ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନାକୁ ହରାଇବା ପାଇଁ ଜି-ଜାନ୍‌ ଳଗାଇ ଦେଇଛନ୍ତି ରାଜ୍ୟ ସରକାର। ଅଧା ଓଡ଼ିଶାରେ ଲକ୍‌ଡାଉନ୍‌ ଘୋଷଣା କରି ସରକାର କରୋନା ମୁକାବିଲାରେ ଲାଗିପଡ଼ିଛନ୍ତି। ଯେଉଁ ଜିଲ୍ଲା ଏବଂ ସହର ‘ଲକ୍‌ଡାଉନ୍‌’ ଘୋଷଣା କରାଯାଇଛି ସେଠି ପୂରା ନାକାବନ୍ଦୀ ଅବସ୍ଥା ଦେଖିବାକୁ ମିଳିଛି। ପ୍ରମୁଖ ସହର କଟକ ଓ ଭୁବନେଶ୍ୱରରେ ନାକାବନ୍ଦୀ ଚିତ୍ର ସାମ୍ନାକୁ ଆସିଛି।

ଲକ୍‌ଡାଉନ୍‌ ଘୋଷଣା ହୋଇଥିବା ଜିଲ୍ଲା ଏବଂ ସହରରେ ଜରୁରୀ କାମ ଥିବା ଲୋକ ବାହାରକୁ ଆସି ପାରିବେ ବୋଲି ସରକାର କହିଥିଲେ। ହେଲେ ଚିତ୍ର କିନ୍ତୁ ଓଲଟା ଦେଖିବାକୁ ମିଳିଥିଲା। ରବିବାର ‘ଜନତା କର୍ଫ୍ୟୁ’ ଦିନ ରାଜରାସ୍ତା ଶୁନ୍‌ଶାନ୍‌ ହୋଇଯାଇଥିବା ବେଳେ ସୋମବାର ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା। ଏଥିପାଇଁ ପୋଲିସକୁ ନାକାବନ୍ଦୀ କରିବାକୁ ପଡ଼ିଥିଲା।

ଭୁବନେଶ୍ୱରର ପ୍ରମୁଖ ନାଲ୍‌କୋ ଛକ, ଜୟଦେବ ବିହାର, ଅଚାର୍ଯ୍ୟ ବିହାର, ବାଣୀବିହାର, ରସୁଲଗଡ଼, ଏଜି ଛକ ଭଳି ସ୍ଥାନରେ ପୋଲିସ ନାକାବନ୍ଦୀ ବ୍ୟବସ୍ଥା କରିଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ବ୍ୟାରିକେଡ୍‌ ବ୍ୟବସ୍ଥା କରି ରାସ୍ତା ସିଲ୍‌ କରିଥିଲା। ଯେଉଁ ଗାଡ଼ି ଚାଳକ ଆସୁଥିଲେ ସେମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରୁଥିଲେ ପୋଲିସ କର୍ମଚାରୀ।

କୁଆଡ଼େ ଯାଉଛ ଏବଂ କ’ଣ ପାଇଁ ଯାଉଛି ବୋଲି ପୋଲିସ ପଚାରିଥିଲା। ଜରୁରୀ କାମରେ ଆସିଥିବା ଲୋକଙ୍କୁ ପୋଲିସ ଛାଡ଼ିଥିବା ବେଳେ ଯେଉଁମାନେ ଜରୁରୀ କାମରେ ଆସି ନଥିଲେ ସେମାନଙ୍କୁ ଛାଡ଼ି ନଥିଲା। ବାହାରକୁ ନବାହାରିବା ପାଇଁ ପରାମର୍ଶ ଦେଇ ଘରକୁ ଫେରାଇ ଦେଇଥିଲେ ପୋଲିସ କର୍ମଚାରୀ।

କଟକରେ ମଧ୍ୟ ସମାନ ଅବସ୍ଥା। ଜନତା କର୍ଫ୍ୟୁ ବେଳେ ଖାଁ ଖାଁ ଥିବା କଟକ ରାସ୍ତାରେ ଆଜି ଭିଡ଼ ପରିଲକ୍ଷିତ ହୋଇଥିଲା। ଲିଙ୍କ୍‌ ରୋଡ୍‌, ବାଦାମବାଡ଼ି, ସତି ଚଉରା, ଚହଟା, କ୍ୟାଣ୍ଟନମେଣ୍ଟ, ବଜ୍ରକବାଟୀ, ରାଣୀହାଟ ଆଦି ଅଞ୍ଚଳରେ ପୋଲିସ ନାକାବାନ୍ଦୀ କରିଥିଲା। ଯେଉଁ ବାଇବ୍‌ ଆରୋହୀ ଆସୁଥିଲେ ସେମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରୁଥିଲେ। ଜରୁରୀ କାମଥିଲେ ଛାଡୁଥିଲେ ନାହିଁ ତ ବିଦା କରି ଦେଉଥିଲେ।

ଲକ୍‌ଡାଉନ୍‌ ବେଳେ ଲୋକଙ୍କ ଭିଡ଼ ବଢ଼ିବାରୁ ପୋଲିସ କମିସନର ଡକ୍ଟ ସୁଧାଂଶୁ ଷଡ଼ଙ୍ଗୀ ନୂଆ ପଦକ୍ଷେପ ନେଇଛନ୍ତି। ଯେଉଁମାନଙ୍କର ଜରୁରୀ କାମ ଅଛି ସେମାନେ କମିସନର ଅଫିସରୁ ପାସ୍‌ ନେବାକୁ ସେ ପରାମର୍ଶ ଦେଇଛନ୍ତି। ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ପାସ୍‌ ସଂଗ୍ରହ କରିବାକୁ କମିସନର ପରାମର୍ଶ ଦେଇଛନ୍ତି। ଯେର୍ଉମାନେ ପାସ୍‌ ନେଇ ନଥିବେ ସେମାନେ ଟୁଇନ ସିଟିରେ ଗାଡ଼ି ଚଲାଇ ପାରିବେ ନାହିଁ ବୋଲି କମିସନର ସ୍ପଷ୍ଟ ଭାବେ କହିଛନ୍ତି।

ଏପଟେ ରାଜ୍ୟ ସରକାର ଲକ୍‌ଡାଉନ୍‌ ଜିଲ୍ଲା ସଂଖ୍ୟା ବଢ଼ାଇଛନ୍ତି। ଗତ ଦୁଇ ଦିନ ତଳେ ୫ ଜିଲ୍ଲା ଏବଂ ୮ ସହରକୁ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ହେଲେ ମଙ୍ଗଳବାରଠୁ ୧୪ ଜିଲ୍ଲାରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହିସବୁ ଜିଲ୍ଲାରେ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ।

ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଏବଂ ଝାରସୁଗୁଡ଼ା, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଅନୁଗୁଳ, ଗଞ୍ଜାମ ଜିଲ୍ଲା ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏସବୁ ଜିଲ୍ଲାରେ କଡ଼ା ଚେକିଂ କରିବ ପୋଲିସ।

Comment