ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନରେ ଦେଶବ୍ୟାପି ପାଳୁଛନ୍ତି ଜନତା କର୍ଫ୍ୟୁ। ଏହାର ପ୍ରଭାବରେ ରାଜ୍ୟରେ ଭୁବନେଶ୍ଵର, କଟକ ସମେତ ବିଭିନ୍ନ ଜିଲ୍ଲା ଜନଶୂନ୍ୟ ହୋଇଛି। ଏହାସହ ରାଜ୍ୟ ସରକାରଙ୍କ ଲକ୍‌ ଡାଉନର ପ୍ରଭାବ ମଧ୍ୟ ଦେଖାଯାଇଛି। ଦୋକାନ ବଜାର ସମେତ ଗାଡ଼ି ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଗାଁଠୁ ସହର ପୁରା ଠପ୍‌ ହୋଇଯାଇଛି।

କଟକ ବାଦାମବାଡ଼ି ଓ ବରମୁଣ୍ଡା ବସ୍‌ ଷ୍ଟାଣ୍ଡରେ ମଧ୍ୟ ଜନଶୂନ୍ୟ ପାଲଟିଛି। ଏହାସହ ରାସ୍ତାଘାଟ ମଧ୍ୟ ଶୂନଶାନ ହୋଇଯାଇଛି। କେବଳ ରାଜଧାନୀ ଭୁବନେଶ୍ଵର ନୁହେଁ କଟକ, ସମ୍ଵଲପୁର, ରାଉରକେଲା ସମେତ ଅନେକ ସହରମାନଙ୍କରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।

କରୋନା ପାଇଁ ଜନତା କର୍ଫ୍ୟୁ ପାଳିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ଵାନ କରିଥିଲେ। ଏହି କର୍ଫ୍ୟୁ ସକାଳ ୭ଟାରୁ ରାତି ୯ଟା ଯାଏଁ ଚାଲିବ। ଲୋକମାନଙ୍କୁ ଘରୁ ନବାହାରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ନିବେଦନ କରିଥିଲେ।

ଏହାସହ କରୋନା ପାଇଁ ଶନିବାର ରାଜ୍ୟ ସରକାର ମଧ୍ୟ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟର ୫ଟି ୮ଟା ଜିଲ୍ଲାକୁ ଲକ୍‌ ଡାଉନ ଘୋଷଣା କରାଯାଇଛି। ୨୨ ତାରିଖରୁ ୨୯ ତାରିଖ ଯାଏଁ ଏହି ଲକ୍‌ ଡାଉନ ବଳବତ୍ତର ରହିବ। ଏହାର ପ୍ରଭାବ ମଧ୍ୟ ଆଜିଠାରୁ ରାଜ୍ୟରେ ପଡ଼ିଛି।

ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ୩୦୦ରୁ ଅଧିକକୁ ବୃଦ୍ଧି ପାଇଛି। ଏହାକୁ ରୋକିବାକୁ ଗୋଟିଏ ଦିନ ଜନତା କର୍ଫ୍ୟୁ ପାଳିବାକୁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଅନୁରୋଧ କରିଥିଲେ। ଏହାସହ ସରକାର ଆହୁରି ଅନେକ ପଦକ୍ଷେପ ମଧ୍ୟ ନେଇଛନ୍ତି।

Comment