ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଲକ୍‌ଡାଉନ ଯୋଗୁଁ ଭୋକ ଉପାସରେ ଦିନ କାଟୁଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଇନାୟତପୁର ଗ୍ରାମର ସବିତା ବରାଳ। ଅନ୍ୟମାନଙ୍କ ଘରେ କାମ କରି ପେଟ ପୋଷନ୍ତି ସବିତା। ତେବେ ଲକ୍‌ଡାଉନ ଯୋଗୁଁ ଏବେ ବାହାରକୁ କାମ କରିବାକୁ ଯାଇ ପାରୁନାହାନ୍ତି। ଫଳରେ ଏବେ ପରିବାର ପେଟ ପୋଷିବା କଷ୍ଟକର ହୋଇ ପଡ଼ିଛି।

ଦୁଇ ଜଣ ପୁଅକୁ ନେଇ ସବିତାଙ୍କ ପରିବାର। ଦୁଇ ବର୍ଷତଳେ ସ୍ଵାମୀଙ୍କ ମୃତ୍ୟୁ ପରେ ପର ଘରେ ମୂଲ ଲାଗି ଦୁଇ ପଇସା ରୋଜଗାର କରୁଥିଲେ। ଏବେ ତାହା ବି ବନ୍ଦ ହୋଇଗଲା। ଏବେ ଓଳିଏ ଖାଇଲେ ଓଳିଏ ଉପାସରେ ରହୁଛନ୍ତି ସବିତା ଓ ତାଙ୍କ ଦୁଇ ପୁଅ।

ଲକ୍‌ଡାଉନ ବେଳେ ନିରାଶ୍ରୟ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ତେବେ ସବିତାଙ୍କୁ ରନ୍ଧା ଖାଧ୍ୟ ମିଳୁନଥିବା ଅଭିଯୋଗ କରିଛନ୍ତି। ଏନେଇ ସ୍ଥାନୀଯ ଓ୍ଵାର୍ଡ ମେମ୍ବରଙ୍କୁ ଜଣାଇଲେ ସୁଦ୍ଧା କିଛି ଲାଭ ହୋଇ ନାହିଁ।

ଏନେଇ ସ୍ଥାନୀୟ ସରପଞ୍ଚ ଜୋସ୍ନାରାଣୀ ପରିଡ଼ା କହିଛନ୍ତି ଯେ, ଯେଉଁ ମାନଙ୍କୁ ରନ୍ଧା ଖାଦ୍ୟ ଦିଆଯିବ ସେମାନଙ୍କର ତାଲିକ ପ୍ରସ୍ତୁତ ହୋଇ ବ୍ଲକ୍ ପ୍ରାଶାସନକୁ ଦିଆଯାଇଛି। ସେଠାରୁ କୌଣସି ନିର୍ଦ୍ଦେଶ ଆସିନାହିଁ।

ଘଟଣାକୁ ଆମେ ଅସ୍ତରଙ୍ଗ ବିଡିଓ ବବିତା ମଞ୍ଜରୀଙ୍କୁ ଭେଟିଥିଲୁ। ସେ କହିଛନ୍ତି, “ଆମେ ସମସ୍ତ ହିତାଧିକାରୀଙ୍କୁ ଭତ୍ତା ଯୋଗାଇ ଦେଇଛୁ। ଯଥାଶୀଘ୍ର ସବିତାଙ୍କୁ ୩ ମାସ ପାଇଁ ପିଡିଏସ ସାମଗ୍ରୀ ଯୋଗାଇ ଦିଆଯିବ।”

ତେବେ ଦେଖିବାକୁ ବାକି ରହିଲା କେବେ ପ୍ରଶାସନର ନିଦ ଭାଙ୍ଗୁଛି ଓ କେବେ ସବିତା ବରାଳଙ୍କୁ ସହାୟତା ମିଳୁଛି।

Comment