ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ବଲିଉଡରେ କରୋନାର ପ୍ରଭାବ ପଡ଼ିଛି। ଅନେକ ଫିଲ୍ମ ରିଲିଜ ହୋଇନଥିଲେ ସୁଦ୍ଧା ଏଥିପାଇଁ କ୍ଷତି ସହିବେ।

କରୋନା ଯୋଗୁଁ ବଲିଉଡକୁ ମଧ୍ୟ ବହୁ କ୍ଷତି ସହିବାକୁ ପଡ଼ିଛି। କରୋନା ସଂକ୍ରମଣ ଆଶଙ୍କାରେ ସାରା ଦେଶରେ ଲକ୍‌ଡାଉନ ଘୋଷଣା ହୋଇଛି। ସମସ୍ତ ପକ୍ରାର ସୁଟିଂ ଓ ଫିଲ୍ମ ରିଲିଜ୍ ଉପରେ କଟକଣା ଜାରି ହୋଇଛି। ଫଳରେ ବଲିଉଡରେ ରିଲିଜ୍ ହୋଇନଥିବା ଅନେକ ଫିଲ୍ମକୁ ଏବେ କ୍ଷତି ସହିବାକୁ ପଡ଼ିବ।

ସାରା ବିଶ୍ଵରେ କରୋନା ଭାଇରସ କାୟା ବିସ୍ତାର କରିବାରେ ଲାଗିଛି। ଏଥିରୁ ଭାରତ ମଧ୍ୟ ବର୍ତ୍ତି ପାରିନାହିଁ। ଫିଲ୍ମ ବିଶେଷଜ୍ଞଙ୍କ ମୁତାବକ ଫେବ୍ରୁଆରି ମାସରୁ ହିଁ ବଲିଉଡରେ କରୋନା ପ୍ରଭାବ ଦେଖିବାକୁ ମିଳିଥିଲା। ଫେବ୍ରୁଆରି ମାସରେ କେତେକ ଫିଲ୍ମ ୱାର୍ଲ୍ଡ ୱାଇଡ୍ ରିଲିଜ୍ ହୋଇଥିଲେ ସୁଦ୍ଧା କରୋନା ସଂକ୍ରମଣ ଯୋଗୁଁ ଏହି ଫିଲ୍ମଗୁଡ଼ିକ ଦେଶ ବାହାରେ ସେତେଟା ଭଲ ବ୍ୟବସାୟ କରି ପାରିନଥିଲା। ଶୁଭ ମଙ୍ଗଳ ଜ୍ୟାଦା ସାବଧାନ, ମଲଙ୍ଗ, ଲଭ ଆଜ କଲ୍ ଓ ଥାପ୍ପଡ ଭଳି ଫିଲ୍ମ ଏହି ତାଲିକାରେ ରହିଛନ୍ତି।

ସେହିଭଳି କେତେକ ଫିଲ୍ମ ମାର୍ଚ୍ଚ ମାସ ପହିଲାରେ ରିଲିଜ ହୋଇଥିଲା। ତେବେ କରୋନା ଯୋଗୁଁ ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ ଘୋଷଣା ହୋଇଥିଲା। ଫଳରେ ସେହି ରାଜ୍ୟଗୁଡ଼ିକରେ ଫିଲ୍ମଗୁଡ଼ିକ ରିଲିଜ୍ ହୋଇପାରିନଥିଲା। ସେହି ଫିଲ୍ମଗୁଡ଼ିକ ପୁନଃ ରିଲିଜ୍ କରିବାକୁ ଯୋଜନା କରିଛନ୍ତି ଫିଲ୍ମର ନିର୍ଦ୍ଦେଶକ ଓ ପ୍ରୋଯୋଜକ।

ଫିଲ୍ମ ଇନସ୍ୟୁରାନ୍ସ ପଲିସି ନିୟମ

ଏହାଛଡ଼ା କରୋନା ଯୋଗୁଁ ଅକ୍ଷୟ କୁମାରଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ରଣବିର ସିଂହଙ୍କ ‘୮୩’ ଫିଲ୍ମକୁ ଅଧିକ କ୍ଷତି ସହିବାକୁ ପଡ଼ିପାରେ। ଫିଲ୍ମ ଇନସ୍ୟୁରାନ୍ସ ପଲିସି ଅନୁଯାୟୀ ଯେଉଁ ଫିଲ୍ମଗୁଡ଼ିକ ରିଲିଜ ହୋଇନାହିଁ ବା ସିନେମା ହଲରେ ପ୍ରଦର୍ଶିତ ହୋଇନାହିଁ ସେହି ଫିଲ୍ମଗୁଡ଼କ ପାଇଁ ଇନସ୍ୟୁରାନ୍ସ କମ୍ପାନି କୌଣସି କ୍ଷତିପୂରଣ ଦେବେ ନାହିଁ। ମାର୍ଚ୍ଚ ୨୪ତାରିଖରେ ‘ସୂର୍ଯ୍ୟବଂଶୀ’ ଫିଲ୍ମ ରିଲିଜ୍ ହେବାକୁ ଥିଲା। ତେବେ କୋରନା ଭାଇରସ ସଂକ୍ରମଣ ଯୋଗୁଁ ସାରା ଦେଶକୁ ଲକ୍‌ଡାଉନ ଘୋଷଣା କରାଯାଇଥିଲା। ଫଳରେ ଫିଲ୍ମ ରିଲିଜ୍ ତାରିଖକୁ ଘୁଞ୍ଚାଇବାକୁ ପଡ଼ିଥିଲା। ଏନେଇ ଫିଲ୍ମକୁ ଯାହା ବି କ୍ଷତି ହେବ ତାହାର ଭରଣା ହୋଇ ପାରିବ ନାହିଁ।

ଏହି ଫିଲ୍ମ କ୍ଷତି ସହିବ

ଏହି ଦୁଇଟି ଫିଲ୍ମ ବ୍ୟତୀତ ଆହୁରି ବହୁ ବଲିଉଡ ଫିଲ୍ମ କୋରନା ଯୋଗୁଁ କ୍ଷତି ସହିବେ। ସେହି ଫିଲ୍ମଗୁଡ଼ିକ ହେଉଛି କୁଲି ନଂ ୧, ରାଧେ – ଦ ମୋଷ୍ଟ ଓ୍ଵାଣ୍ଟେଡ୍ ଭାଇ, ଲକ୍ଷ୍ମୀ ବମ୍, ମୁମ୍ବାଇ ସାଗା, ଥାଲାଭି, ଶେର୍ ଶାହା, ସଡ଼କ-୨, ରଣବୀର କପୁରଙ୍କ ଶମ୍‌ଶେରା ଓ କାର୍ତ୍ତିକ ଆରିୟାନଙ୍କ ଭୁଲ ଭୁଲେୟାଁ – ୨। ଏହି ଫିଲ୍ମଗୁଡ଼ିକ ମାର୍ଚ୍ଚ ମାସରୁ ଏପ୍ରିଲ ମାସ ମଧ୍ୟରେ ରିଲିଜ୍ ହେବାକୁ ଥିଲା। ତେବେ ଲକ୍‌ଡାଉନ ଯୋଗୁଁ କେଉଁ ଫିଲ୍ମର ସୁଟିଂ ବନ୍ଦ ଅଛି ତ କେଉଁ ଫିଲ୍ମର ରିଲିଜ୍ ତାରିଖ ବାତିଲ କରି ଦିଆଯାଇଛି।

କରୋନା ଯୋଗୁଁ ସାରା ବିଶ୍ଵର ଅର୍ଥନୀତିରେ ପ୍ରଭାବ ପଡ଼ିଛି। ଏଥିରୁ ବଲିଉଡ ମଧ୍ୟ ବର୍ତ୍ତିପାରିନାହିଁ। କରୋନା ଯୋଗୁଁ ଭାରତର ଅର୍ଥନୀତି ତଳକୁ ଖସିଯିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।

ଭାରତରେ କରୋନା ଆକ୍ରାନ୍ତ ବଢ଼ିବାରେ ଲାଗିଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୧୩୯୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ମଧ୍ୟରୁ ୩୫ଜଣଙ୍କ ମୃତ୍ୟୁ ହୋଇଛି। ସମାଜିକ ଦୂରତା ରକ୍ଷା କରିବା ପାଇଁ ସାରା ଦେଶକୁ ଏପ୍ରିଲ ୧୪ତାରିଖ ଯାଏ ଲକ୍‌ଡାଉନ ଘୋଷଣା ହୋଇଛି।

Comment