ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

  • କରୋନା କଣ୍ଟ୍ରୋଲ ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା
  • ସାମାଜିକ ଦୂରତା ପାଇଁ ଓଡ଼ିଶାରେ ଆସିଲା ‘ଲକ୍‌ ଡାଉନ୍‌’
  • ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା, ଗଞ୍ଜାମ, କେନ୍ଦ୍ରାପଡ଼ା, କଟକ ଓ ଅନୁଗୁଳ ଜିଲ୍ଲା
  • ପୁରୀ, ଯାଜପୁର ଟାଉନ୍‌, ଯାଜପୁର ରୋଡ, ଭଦ୍ରକ, ବାଲେଶ୍ୱର, ସମ୍ବଲପୁର, ଝାରସୁଗୁଡ଼ା ଓ ରାଉରକେଲା ସହରରେ ଟୋଟାଲ ‘ଲକ୍‌ ଡାଉନ୍‌’
  • ଖୋଲା ରହିବ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଓ ସରକାରୀ ଅଫିସ୍‌
  • ବସ୍‌, ଟ୍ରେନ୍‌ ଓ ବିମାନ ଚଳାଚଳ ଉପରେ ବାଧା ନାହିଁ

କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ସୁରକ୍ଷା ପାଇଁ ବଡ଼ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ଅତ୍ୟନ୍ତ ଜରୁରୀ କାର୍ଯ୍ୟ ବ୍ୟତୀତ ବାକି ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ। କେବଳ ଅତ୍ୟାବଶ୍ୟକ ସମାଗ୍ରୀ ସଂଗ୍ରହ ପାଇଁ ଜନସାଧାରଣ ବାହାରକୁ ଯାଇ ପାରିବେ।

ଘୋଷଣାର ମୁଖ୍ୟାଂଶ:

  • ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲାର ସବୁ ସହର ଓ ସବୁ ଗାଁ ସହିତ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ୱର, ରାଉରକେଲା,  ଭଦ୍ରକ,  ପୁରୀ,  ଯାଜପୁର ରୋଡ  ଏବଂ ଯାଜପୁର ଟାଉନରେ ପ୍ରାୟ ସମ୍ପୂର୍ଣ୍ଣ ବା ନିୟର ଟୋଟାଲ ‘ଲକ୍‌ ଡାଉନ୍‌’।
  • ୨୨ ମାର୍ଚ୍ଚ ରବିବାର ସକାଳ ୭ଟା ରୁ ୨୯ ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ନିଅର ଟୋଟାଲ ଲକ୍‌ ଡାଉନ୍‌ ରହିବ।
  • ଏହି ସମୟରେ କେବଳ ବସ୍‌, ଟ୍ରେନ୍‌ ଓ ବିମାନ ସେବା ସହିତ ଗ୍ରୋସରୀ ଦୋକାନ, ପରିବା ଦୋକାନ, ମାଛ, ମାଂସ, ଅଣ୍ଡା, ଚିକେନ୍‌, ପେଟ୍ରୋଲ ପମ୍ପ ଏବଂ ମେଡିସିନ୍‌ ଦୋକାନ ଆଦି ଖୋଲା ରହିବ। ଅତ୍ୟାବଶ୍ୟକ ଦ୍ରବ୍ୟର ହୋଲସେଲ ବଜାର ଖୋଲା ରହିବ।
  • ସେହିପରି ଏସବୁ ଅଞ୍ଚଳରେ ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ୍‌, ମ୍ୟୁନିସ୍‌ପାଲଟି ସେବା, ପୋଲିସ, ଅଗ୍ନିଶମ ସେବା, ଓଡ୍ରାଫ୍‌, ପାନୀୟ ଜଳ ଓ ବିଦ୍ୟୁତ ସେବା ଆଦି ଜାରି ରହିବ। ପ୍ରଶାସନିକ କାର୍ଯ୍ୟାଳୟଗୁଡିକ ମଧ୍ୟ ଖୋଲା ରହିବ।

  • ଉପରୋକ୍ତ ୫ ଗୋଟି ଜିଲ୍ଲା ଓ ୭ ଗୋଟି ସହରରେ ସାମାଜିକ ସୁରକ୍ଷା ପେନ୍‌ସନ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାର ସାମଗ୍ରୀର ବିତରଣ କାର୍ଯ୍ୟ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି।
  • ସ୍ଥାନୀୟ ପରିସ୍ଥିତିକୁ ଆକଳନ କରି ଜିଲ୍ଲାପାଳମାନେ ଯେ କୌଣସି ସେବା ଓ କ୍ଷେତ୍ରକୁ ବାଦ ଦେଇପାରିବେ ବା ଯୋଗ କରିପାରିବେ।
  • ଘରୋଇ କମ୍ପାନିମାନଙ୍କୁ ‘ୱାର୍କ ଫ୍ରମ୍‌ ହୋମ୍‌’ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦିଆଯାଇଛି। ଯଦି ସେମାନେ ଏହା ନ କରନ୍ତି, ତେବେ ସେମାନଙ୍କର ବର୍ତ୍ତମାନର ବ୍ୟବସ୍ଥା ଚାଲୁ ରଖିବା ପାଇଁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କଠାରୁ ପ୍ରମାଣ ପତ୍ର ଆଣିବାକୁ ହେବ।
  • କୋଭିଡ-୧୯କୁ ନିୟନ୍ତ୍ରଣ କରିବା ପାଇଁ ନିୟୋଜିତ ସମସ୍ତ ଘରୋଇ ସେବା ପ୍ରଦାନକାରୀଙ୍କୁ ଜରୁରୀକାଳୀନ ସେବାର ଅନ୍ତର୍ଭୁକ୍ତ କରାଗଲା।
  • ଲୋକଙ୍କ ସ୍ୱାର୍ଥ ପାଇଁ ଏହି କଟକଣା କରାଯାଇଛି। ଏହାକୁ ଯିଏ ଭାଙ୍ଗିବାକୁ ଚେଷ୍ଟା କରିବ ତା ବିରୋଧରେ କଠୋର ପଦକ୍ଷେପ ନିଆଯିବ।

Comment