ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

  • ସୁନ୍ଦରଗଡ଼ର ୧୭ ବ୍ଲକ ଏବଂ ବିଭିନ୍ନ ପୌରାଞ୍ଚଳରେ କରୋନା ପାଇଁ ଜୋରଦାର ପ୍ରସ୍ତୁତି
  • ସୁନ୍ଦରଗଡ଼ରେ ୪ ଶହରୁ ଅଧିକ ହଷ୍ଟେଲ ବନ୍ଦ
  • ୪୮ ହଜାର ୨୬୩ ପିଲାଙ୍କୁ ପଠାଗଲା ଘରକୁ
  • ହିତାଧିକାରୀଙ୍କୁ ଆଗୁଆ ତିନି ମାସର ଭତ୍ତା ଦେଉଛି ପ୍ରଶାସନ
  • ସବୁ ପଞ୍ଚାୟତ ଅଫିସରେ ପହଞ୍ଚିଛି ପିଡିଏସ୍‌ ସାମଗ୍ରୀ
  • ସାମାଜିକ ଦୂରତା ରକ୍ଷା ପାଇଁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ଅପିଲ

ସୁନ୍ଦରଗଡ଼ ଜିଲ୍ଲାରେ କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ବ୍ୟାପକ ପଦକ୍ଷେପ ନେଇଛି। ଲକ୍‌ଡାଉନ୍‌କୁ ସଫଳ କରିବା ଏବଂ ବିଶେଷକରି ସାମାଜିକ ଦୂରତା କିପରି ରକ୍ଷା କରାଯାଇ ପାରିବ ସେ ଉପରେ ପ୍ରଶାସନ ଅଧିକ ଗୁରୁତ୍ୱ ଦେଉଥିବା ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଯେଉଁ ଗାଇଲାଇନ୍‌ ଜାରି କରିଛନ୍ତି ତାକୁ ସୂଚାରୁରୂପେ ଜିଲ୍ଲା ପ୍ରଶାସନ ତୁଲାଉଥିବା ଜିଲ୍ଲାପାଳ କହିଛନ୍ତି।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ହଷ୍ଟେଲ ବନ୍ଦ ରହିଛି। ଜିଲ୍ଲାରେ ପ୍ରାୟ ୪ ହଜାରରୁ ଅଧିକ ହଷ୍ଟେଲର ୪୮ ହଜାର ୨୬୩ ପିଲାଙ୍କୁ ନିଜ ନିଜ ଘରକୁ ପଠାଇ ଦିଆଯାଇଛି।

ସେହିପରି ଜିଲ୍ଲାର ୧୭ଟି ବ୍ଲକ ଏବଂ ବିଭିନ୍ନ ପୌରାଞ୍ଚଳରେ ଆଗୁଆ ତିନି ମାସର ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବିଧବା, ବାର୍ଦ୍ଧକ୍ୟ ଓ ଦିବ୍ୟାଙ୍ଗମାନଙ୍କୁ ଆଗୁଆ ତିନି ମାସର ଭତ୍ତା ଦେବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ସେହିପରି ପିଡିଏସ୍‌ ସାମଗ୍ରୀ ମଧ୍ୟ ଜିଲ୍ଲାରେ ହିତାଧିକାରୀମାନଙ୍କୁ ବଣ୍ଟନ ଆରମ୍ଭ ହୋଇଥିବା ଜିଲ୍ଲାପାଳ କହିଛନ୍ତି।

‘‘ସବୁ ପଞ୍ଚାୟତରେ ପିଡିଏସ୍‌ ସାମଗ୍ରୀ ପହଞ୍ଚି ସାରିଛି। ଲୋକମାନଙ୍କୁ ଦିନେ ଦୁଇ ଦିନ ଭିତରେ ବଣ୍ଟନ କରାଯିବ। ସେହିପରି କଳାବାଜରୀ ରୋକିବା ପାଇଁ ପ୍ରଶାସନ ପଦକ୍ଷେପ ନେଇଛି। ସବୁଠି ଦରର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଲୋକମାନେ ଆବଶ୍ୟକଠାରୁ ଅଧିକ ସାମଗ୍ରୀ ଘରକୁ ନଅନ୍ତୁନି। ଜିଲ୍ଲାରେ ସାମଗ୍ରୀ ମହଜୁଦ ରହିଛି’’, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ସୁନ୍ଦରଗଡ଼ ଜିଲ୍ଲାର ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ମୁକାବିଲା ପାଇଁ ଆଇସୋଲେସନ ବେଡ୍‌ର ବ୍ୟବସ୍ଥା କରାଯାଇଛି। ଏହିସବୁ ସ୍ୱାସ୍ଥ୍ୟକେନ୍ଦ୍ରରେ ୫୦ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି। ସେହିପରି ପ୍ରତି ପଞ୍ଚାୟତରେ ୪୦ଟି ଶଯ୍ୟା ବିଶିଷ୍ଟ ଆଇସୋଲେସନ ୱାର୍ଡର ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ କହିଛନ୍ତି। ରାଉରକେଲା ଏବଂ ସୁନ୍ଦରଗଡ଼ ଡାକ୍ତରଖାନାରେ ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡ ରହିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ବେଡ୍‌ ସଂଖ୍ୟା ବଢ଼ାଯିବ।

କରୋନା ମୁକାବିଲା ପାଇଁ ବିଧାୟକ, ସାଂସଦ ଏବଂ ଡିଏମ୍‌ଏଫ୍‌ ପାଣ୍ଠିରୁ ଅର୍ଥିକ ସହଯୋଗ ଆସିଛି। ଏହାସହ ଏସ୍‌ଡିଆର୍‌ଏଫ୍‌ ପାଣ୍ଠିରୁ ରାଜ୍ୟ ସରକାର ସୁନ୍ଦରଗଡ଼ ଜିଲ୍ଲାକୁ ୮.୫ କୋଟି ଟଙ୍କା ଦେଇଛନ୍ତି। ଏହି ଅର୍ଥରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତି ଚାଲିଛି।

ରାଜ୍ୟ ବାହାରେ ସୁନ୍ଦରଗଡ଼ ଜିଲ୍ଲାରୁ ଯେଉଁମାନେ ଅଛନ୍ତି ସେମାନଙ୍କ ସହ ଯୋଗାଯୋଗରେ ଅଛନ୍ତି ରାଜ୍ୟ ସରକାର। ଏହାସହ ସୁନ୍ଦରଗଡ଼ ଜିଲ୍ଲାରେ ଯେଉଁମାନେ ରାଜ୍ୟ ବାହାରୁ ଆସି ବିଭିନ୍ନ ନିର୍ମାଣ କାର୍ଯ୍ୟ କରୁଥିଲେ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ସେମାନଙ୍କ ରହିବା ଖାଇବାର ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଇଛି। କିଛି ସାମାଜିକ ସଙ୍ଗଠନ ମଧ୍ୟ ଏଦିଗରେ ସହଯୋଗ କରୁଛନ୍ତି। ଏଥିରେ ସାମାଜିକ ଦୂରତା ରକ୍ଷା କରାଯାଉଛି।

ବିଭିନ୍ନ ଗ୍ରୋସରୀ ଏବଂ ପରିବା ଦୋକାନ ଆଗରେ ସାମାଜିକ ଦୂରତା କିପରି ରକ୍ଷା କରାଯାଇ ପାରିବ ସେଥିପ୍ରତି ପ୍ରଶାସନ ସଚେତନ କରିଛି। ଗ୍ରୋସରୀ ଦୋକାନ ଆଗରେ ଯେଉଁମାନେ ସାମଗ୍ରୀ ପାଇଁ ଗହଳି ଲଗାଉଛନ୍ତି ସେମାନଙ୍କୁ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଇଥିବା ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି।

Comment