ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଓଡ଼ିଶାରେ ଗୁରୁବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଭୁବନେଶ୍ୱରର ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ବୋଲି ସ୍ୱାସ୍ଥ୍ୟ ବିଭାଗ ଗୁରୁବାର ସ୍ପଷ୍ଟ କରିଛି। ତେବେ ଏହି ବ୍ୟକ୍ତିଜଣକ କିଭଳି ଭାବେ କରୋନାରେ ଆକ୍ରାନ୍ତ ହୋଇଥାଇପାରନ୍ତି ଏବଂ ଏହି ଅଳ୍ପ ଦିନ ମଧ୍ୟରେ ସେ କେଉଁ କେଉଁ ସ୍ଥାନକୁ ଯାଇଥିଲେ ସେ ନେଇ ରାଜ୍ୟ ସରକାର ଆଜି ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି।

ଓଡ଼ିଶାରେ ଚିହ୍ନଟ ହୋଇଥିବା ଏହି ତୃତୀୟ କରୋନା ରୋଗୀ ଜଣକ ମାର୍ଚ୍ଚ ୭ ତାରିଖରେ ଦିଲ୍ଲୀ ଯାଇଥିଲେ। ତାଙ୍କ ସ୍ତ୍ରୀ, ଝିଅ ଓ ସେ ତିନିଜଣ କୌଣସି କାମରେ ଦିଲ୍ଲୀ ଯାଇଥିଲେ। ଏଥିସହିତ ସେଠାରୁ ସେ ହରିୟାଣାର ରେୱାଡିକୁ ମଧ୍ୟ ଯାଇଥିଲେ। ତେଣୁ ସେ ସେହି ସ୍ଥାନରୁ ସେ କରୋନାରେ ଆକ୍ରାନ୍ତ ହୋଇଥାଇପାରନ୍ତି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ଏହାପରେ ସେମାନେ ୧୦ ମାର୍ଚ୍ଚରେ ଇଣ୍ଡିଗୋ ‘୬ଇ୨୦୧୪’ ବିମାନ ଯୋଗେ ଓଡ଼ିଶା ଫେରିଥିଲେ। ସିଟ୍ ନମ୍ବର ୧୫ ଏ, ବି ଓ ସିରେ ବସି ସେମାନେ ଓଡ଼ିଶା ଫେରିଥିଲେ। ତେଣୁ ଏହି ବିମାନରେ ସେଦିନ ଓଡ଼ିଶା ଫେରିଥିବା ଲୋକମାନେ ନିଜକୁ ହୋମ୍ କ୍ୱାରେଣ୍ଟାଇନରେ ରଖିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।

ଏହାପରେ ସେହି ବ୍ୟକ୍ତିଜଣକ ମାର୍ଚ୍ଚ ୧୩ ତାରିଖ ବେଳକୁ ଅସୁସ୍ଥତା ଅନୁଭବ କରିଥିଲେ। ପ୍ରାଥମିକ ଅବସ୍ଥାରେ ମାର୍ଚ୍ଚ ୧୬ ତାରିଖରେ ସେ ଓଡିଶା ବିଧାନସଭାର ଔଷଧାଳୟକୁ ଆସି କିଛି ଔଷଧ ନେଇଥିଲେ। ପରେ ପରେ ସେ ଭୁବନେଶ୍ୱରର କର କ୍ଲିନିକକୁ ଯାଇ ସେଠାରେ ଓପିଡିରେ ଦେଖା କରିବା ସହିତ ସେଠାରେ ନିଜର ନିମୋନିଆ ପରୀକ୍ଷା କରିଥିଲେ। ହେଲେ ସେଠାରୁ ସେ ମାର୍ଚ୍ଚ ୨୪ରେ ଡିସଚାର୍ଜ ହୋଇଯାଇଥିଲେ।

ଏହାପରେ ସେହି ବ୍ୟକ୍ତିଜଣକ ମାର୍ଚ୍ଚ ୨୫ ତାରିଖରେ ଭୁବନେଶ୍ୱର କ୍ୟାପିଟାଲ୍ ଆସିଥିଲେ। ସେଠାରେ ତାଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ଗୁରୁବାର ତାଙ୍କର ରିପୋର୍ଟ ଆସିବା ପରେ ସେ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଏହାପରେ ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଥିବାବେଳେ ତାଙ୍କର ସ୍ତ୍ରୀ ଓ ଝିଅଙ୍କୁ ମଧ୍ୟ ଆଇସୋଲେସନରେ ରଖାଯାଇଛି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ଏଥିସହିତ ରାଜ୍ୟ ସରକାରଙ୍କ ତରଫରୁ ଅନୁରୋଧ କରାଯାଇଛି ଯେ, ଯଦି କୌଣସି ବ୍ୟକ୍ତି ଏହି ସମୟରେ ସେହି ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି ତେବେ ସେମାନେ ନିଜକୁ ହୋମ୍ ଆଇସୋଲେସନରେ ରଖନ୍ତୁ। ନିଜକୁ ସୁରକ୍ଷିତ ରଖିବା ସହିତ ଯଦି କୌଣସି ସୂଚନା ଜାଣିବାକୁ ଚାହୁଁଛନ୍ତି ତେବେ ହେଲ୍ପଲାଇନ୍ ନମ୍ବର ୧୦୪ ଡାଏଲ୍ କରିବାକୁ କୁହାଯାଇଛି।

Comment