ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଧୀରେଧୀରେ ବିଶ୍ୱରେ କରୋନା ଭାଇରସ୍ ନିଜର କାୟା ବିସ୍ତାର କରିଚାଲିଛି। ଏପରିକି ମାତ୍ର ୨୪ ଘଣ୍ଟା ଭିତରେ ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାରରୁ ଅଧିକ ବୃଦ୍ଧି ପାଇଛି। ବୁଧବାର ୧୬୭ଟି ଦେଶରେ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଏହିସଂଖ୍ୟା ଆଜି ୧୭୬କୁ ବୃଦ୍ଧି ପାଇଛି।

ଓଡ଼ିଶା ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ବୁଧବାର କରୋନାକୁ ନେଇ ପ୍ରତିଟି ଅପଡେଟ୍ ଦେଇଛନ୍ତି। ସେ କହିଛନ୍ତି ଯେ, ଗତକାଲି ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୯ ହଜାର ୧୯୩ ଥିଲା। ହେଲେ ମାତ୍ର ୨୪ ଘଣ୍ଟା ମଧ୍ୟରେ ଏହା ୨୦ ହଜାରରୁ ଅଧିକ ବୃଦ୍ଧି ପାଇଛି। ବର୍ତ୍ତମାନ ସାରାବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୯ ହଜାର ୩୫୧ ରହିଛି।ସେହିପରି ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ବୁଧବାର ଏହି ସଂଖ୍ୟା ୧୪୮ ରହିଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୬ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହିଭଳି ଭାବେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୪ ରେ ପହଞ୍ଚିଛି। ଏଥିସହିତ ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଗୁରୁବାର ପଞ୍ଜାବରେ ଜଣେ ୭୦ ବୟସ୍କ ବୃଦ୍ଧା କରୋନାରେ ପ୍ରାଣ ହରାଇଛନ୍ତି।

ଓଡ଼ିଶାରେ ଯେଉଁ ଏକମାତ୍ର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତାଙ୍କର ଅବସ୍ଥା ସୁସ୍ଥ ଅଛି। ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୬୧ଟି ସାମ୍ପୁଲ ପରୀକ୍ଷା ହୋଇଛି। ଏହାମଧ୍ୟରୁ ୬୦ଟି ସାମ୍ପୁଲ ନେଗେଟିଭ୍ ଆସିଥିବାବେଳେ କେବଳ ଗୋଟିଏ ସାମ୍ପୁଲ ପଜିଟିଭ୍ ଆସିଛି ବୋଲି ବାଗଚି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଓଡ଼ିଶା ସରକାର କରୋନା ମୁକାବିଲା କରିବା ପାଇଁ ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବାଗଚି ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏହି ଅବସରରେ ସେ କରୋନା କାରଣରୁ ରାଜ୍ୟର ସମସ୍ତ ଧାର୍ମିକ ଅନୁଷ୍ଠାନ, ଲାଇବ୍ରେରୀ, ସିନେମା ହଲ୍, ବିୟୁଟି ପାର୍ଲର ଆଦି ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି।

Comment