ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଳି ସ୍ଵାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣାରେ ଜଣେ ଗିରଫ। ବୁଧବାର ବିଳମ୍ବିତ ରାତିରେ କେତେକ ଯୁବକ ଦଳବଦ୍ଧ ଭାବେ ଆଳି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ ମାରିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ଗୁରୁବାର ସକାଳୁ ଆଳି ମେଡ଼ିକାଲରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ପରେ ପ୍ରଶାସନ ହସ୍ତକ୍ଷେପ ପରେ ଏବେ ଡାକ୍ତଖାନାରେ ଖୋଲିଛି।

ବୁଧବାର ରାତି ପ୍ରାୟ ୧୧ଟା ସମୟରେ ଆଳି ମେଡ଼ିକାଲର ଡାକ୍ତର ଅଜୟ ମହାରଣା କାର୍ଯ୍ୟରତ ଥିବା ବେଳେ କେତେକ ଲୋକ ଦଳବଦ୍ଧ ଭାବେ ମେଡ଼ିକାଲକୁ ଯାଇ ଡାକ୍ତରଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏଥିସହିତ ତାଙ୍କୁ ମାଡ଼ ମଧ୍ୟ ମାରିଥିବା ଅଭିଯୋଗ ହୋଇଥିଲା। ଏନେଇ ଡାକ୍ତର ଜଣକ ଆଳି ଥାନାରେ ଅଭିଯୋଗ କରିଥିଲେ।

ଡାକ୍ତରଙ୍କୁ ମାଡ଼ ମରିବା ଘଟଣା ପରେ ମେଡ଼ିକାଲର ସମସ୍ତ ଡାକ୍ତର ଗୁରୁବାର କାର୍ଯ୍ୟବନ୍ଦ କରିଛନ୍ତି। ଡାକ୍ତରମାନେ କେନ୍ଦ୍ରାପଡ଼ା ସିଡିଏଓ ଓ ଜିଲ୍ଲାପାଳଙ୍କୁ ଏନେଇ ଅଭିଯୋଗ କରିଥିବା ଜଣାପଡ଼ିଛି। ମେଡ଼ିକାଲରେ ଡାକ୍ତର ନଥିବାରୁ ଶହ ଶହ ରୋଗୀ ମେଡ଼ିକାଲକୁ ଆସି ଫେରିବା ସହିତ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି।

ଏହି ଘଟଣାରେ ଆଳି ପୋଲିସ ମକଦ୍ଦମା ରୁଜୁ କରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ସଲିଲ ପ୍ରଧାନ ସୂଚନା ଦେଇଛନ୍ତି। ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଯୋଗୁଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Comment