ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇନସୋମ୍‌ନିଆ ବା ଅନିଦ୍ରା ବା ନିଦ୍ରାହୀନତା ଏମିତି ଏକ ରୋଗ, ଯାହା ବିଭିନ୍ନ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାକୁ ଡାକି ଆଣେ। ଯଦି ଏହି ସମସ୍ୟା ଅଧିକ ଦିନ ଧରି ରହେ ତେବେ ହୃହଘାତ, ଡାଇବେଟିସ୍‌, ଉଚ୍ଚ ରକ୍ତଚାପ ଭଳି ଅନେକ ସମସ୍ୟା ଦେଖାଦେଇଥାଏ।

ନିଦ୍ରାହୀନତା ଯେକୌଣସି ବୟସରେ ହୋଇପାରେ, କିନ୍ତୁ ବୃଦ୍ଧାବସ୍ଥାରେ ଏହା ବିଶେଷ ଦେଖାଦେଇଥାଏ। ଇନ୍‌ସୋମ୍‌ନିଆ ଦୁଇ ପ୍ରକାରର ହୋଇଥାଏ।

ଆକ୍ୟୁଟ୍ ଇନ୍‌ସୋମନିଆ: ଏକ ମାସରୁ କମ୍ ସମୟ ପାଇଁ ଠିକ୍‌ ଭାବେ ନ ଶୋଇବା ହେଉଛି ଆକ୍ୟୁଟ୍‌ ଇନ୍‌ସୋମନିଆ। ଯଦି ନିଦ ଲାଗୁଛି କିନ୍ତୁ ସଠିକ୍‌ ସମୟ ପାଇଁ ଶୋଇପାରୁ ନାହାନ୍ତି ବା ଶୋଇବା ପାଇଁ ପର୍ଯ୍ୟାପ୍ତ ସମୟ ଓ ସୁବିଧା ଥାଇ ବି ନିଦ ନ ହେବା ହେଉଛି ଅକ୍ୟୁଟ୍‌ ଇନ୍‌ସୋମନିଆ । ଏହାକୁ ସ୍ୱଳ୍ପ ନିଦ୍ରା ବା ଚାପ ସମ୍ବନ୍ଧୀୟ ନିଦ୍ରା ବି କୁହାଯାଏ।

କ୍ରୋନିକ୍ ଅନିଦ୍ରା: ଯଦି ଜଣେ ବ୍ୟକ୍ତି ଏକ ମାସରୁ ଅଧିକ ସମୟ ଧରି ଭଲ ଭାବରେ ଶୋଇପାରୁ ନାହିଁ। ଶୋଇବା ପାଇଁ ଯେତିକି ସମୟ ଆବଶ୍ୟକ ହୋଇଥାଏ, ସେତିକି ସମୟ ଯାଏଁ ନିଦ ହେଉ ନାହିଁ ତେବେ ଏହା କ୍ରୋନିକ ଅନିଦ୍ରା।

ଅଧିକ ମାନସିକ ଚାପଗ୍ରସ୍ତ ହେଲେ ଏଭଳି ସମସ୍ୟା ହୋଇଥାଏ। କ୍ରୋନିକ୍ ଅନିଦ୍ରା ହୋଇଥିଲେ ମାଂସପେଶୀରେ ଯନ୍ତ୍ରଣା, ହାଲୋସିନେସନ୍‌ ବା ମାନସିକ ସମସ୍ୟା ସୃଷ୍ଟି ହୋଇଥାଏ।

ଇନ୍‌ସୋମନିଆ ବା ନିଦ୍ରାହୀନତାର ଲକ୍ଷଣ:

ସକାଳୁ ଜଲଦି ନିଦ ଭାଙ୍ଗିଯିବା ବା ପୁଣି ଥରେ ଶୋଇବାକୁ ଚେଷ୍ଟା କଲେ ନିଦ ନ ହେବା।

ରାତିରେ ଶୋଇବା ବେଳେ ବାରମ୍ବାର ବିଛଣାରୁ ଉଠିବା।

ରାତିରେ ଶୋଇବାକୁ ଯିବା ବେଳେ ଅଧିକ ସମୟ ଧରି ଚେଇଁ ରହିବା ନିଦ ନ ହେବା।

ଦିନରେ ଥକ୍କା ଲାଗିବା।

ଚିଡ୍‌ଚିଡ୍‌ ଲାଗିବା।

କାରଣ?

ଯଦି ଜଣେ ବ୍ୟକ୍ତି କାର୍ଯ୍ୟସ୍ଥଳରେ ଚାପଗ୍ରସ୍ତ, କୌଣସି ବିଷୟକୁ ନେଇ ଚିନ୍ତାଗ୍ରସ୍ତ ଥିବେ ଓ ଅଧିକ ଆଲୋକ କାରଣରୁ ନିଦ୍ରାହୀନତା ସମସ୍ୟା ଦେଖାଦିଏ।

ବ୍ୟସ୍ତତା, ଚିନ୍ତା, ଚାପ ଆଦି କାରଣରୁ ଇନ୍‌ସୋମନିଆ ହୋଇଥାଏ।

ଅଧିକ ମାତ୍ରାରେ ଚା’, କଫି ପିଇଲେ ନିଦରେ ସମସ୍ୟା ଦେଖାଦେଇଥାଏ।

ପ୍ରତିଦିନ ମଦ ପିଇବା ବା ଅଧିକ ରାତି ଯାଏଁ ପାର୍ଟି କରିବା।

ଯଦି ନିଦ୍ରାହୀନତା ଭଳି ସମସ୍ୟା ଦେଖାଦିଏ, ତେବେ ଡାକ୍ତର ବା ବିଶେଷଜ୍ଞଙ୍କ ସହ ତୁରନ୍ତ ପରାମର୍ଶ ନିଅନ୍ତୁ।

Comment