ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମାର୍ଚ୍ଚ ୩୦ରେ ହେବ ବ୍ୟୟ ମଞ୍ଜୁରୀ ବିଲ୍‌ ପାସ୍‌
  • ଲୋକସେବା ଭବନ କନଭେନସନ ହଲ୍‌ରେ ଚାଲିବ ବିଧାନସଭା
  • ଆସିବେ ୩୦ ପ୍ରତିଶତ ବିଧାୟକ
  • ୨ ମିଟର ଦୂରତାରେ ବସିବେ ବିଧାୟକ

ଓଡ଼ିଶାରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ସବୁଠି ଚିନ୍ତା ଘାରିଛି। ରାଜ୍ୟ ସରକାର ସମୁହ ସଂକ୍ରମଣ ହେବା ନେଇ ଆଶଙ୍କା କରୁଛନ୍ତି। ଏଭଳି ସ୍ଥିତିରେ ବିଧାନସଭା ଅଧିବେଶନ ଲୋକସେବା ଭବନର କନଭେନସନ ହଲ୍‌ରେ ଚାଲିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।

କରୋନା ସଂକ୍ରମଣକୁ ଦୂରେଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। କନଭେନସନ୍‌ ହଲରେ ଚାଲିବାକୁ ଥିବା ଅଧିବେଶନରେ କେବଳ ୩୦ ପ୍ରତିଶତ ବିଧାୟକମାନେ ଆସିବାକୁ ବାଚସ୍ପତି ସବୁ ଦଳର ନେତାମାନଙ୍କୁ ଅନୁରୋଧ କରିଛନ୍ତି। ଏହାସହ ବିଧାୟକମାନେ କନଭେନସନ୍‌ ହଲ୍‌ରେ ୨ ମିଟର ଦୂରତାରେ ବସିବେ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି।

ଆସନ୍ତା ୩୦ ତାରିଖରେ ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍‌ ପାସ୍‌ ହେବ। ଏଥିପାଇଁ ବିଧାନସଭାର ଅଧିବେଶନ ବସିବ। ଏହିଦିନ ଯେଉଁ ବିଧାୟକମାନେ ଆସିବେ ସେମାନଙ୍କୁ ରାସ୍ତାରେ ନଅଟକାଇବା ପାଇଁ ସବୁ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ଅପିଲ୍‌ କରିଛନ୍ତି ବାଚସ୍ପତି।

ତୃତୀୟ କରୋନା ଆକ୍ରାନ୍ତ ମାର୍ଚ୍ଚ ୧୬ରେ ବିଧାନସଭାର ଡିସ୍‌ପେନସରୀକୁ ଯାଇଥିଲେ। ଏଣୁ ତାଙ୍କ ସଂସ୍ପର୍ଶରେ ବିଧାନସଭାର ଜଣେ କର୍ମଚାରୀ ଆସିଥିବା କୁହାଯାଉଛି। ସେ କର୍ମଚାରୀଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି। ଏଣୁ ବିଧାନସଭା ଅଧିବେଶନ ୩୦ ତାରିଖରେ ଲୋକସେବା ଭବନର କନଭେନସନ୍‌ ହଲ୍‌ରେ ବସିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି।

ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ ଚାଲିଥିଲା। ଏହି ସମୟରେ କରୋନା ଆତଙ୍କ ଖେଳିବାରୁ ବିଧାନସଭାକୁ ବନ୍ଦ କରିଥିଲେ ବାଚସ୍ପତି।

Comment