ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଆପଣ ପରିବା କିଣିବା ପାଇଁ ବାଇକ୍ ଧରି ଘରୁ ବାହାରୁଛନ୍ତି କି? ତେବେ ଆଗୁଆ ସାବଧାନ୍ ହୋଇଯାଆନ୍ତୁ। କାରଣ ଲକଡାଉନ୍ ସମୟରେ ବାଇକ୍ ନେଇ ପରିବା କିଣିବା ଉପରେ ରୋକ୍ ଲଗାଇଛି ପୋଲିସ୍।

ଯଦି କୌଣସି ଗାଡ଼ିଚାଳକ ବାଇକ୍ ଧରି ପରିବା କିଣିବାକୁ ଯାଉଛନ୍ତି ତେବେ ତାଙ୍କ ବିରୋଧରେ ମାମଲା ରୁଜୁ ହେବ। ଏଥିସହିତ ତାଙ୍କର ଗାଡ଼ି ମଧ୍ୟ ସିଜ୍ କରିବାକୁ ପୋଲିସ୍ ନିର୍ଦ୍ଦେଶ ଜାରି କରିଛି।

ଲୋକମାନେ କେବଳ ସେମାନଙ୍କର ନିକଟସ୍ଥ ଅଞ୍ଚଳରେ ବିକ୍ରି ହେଉଥିବା ପରିବା କିଣନ୍ତୁ। ଯେଭଳି ସେମାନେ ସେଠାକୁ ଚାଲିଚାଲି ଯାଇପାରିବେ। କୌଣସି ପରିସ୍ଥିତିରେ ମଧ୍ୟ ବାଇକ୍ ଧରି ଘରୁ ବାହାରନ୍ତୁ ନାହିଁ ବୋଲି ପୋଲିସ୍ ଲୋକମାନଙ୍କୁ ସୂଚନା ଦେଇଛି।

ଲକଡାଉନ୍ ସମୟରେ ଅଧିକାଂଶ ଲୋକ ନିୟମ ଭାଙ୍ଗୁଥିବା ଦେଖିବାକୁ ମିଳୁଛି। ପରିବା କିଣିବାକୁ ଯାଉଛନ୍ତି କହି ଲୋକମାନେ ପୋଲିସ୍ ସହ  ଲୁଚକାଳି ଖେଳ ଖେଳୁଛନ୍ତି। ତେଣୁ ପୋଲିସ୍ ପକ୍ଷରୁ ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି। ଅନ୍ୟପଟେ ବଜାରମାନଙ୍କରେ ମଧ୍ୟ ସାମାଜିକ ଦୂରତ୍ୱ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବ୍ୟବସାୟୀମାନେ ପରସ୍ପରଠାରୁ ୧୦ମିଟର ଦୂରରେ ବସିବା ସହ ଲୋକମାନେ ପରସ୍ପରଠାରୁ ଏକ ମିଟର ଦୂରରେ ରହି ପରିବା କିଣିବେ ବୋଲି ପୋଲିସ୍ କହିଛି।

Comment