ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲକୁ କୋରୋନା ସଙ୍କଟ। ଚଳିତ ବର୍ଷ ଆଇପିଏଲର କୌଣସି ମ୍ୟାଚ ଦିଲ୍ଲୀରେ ଖେଳା ଯିବ ନାହିଁ। ଏନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଟୁଇଟ କରି ସୂଚନା ଦେଇଛନ୍ତି।

 ଏହାଛଡ଼ା ଦିଲ୍ଲୀରେ ହେବାକୁ ଥିବା ସମସ୍ତ ଛୋଟ ବଡ଼ ସେମିନାର ଉପରେ ରୋକ ଲଗାଯାଇଛି। କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ ଯେଭଳି କୌଣସି ସମ୍ମିଳନୀ ନହେବ ସେନେଇ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ତଦାରଖ କରିବେ।

ଦିଲ୍ଲୀ ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଆୟୋଜନକୁ ନେଇ ଅନିଶ୍ଚିତତା ଦେଖା ଦେଇଛି। ମାର୍ଚ୍ଚ ୨୯ତାରିଖରୁ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଅଛି। ଏହାପୂର୍ବରୁ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଆଇପିଏଲ ଆୟୋଜନ ବନ୍ଦ କରିବାକୁ ପରାମର୍ଶ ଦେଇଥିଲେ।

କୋରୋନାକୁ ନେଇ ଶନିବାର ଆଇପିଏଲ୍‌ ଗଭର୍ଣ୍ଣିଂ କାଉନସିଲ୍‌ ବୈଠକ ଆୟୋଜନ କରାଯିବ। ବୈଠକ ପରେ ଆଇପିଏଲ୍‌ ହେବ ନା ନାହିଁ ସ୍ପଷ୍ଟ ହେବ।

ପୂର୍ବରୁ କୋରୋନା ଭାଇରସକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ମାର୍ଚ୍ଚ ୩୧ ଯାଏଁ ସମସ୍ତ ସ୍କୁଲ କଲେଜ ଛୁଟି ଘୋଷଣା କରିଥିଲେ। ଏହାସହ ସମସ୍ତ ସିନେମା ହଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

କୋରୋନାକୁ ନେଇ ଦେଶରେ ଭୟର ବାତାବରଣ ରହିଛି। ଭାରତରେ ଜଣେ କୋରୋନା ରୋଗୀଙ୍କ ମୃତ୍ୟୁ ଘଟି ସାରିଛି। ଏହାସହ ୭୫ଜଣ କୋରୋନା ରୋଗୀ ଚିହ୍ନଟ ହୋଇ ସାରିଛନ୍ତି। କୋରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ତରରେ ସଚେତନମୂଳକ ପଦକ୍ଷେପ ନିଆଯଆଉଛି।

Comment