ଓଡ଼ିଶାଲାଇଭ୍ ବ୍ୟୁରୋ

ଏସିଆନ ଗେମ୍ସ ସ୍ୱର୍ଣ୍ଣ ବିଜୟୀ ଭାରତୀୟ ହକି ଦଳରେ ଥିବା ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ରାଜ୍ୟ ସରକାର

ଓଡ଼ିଆ ହକି ତାରକା ତଥା ଡିଫେଣ୍ଡର ଅମିତ ରୋହିଦାସଙ୍କ ପାଇଁ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହାଙ୍ଗଝୌ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ବିଜୟୀ ଭାରତୀୟ ଦଳରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ଅମିତ।

ଏସିଆନ ଗେମ୍ସରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଅମିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେବଳ ରାଜ୍ୟ ନୁହେଁ ସାରା ଭାରତର ଯୁବ ଖେଳାଳିଙ୍କ ପାଇଁ ଅମିତ ଜଣେ ଆଦର୍ଶ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଜାତୀୟ ଉପକନିଷ୍ଠ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ଗାଁର ଅମିତ ସମସ୍ତଙ୍କ ନଜରକୁ ଆସିଥିଲେ। ୨୦୦୯ରେ ଉପକନିଷ୍ଠ ଏସିଆ କପରେ ଭାଗନେବା ସହ ୨୦୧୨ରେ ଏସିଆନ ଚାମ୍ପିୟନସିପରେ ଭାରତୀୟ ଦଳରେ ସାମିଲ ହୋଇଥିଲେ। ୨୦୧୨ରେ ଲଣ୍ଡନ ଅଲିମ୍ପିକ୍ସ ପାଇଁ ଶିବିରରେ ସାମିଲ ହୋଇଥିଲେ ମଧ୍ୟ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇପାରିନଥିଲେ ଅମିତ।

ବର୍ତ୍ତମାନ ସୁଦ୍ଧା ୧୫୦ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି ଅମିତ। ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା (ରୌପ୍ୟ), ୨୮ତମ ସୁଲତାନ ଆଜଲାନ ଶାହ କପ (ରୌପ୍ୟ), ୨୦୧୮ ଚାମ୍ପିୟନ୍ସ ଟ୍ରଫି (ରୌପ୍ୟ), ୨୦୧୬-୧୭ ବିଶ୍ୱ ହକି ଲିଗ (କାଂସ୍ୟ), ଏସିଆ କପ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ ଅମିତ। ୨୦୨୧ରେ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଥିଲା ଭାରତୀୟ ଦଳ। ଦଳରେ ସାମିଲ ହୋଇଥିଲେ ଅମିତ।

Tags: #hockey #teamindia #amitrohidas #cashaward #asiangames #odishagovernment #cmodisha

LEAVE A REPLY

Please enter your comment!
Please enter your name here