ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ଦେଶରେ ଏବେ କରୋନା ଭାଇରସକୁ ନେଇ ଭୟାଭୟ ପରିସ୍ଥିତି ଦେଖାଦେଇଛି। ଏହାର ପ୍ରଭାବ କ୍ରୀଡ଼ା ଜଗତ ଉପରେ ମଧ୍ୟ ପଡ଼ିବାରେ ଲାଗିଛି। ଫଳରେ ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ୍ ଏବର୍ଷ ଖେଳାଯିବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି।

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ସପକ୍ଷରେ ରହିଛନ୍ତି। ତାଙ୍କ କହିବା କଥା ଟୁର୍ଣ୍ଣାମେଣ୍ଟକୁ ସମ୍ପୂର୍ଣ୍ଣ ବାତିଲ୍ କରିବା ଠିକ୍ ହେବ ନାହିଁ। ଏହା ବଦଳରେ ଏହାକୁ ଅଳ୍ପ ଦିନ ଭିତରେ ସାରିବାକୁ ଚେଷ୍ଟା କରାଯାଇପାରିବ। ଟୁର୍ଣ୍ଣାମେଣ୍ଟର କେତେକ ମ୍ୟାଚକୁ ମଧ୍ୟ ବାତିଲ୍ କରିବା ସପକ୍ଷରେ ଅଛନ୍ତି ଗାଙ୍ଗୁଲି।ଅନ୍ୟପଟେ କେତେକ ଫ୍ରାଞ୍ଚାଇଜ୍ ଓ ଖେଳାଳିମାନେ ମଧ୍ୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ସପକ୍ଷରେ ନାହାନ୍ତି। ଏତେ ସଂଖ୍ୟାରେ ଲୋକ ଓ ଖେଳାଳି ଏକାଠି ହେବା ଦ୍ୱାରା କରୋନା ଭାଇରସ୍ ସଂକ୍ରମଣ ହୋଇପାରେ ବୋଲି ଏହି ଖେଳାଳିମାନେ କହୁଛନ୍ତି। ଏପରିକି କେତେକ ଦେଶର ଖେଳାଳିମାନେ ଏଥର ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ନାହିଁ ବୋଲି କହିସାରିଲେଣି।

ଅନ୍ୟପଟେ କରୋନା ଭୟ କାରଣରୁ ଟୁର୍ଣ୍ଣାମେଣ୍ଟକୁ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଏହାପରେ ଯାଇ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ। ତେବେ ଏଥର କରୋନା ଟୁର୍ଣ୍ଣାମେଣ୍ଟକୁ ବନ୍ଦ କରୁଛି ନାଁ କରୋନାକୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି ତାହା ଦେଖିବାକୁ ବାକି ରହିଲା।

Comment