ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରୋନା ଭାଇରସ୍‌କୁ ମୁକାବିଲା କରିବାକୁ ଏବେ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିପାଇଁ ରାଜ୍ୟ ସରକାର ବିବାହ ଉତ୍ସବ ଓ ଶୋଭାଯାତ୍ରା ଅନୁମତିକୁ ରଦ୍ଦ କରିଛନ୍ତି। ଏନେଇ ସାମ୍ଵାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପୋଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ। ରାଜ୍ୟ ସରକାରଙ୍କ ଏହି ନିୟମକୁ ଆଜିଠରୁ ପାଳନ କଲା କମିସନରେଟ ପୋଲିସ।

ଏନେଇ ପୋଲିସ କମିସନ୍‌ର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, “ସରକାରଙ୍କ ନିର୍ଦ୍ଦେଶ କ୍ରମେ ବିବାହ ଉତ୍ସବ ଓ ଶୋଭାଯାତ୍ରାକୁ ରଦ୍ଦ କରି ଦିଆଯାଇଛି। ଯେଉଁମାନେ ଅନୁମତି ନେଇଥିଲେ ତାକୁ ତୁରନ୍ତ ରଦ୍ଦ କରାଯାଇଛି। ଏହାସହ ସଭାସମିତି ପାଇଁ ମଧ୍ୟ ଦିଆଯାଇଥିବା ଅନୁମତିକୁ ଆମେ ରଦ୍ଦ କରିଦେଇଛୁ। ଆଜିଠାରୁ କଟକ-ଭୁବନେଶ୍ଵରରେ କୌଣସି ସଭାସମିତି କରାଯିବ ନାହିଁ।”

ସରକାରଙ୍କ ଗାଇଡ୍‌ଲାଇନ ଅନୁସାରେ କଟକ ଭୁବନେଶ୍ଵରରେ ମାର୍ଚ୍ଚ ୩୧ ଯାଏଁ ସମସ୍ତ ସିନେମା ହଲ୍‌, ସପିଂ ମଲ୍‌, ସୁଇମିଙ୍ଗ ପୁଲ୍‌ ଓ ଜିମ୍‌ ବନ୍ଦ କରାଯିବ। ସିନେମା ହଲ୍‌ଗୁଡ଼ିକ ଆଜି ବନ୍ଦ କରିବାକୁ ଆମେ ପିସିଆର୍‌ ଭ୍ୟାନ ପଠାଇଛୁ ବୋଲି କମିସନର କହିଛନ୍ତି।

ଦେଶରେ ହୁହୁ ହୋଇ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୮୧ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଏହାସହ ଗତକାଲି ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେଣୁ ଏନେଇ ରାଜ୍ୟ ସରକାର ପ୍ରସ୍ତୁତ ହୋଇଛନ୍ତି। କୋରୋନା ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି।

Comment