍କ ପରିବାର ଏବେ କୋରୋନା ଆତଙ୍କରେ ଆତଙ୍କିତ ହୋଇପଡିଛନ୍ତି। ପରିବାରଲୋକେ ବିଦେଶରେ ରହୁଥିବା ସେମାନଙ୍କର ପରିବାରର ଲୋକଙ୍କ ସହ କରୋନା ସମ୍ପର୍କରେ ଆଲୋଚନା କରି ଭୀତତ୍ରସ୍ତ ହେବାରେ ଲାଗିଛନ୍ତି। ବିଦେଶରୁ ନିଜଦେଶକୁ ଫେରିବାକୁ ଚାହୁଁଥିବା ପାଣିପାଇପ୍ ମିସ୍ତ୍ରୀମାନେ ବିଭିନ୍ନ ଦେଶର କୋରୋନା କଟକଣା ପାଇଁ ଘରକୁ ଫେରିପାରୁନାହାନ୍ତି। ଗୋଟିଏ ପଟେ କୋରୋନା ମୃତ୍ୟୁର ଭୟ ଓ ଅନ୍ୟପଟେ ନିଜ ପିଲା କୁଟୁମ୍ବଙ୍କୁ ଦେଖିବାର ଆବେଗ ପରସ୍ପରଙ୍କ ମାନସିକ ଦୁଶ୍ଚିନ୍ତାକୁ ବଢାଇଦେଇଛି।

ଇତି ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାରେ ପହଞ୍ଚିଛନ୍ତି ବିଦେଶରେ ରହୁଥିବା ୭ ଜଣ। ଜଣେ ସରକାରୀ ଭାବେ ଫେରିଥିବା କୁହାଯାଉଥିଲେ ମଧ୍ୟ ନିଜଘରେ ପହଞ୍ଚି ନାହାନ୍ତି। ୭ ଜଣଙ୍କ ମଧ୍ୟରୁ ଜଣେ କଟକ ବଡ ଡାକ୍ତରଖାନାରେ ଅବଜରଭେସନରେ ରହିଛନ୍ତି। ଏବେ ଜିଲ୍ଲାର ବିଭିନ୍ନ ଗାଁରେ ଅଛନ୍ତି ଏହି ୬ ଜଣ ପହଞ୍ଚିଛନ୍ତି।

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା କଷଣଣ୍ଟା ଗାଁର ମଳୟ ମଲ୍ଲିକ ଓମାନରୁ ଫେରି କଟକ ବଡ ଡାକ୍ତରଖାନାରେ ଅବଜରଭେସନରେ ଅଛନ୍ତି। ସେହିପରି ପଟ୍ଟାମୁଣ୍ଡାଇ ଥାନା ବଲୁରିଆ ଗାଁର ଗଣେଶ ମଲ୍ଲିକ ଦୁବାଇରୁ ଫେରିଥିବା ସରକାରୀ ଭାବେ ସେ ତାଙ୍କ ଘରେ ପହଞ୍ଚି ନାହାନ୍ତି। ପଟ୍ଟାମୁଣ୍ଡାଇ ଥାନା ଚନ୍ଦନନଗର ବଡଗରା ଗାଁର ବିଜୟ କୁମାର ସାହୁ ଦୁବାଇରୁ ଫେରି ନିଜଘରେ ଅଛନ୍ତି। ନିକିରାଇ ଥାନା ଯୋରନ୍ଦ ଗାଁର ଅଚ୍ୟୁତାନନ୍ଦ ମଲ୍ଲିକ ବାହାରିନ୍ ରୁ ଘରକୁ ଫେରିଛନ୍ତି। ରାଜନଗର ଥାନା ହାତୀନା ଗାଁର ଅନାମ କୁମାର ରାଉତ କତ୍ତର୍ ରୁ ନିଜ ଘରକୁ ଫେରିଛନ୍ତି। ରାଜନଗର ଥାନା କଣ୍ଡିରା ଗାଁର ସତ୍ୟପ୍ରିୟ ଦାସ କୁଏତରୁ ମୁମ୍ବାଇ ଦେଇ ନିଜ ଘରକୁ ଫେରିଛନ୍ତି।

ରାଜକନିକା ଥାନା ବରାଡିଆ ଟଣେଇପଦା ଗାଁର ସୁଦାମ ନାୟକ ବ୍ୟଙ୍କକ୍ ରୁ କଲିକତା ବିମାନ ବନ୍ଦର ବାଟେ ନିଜ ଘରକୁ ଫେରିଆସିଛନ୍ତି। ଘରେ ରହୁଥିବା ଏହି ବିଦେଶ ଫେରନା ବ୍ୟକ୍ତିଙ୍କୁ ନିଜଘରେ ଆଇସୋଲେସନ ବା ଗୋଟିଏ ଘରେ ୧୫ ଦିନ ପାଇଁ ଏକୁଟିଆ ରଖାଯାଇ ସେମାନଙ୍କର ଅବସ୍ଥା ଉପରେ ନଜର ରଖିବାକୁ ବ୍ୟବସ୍ଥା କରିଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ। ଗତକାଲି ଜିଲ୍ଲାର ନିକିରାଇ ଥାନା ଅନ୍ତର୍ଗତ ତରାଣ୍ଡୋ ଗାଁର ଡାଙ୍ଗୁଆ ମଳିକ ନାମକ ଜଣେ ଯୁବକ ଦୁବାଇରୁ ଘରକୁ ଫେରିଛନ୍ତି। ବିଦେଶର କରୋନା ପ୍ରଭାବିତ ଅଞ୍ଚଳରୁ ଫେରିଥିବା ଏହି ଲୋକ ମାନଙ୍କ ସମ୍ପର୍କରେ ସ୍ଥାନୀୟ ଗ୍ରାମବାସୀମାନେ ସବିଶେଷ ଖବର ପାଇପାରିନଥିବାରୁ ଗାଁ ଲୋକେ ଭୟଭିତ ହୋଇପଡିଛନ୍ତ ।

ପଟ୍ଟାମୁଣ୍ଡାଇ ବ୍ଲକ୍ ବଡ଼ମୋହନ ପୁର ଗ୍ରାମପଞ୍ଚାୟତ ର ଦେଉଳି ଠାରେ  ଉତ୍କଳମଣି ଯୁବକ ସଂଘ ତରଫରୁ କରୋନା ସଚେତନତା ରାଲି ଅନୁଷ୍ଠିତ ହୋଇଛି। ଏହି ମାରାତ୍ମକ ଭୂତାଣୁ ଏବେ ସାରା ବିଶ୍ୱକୁ ଗ୍ରାସିବାରେ ଲାଗିଛି । ଫଳରେ ଦିନକୁ ଦିନ ଏହାର ଭୟାବହତା ବଢିବା ସହ ମୃତ୍ୟୁ ସଂଖ୍ୟା ବଢୁଛି।  ଯୁବ ସ୍ୱଚ୍ଛାସେବୀ ତଥା ଉତ୍କଳମଣି ଯୁବକ ସଙ୍ଘର ସଭାପତି ଗୌତମ୍ ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରାଲିରେ ଉପ ସଭାପତି  ଶ୍ରୀ ବଳରାମ  ବେହେରା, ସଂପାଦକ ବୈଷ୍ଣବ ବେହେରା, ସହ ସଂପାଦକ କଳ୍ପତରୁ  ବେହେରା, କୋଷାଧକ୍ଷ ଚନ୍ଦ୍ରମଣି  ବେହେରା ଓ ସଂଯୋଜକ ହରେକୃଷ୍ଣ  ବେହେରା, ଶ୍ରବଣ ବେହେରା, ବସନ୍ତ ବେହେରା, ମୁନିନ୍ଦ୍ର ବେହେରା, ପରମେଶ୍ୱର ବେହେରା ଆଦି ଗାଁର ଯୁବକମାନେ ଦେଉଳି ନୀଳକଣ୍ଟେଶ୍ୱର ସ୍କୁଲଠାରୁ  ନୀଳକଣ୍ଟେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ।

Comment