ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା କଟକଣା ଅବମାନନା ଅଭିଯୋଗରେ ଭୁବନେଶ୍ୱରରେ ଘରୋଇ ସ୍କୁଲ ଓ କୋଚିଂ ସେଣ୍ଟର ସିଲ୍ କଲା ବିଏମସି ସ୍କ୍ୱାଡ୍। କରୋନା କଟକଣା ତଦାରଖ ପାଇଁ ରାଜଧାନୀରେ ଧରପଗଡ଼ ଚଳାଇଛି ବିଏମସି ସ୍କ୍ୱାଡ୍।

କରୋନା କଟକଣାର ତଦାରଖ କରିବାକୁ ବିଏମସି ପକ୍ଷରୁ  ୪ଟି ସ୍କ୍ୱାଡ୍  ଗଠନ ହୋଇଛି। ବୁଧବାର ଏହି ସ୍କ୍ୱାଡ୍ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ବିଭିନ୍ନ ଘରୋଇ ସ୍କୁଲ ଓ କୋଚିଂ ସେଣ୍ଟରମାନେ କରୋନା କଟକଣାକୁ ଅବମାନନା କରୁଥିବା ସାମ୍ନାକୁ ଆସିଥିଲା। ଫଳରେ ଏହି ଅନୁଷ୍ଠାନଗୁଡ଼ିକୁ ସିଲ୍ କରିଛି ବିଏମସି ସ୍କ୍ୱାଡ୍।

ସେହିଭଳି ଚଢାଉ ବେଳେ ରାଜାଧାନୀର ଜୟଦେବ ବିହାର ଅଞ୍ଚଳରେ କେତେକ ବେଆଇନ ଗେଷ୍ଟ ହାଉସକୁ ମଧ୍ୟ ସିଲ୍ କରାଯାଇଛି। ଏହି ଗେଷ୍ଟ ହାଉସଗୁଡ଼ିକ ବିନା ରେଜିଷ୍ଟ୍ରେସନରେ ଚାଲିଥିବା ନେଇ ବିଏମସି ପକ୍ଷରୁ ସୂଚନା ମିଳିଛି।

କରୋନା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ୍, ହୋଟେଲ, ଜିମ ଆଦିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସରକାର ଚେତାବନୀ ଦେଇଥିଲେ।

ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବାପରେ ରାଜ୍ୟ ସରକାର ସମସ୍ତ ପ୍ରକାର ସଚେତନମୂଳକ ପଦକ୍ଷେପ ନେଉଛନ୍ତି। ଜନ ସମୂହଠାରୁ ଦୁରେଇ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

Comment