ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମୁକାବିଲା ପାଇଁ ଓଡ଼ିଶା ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଅନ୍ୟ ରାଜ୍ୟରୁ ଯେଉଁ ଲୋକମାନେ ଓଡ଼ିଶାକୁ ଫେରୁଛନ୍ତି ସେମାନଙ୍କୁ ସୀମାନ୍ତରେ ଅଟକାଇବାକୁ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି କୁମାରୀ ସଞ୍ଜୁ ପଣ୍ଡା ଏବଂ ଜଷ୍ଟିସ୍‌ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସୀମାନ୍ତବର୍ତ୍ତି ଜିଲ୍ଲାର ଜିଲ୍ଲାପାଳ ଏବଂ ଏସ୍‌ପିମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ବାହାର ରାଜ୍ୟରୁ ଫେରୁଥିବା ଲୋକମାନଙ୍କ ପାଇଁ ସମୀନ୍ତରେ ରହିବା ଖାଇବା ବ୍ୟବସ୍ଥା କରିବାକୁ ହାଇକୋର୍ଟ କହିଛନ୍ତି। ବନ୍ଦ ଥିବା ସ୍କୁଲ ଓ କଲେଜ କୋଠାରେ ଏମାନଙ୍କର ରହିବା ବ୍ୟବସ୍ଥା କରିବା ସହ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ଭିତରେ କରୋନା ସଂକ୍ରମଣ ଯେପରି ନବ୍ୟାପେ ସେଥିପ୍ରତି ସୀମାନ୍ତବର୍ତ୍ତି ଜିଲ୍ଲାପାଳ ଓ ଏସ୍‌ପିମାନେ କଡ଼ା ନଜର ରଖିବାକୁ ହାଇକୋର୍ଟ କହିଛନ୍ତି।

କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ଲକ୍‌ଡାଉନ୍‌ ଯୋଗୁଁ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଟ୍ରେନ୍‌ ଓ ବସ୍‌ ଚଳାଚଳ ବାତିଲ ହୋଇଛି।

ଓଡ଼ିଶାରୁ ଯେଉଁ ଲୋକମାନେ ଅନ୍ୟ ରାଜ୍ୟ କାମ କରୁଥିଲେ ସେମାନେ ଏବେ ଲକ୍‌ଡାଉନ୍‌ ଯୋଗୁଁ ରୋଜଗାର ହରାଇଛନ୍ତି। ଫଳରେ ବହୁ ସଂଖ୍ୟାରେ ଲୋକ ଏବେ ଓଡ଼ିଶାକୁ ଫେରୁଛନ୍ତି। କରୋନା ଭାଇରସ୍‌ର ଭୟାବହତାକୁ ହାଇକୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି।

ଏପଟେ କେନ୍ଦ୍ର ସରକାର ମଧ୍ୟ ଲକ୍‌ଡାଉନ୍‌କୁ ଆହୁରି କଡ଼ାକଡ଼ି ପାଳନ କରିବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସହର ଭିତରେ ଯାଇଥିବା ରାଜ୍ୟ ରାଜପଥକୁ ସିଲ୍ କରିବା ସହ ଜିଲ୍ଲାରୁ ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତା ସିଳ୍‌ କରିବାକୁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି।

Comment