ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ରାଜ୍ୟରେ କରୋନା ମୁକାବିଲା ପାଇଁ ତତ୍ପର ହୋଇ ଉଠିଛନ୍ତି ସରକାର।

ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ତତ୍ପର ହୋଇ ଉଠିଛନ୍ତି ରାଜ୍ୟ ସରକାର। କରୋନାର ସଫଳ ମୁକାବିଲା କିପରି କରିହେବ ଏବଂ ଜନସାଧାରଣ କେମିତି ସୁରକ୍ଷିତ ରହିବେ ତାକୁ ନେଇ ସରକାର ଅଣ୍ଟା ଭିଡ଼ିଛନ୍ତି।

ସ୍କୁଲ, କଲେଜ ବନ୍ଦ ଘୋଷଣା କରିବା ସହ ବସ୍‌ ଯାତ୍ରା ସଭା ସମିତି, ସାଂସ୍କୃତିକ କାର୍ଯ୍ୟକ୍ରମ, ମଲ୍‌, ସୋରୁମ୍‌ ଉପରେ କଟକଣା ଲଗାଇ ସରକାର କରୋନା ମୁକାବିଲା କରିବାକୁ ଆଗେଇ ଆସିଛନ୍ତି। ଏହାସହ ସାମାଜିକ ଦୂରତା ବଜାୟ ରଖିବା ପାଇଁ କେତେକ ସ୍ଥାନରେ ୧୪୪ ଧାରା ମଧ୍ୟ ଲାଗିଛି। କରୋନାକୁ ରାଜ୍ୟ ସରକାର ‘ବିପର୍ଯ୍ୟୟ’ ଘୋଷଣା କରି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ଶିକ୍ଷାନୁଷ୍ଠାନ ବନ୍ଦ, ପରୀକ୍ଷା ବାତିଲ

କରୋନାକୁ ଦୃଷ୍ଟିରେ ରଖି ଗତ ଦୁଇ ଦିନ ତଳେ ରାଜ୍ୟ ସରକାର ସମସ୍ତ ସ୍କୁଲ, କଲେଜ ଛୁଟି ଘୋଷଣା କରିଥିଲେ। ହେଲେ ପରୀକ୍ଷା ବାତିଲ କରି ନଥିଲେ। ଆଜି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ସବୁ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି ରାଜ୍ୟ ସରକାର। କେବଳ ଯୁକ୍ତ ଦୁଇ ପରୀକ୍ଷା ଚାଲିଥିବାରୁ ଏହି ପରୀକ୍ଷା ଚାଲିବ ବୋଲି ସ୍କୁଲ ଏବଂ ଗଶିଣିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି।

ସ୍କୁଲ ବନ୍ଦ ହୋଇଥିଲେ ବି ଶିକ୍ଷକମାନେ ଛୁଟିରେ ରହିପାରିବେ ନାହିଁ ବୋଲି ବିଭାଗ କଟକଣା ଜାରି କରିଛି। ଯିଏ ବି ଛୁଟିରେ ରହିବେ ସେମାନେ ଫୋନରେ ଆଲର୍ଟ ରହିବେ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ମଲ୍‌ ବନ୍ଦ, ବସ୍‌ ଉପରେ କଟକଣା

କରୋନା ମୁକାବିଲା ପାଇଁ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଗୋଟିଏ ଜାଗାରେ ଏକାଧିକ ଲୋକ ଏକାଠି ହେବା ଉପରେ କଟକଣା ଲାଗିଛି। ଏଣୁ କଟକ, ଭୁବନେଶ୍ୱର, ବ୍ରହ୍ମପୁର ସମେତ ଅନ୍ୟ ପ୍ରମୁଖ ସହରରେ ସପିଂ ମଲ୍‌ ବନ୍ଦ କରାଯାଇଛି। ମାର୍ଚ୍ଚ ୩୧ ଯାଏଁ ଏସବୁ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି।

ଏପଟେ ଯାତ୍ରୀବାହୀ ବସ୍‌ ଉପରେ ପରିବହନ ବିଭାଗ କଟକଣା ଜାରି କରିଛି। ବସ୍‌ରେ ଓଭରଲୋଡିଂ ହୋଇପାରିବନି ବୋଲି ବିଭାଗ ବସ୍‌ ମାଲିକ ସଂଘକୁ ନିର୍ଦ୍ଦେଶ ଦେଇଛି। ବସ୍‌ଗୁଡ଼ିକରେ ଯେତିକି ସିଟ୍‌ ଅଛି ସେତିକିରେ ହିଁ ଯାତ୍ରୀ ଯାଇପାରିବେ ଏବଂ ବସ୍‌ ଡ୍ରାଇଭର ଓ ଅନ୍ୟ କର୍ମଚାରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି କହିଛି ପରିବହନ ବିଭାଗ। ସେହିପରି ବସ୍‌କୁ ପରିସ୍କାର ରଖିବା ଉପରେ ଗୁରୁତ୍ୱ ଦେଇଛି ପରିବହନ ବିଭାଗ।

ପର୍ଯ୍ୟଟନସ୍ଥଳରେ କଟକଣା

ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଅଧିକ ପର୍ଯ୍ୟଟକ ଆସୁଥିବାରୁ କରୋନା ବ୍ୟାପିବା ଭୟରେ ସରକାର ପର୍ଯ୍ୟଟକଙ୍କ ଉପରେ ରୋକ୍‌ ଲଗାଇଛନ୍ତି। ପର୍ଯ୍ୟଟକମାନେ କୋଣାର୍କ, ଚନ୍ଦ୍ରଗାଭାଗା, ଚିଲିକା ମାର୍ଚ୍ଚ ୩୧ ଯାଏଁ ଯାଇ ପାରିବେନି ବୋଲି କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି। ପୁରୀ ଶ୍ରୀମନ୍ଦିରକୁ ଯେଉଁ ଭକ୍ତମାନେ ଯିବେ ସେମାନେ କରୋନା ଫର୍ମ ପୂରଣ କରି ଭିତରକୁ ପ୍ରବେଶ କରିବେ। ସେହିପରି ସମଲେଶ୍ୱରୀ ମନ୍ଦିର, ତାରାତାରିଣୀ ମନ୍ଦିର, ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। କୋଣାର୍କ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା ହୋଇଛି।

ସବୁ ପାର୍କ ବି ବନ୍ଦ ରହିବ!

କରୋନା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ବି ସଜାଗ ହୋଇ ଉଠିଛି। ସହରାଞ୍ଚଳରେ ଥିବା ସମସ୍ତ ପାର୍କ ଅପରାହ୍‌ଣ ୨ଟାରୁ ବନ୍ଦ ରହିବ ବୋଲି ବିଭାଗ ନିର୍ଦ୍ଦେଶ ଦେଇଛି। ଏହାସହ ମୁକ୍ତାକାଶ ଜିମ୍‌ ମଧ୍ୟ ବନ୍ଦ ରହିବ। ପୂର୍ବରୁ ବିଭାଗ ପକ୍ଷରୁ ରାଜ୍ୟ ସମସ୍ତ ପୌର ପରିଷଦ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି କରୋନା ପାଇଁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଥିଲା। ସହରରକୁ ପ୍ରତିଦିନ ଦୁଇ ଥର ସଫାସୁତରା ରଖିବା ସହ ଆହାରକେନ୍ଦ୍ର ଏବଂ ଶୌଚାଳୟକୁ ସଫା ରଖିବାକୁ ନିର୍ଦ୍ଦେଶନାମା ଦିଆଯାଇଥିଲା। ଆହାରକେନ୍ଦ୍ରରେ ହ୍ୟାଣ୍ଡ ସାନିଟାଇଜର ରଖିବାକୁ କୁହାଯାଇଥିଲା।

କରୋନା ପାଇଁ କଡ଼ା ନିୟମ

କରୋନାରେ ପ୍ରଥମ ରୋଗୀ ଭୁବନେଶ୍ୱରରେ ଚିହ୍ନଟ ହେବା ପରେ କଡ଼ା ନିୟମ ଜାରି କରିଛନ୍ତି ରାଜ୍ୟ ସରକାର। ମାର୍ଚ୍ଚ ୪ ସୁଦ୍ଧା ବିଦେଶରୁ ଆସି ଭାରତ କିମ୍ବା ଓଡ଼ିଶାରେ ପାଦ ଦେଇଥିଲେ ଏହି ପଞ୍ଜୀକରଣ ବାଧ୍ୟତାମୂଳକ ହେବ। କୌଣସି ନିର୍ଦ୍ଦିଷ୍ଟ ନୁହେଁ, ବରଂ ଯେକୌଣସି ଦେଶରୁ ଫେରିଥିଲେ ଏହି ନିୟମ କାର୍ଯ୍ୟକାରୀ ହେବ। ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କୁ ନିଜ ଆଡୁ ପଞ୍ଜୀକରଣ କରିବାକୁ ସରକାର ପରାମର୍ଶ ଦେଇଛନ୍ତି। ଏହି ନିୟମକୁ ପାଳନ ନକଲେ ଆବଶ୍ୟକ ଦଣ୍ଡବିଧାନ କରାଯିବ ବୋଲି ମୁଖ୍ୟ ସଚିବ ଆଜି ସ୍ପଷ୍ଟ ଭାବେ କହିଛନ୍ତି।’’

ସରକାରଙ୍କ ପରାମର୍ଶ ଅନୁଯାୟୀ ମାର୍ଚ୍ଚ ୪ ତାରିଖ ପରେ ବିଦେଶରୁ ଆସିଥିବା ବ୍ୟକ୍ତିମାନେ www.covid19.odisha.gov.in ୱେବସାଇଟରେ ଲଗ୍‌ଇନ୍‌ କରି ଆବଶ୍ୟକ ତଥ୍ୟ ପ୍ରଦାନ କରିବେ। ଏହି ୱେବସାଇଟ୍‌ ମଙ୍ଗଳବାର ଅର୍ଥାତ୍‌ ମାର୍ଚ୍ଚ ୧୭ରୁ ଚାଲୁ ହେବ। ତେବେ ଯେଉଁମାନେ ଚାହିଁବେ ଟୋଲ ଫ୍ରି ନମ୍ବର ୧୦୪ରେ କଲ କରି ମଧ୍ୟ କରିପାରିବେ ପଞ୍ଜୀକରଣ।

ସେହିପରି ଏବେ ବିଦେଶରୁ ଓଡ଼ିଶା ଆସିବାକୁ ବାହାରିଥିବା ବା ଯୋଜନା କରିଥିବା ବ୍ୟକ୍ତିମାନେ ମଧ୍ୟ ଆଗୁଆ ପଞ୍ଜୀକରଣ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।

ଏହି ବ୍ୟବସ୍ଥା ମଧ୍ୟରେ ପଞ୍ଜୀକରଣ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ୧୪ ଦିନ ପର୍ଯ୍ୟନ୍ତ ହୋମ୍‌ କ୍ୱାରାଣ୍ଟାଇମ୍‌ କରାଯିବ। ସ୍ୱାସ୍ଥ୍ୟ ବିଭାଗ ବା ସରକାରଙ୍କର ସ୍ୱତନ୍ତ୍ର ସେଲ୍‌ ସେମାନଙ୍କ ସହ ଯୋଗାଯୋଗରେ ରହିବେ। ପଞ୍ଜୀକରଣ କରୁଥିବା ବ୍ୟକ୍ତିଙ୍କୁ ୧୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ ବୋଲି ସରକାର ଘୋଷଣା କରିଛନ୍ତି।

ଯେଉଁମାନେ ଗତ କିଛିଦିନ ଭିତରେ ବିଦେଶରୁ ଓଡ଼ିଶା ଆସିଛନ୍ତି ସେମାନଙ୍କୁ ନିଜ ଆଡୁ କିମ୍ବା ତାଙ୍କ ପରିବାର ମାଧ୍ୟମରେ ପଞ୍ଜୀକରଣ କରିବା ପାଇଁ ସରକାର ୩ ଦିନ ସମୟ ଦେଇଛନ୍ତି। ୧୯ ମାର୍ଚ୍ଚ ସୁଦ୍ଧା ସେମାନଙ୍କୁ ପଞ୍ଜୀକରଣ କରିବାକୁ ହେବ।

ଭାରତରେ ୧୧୫, ଓଡ଼ିଶାରେ ଜଣେ

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ସାରା ଦେଶରେ ଏହି ସଂଖ୍ୟା ୧୧୫ ଛୁଇଁଥିବା ବେଳେ ଓଡ଼ିଶାରେ ଜଣେ ଚିହ୍ନଟ ହୋଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ଚିହ୍ନଟ ହୋଇଥିବା କରୋନା ରୋଗୀ ମୋଟ ୧୨୯ଜଣଙ୍କ ସଂସ୍ପର୍ଶରେ ଆସିଥିଲେ। ସେମାନଙ୍କୁ ଠାବ କରାଯାଉଛି। ଏହି ରୋଗୀ ଜଣକ ଭୁବନେଶ୍ୱରର ପ୍ରଥମେ ଏକ ଘରୋଇ କ୍ଲିନିକକୁ ଯାଇଥିଲେ। ଏବେ ସେ କ୍ଲିନିକକୁ ସିଲ୍‌ କରାଯାଇଛି ଏବଂ କ୍ଲିନିକର କର୍ମଚାରୀଙ୍କୁ ଆଇସୋଲେସନରେ ରଖାଯାଇଥିବା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି।

ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୭୦ ହଜାର ୫୨୫ କରୋନା ପଜିଟିଭି ରିପୋର୍ଟ ଆସିଛି। ଭାରତରେ ୧୧୫ କରୋନା ପଜିଟିଭ ରହିଛି। ଓଡ଼ିଶାରେ ଜଣେ ବ୍ୟକ୍ତିଙ୍କର ରିପୋର୍ଟ ପଜିଟିଭି ଆସିଛି।

Comment