ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

୨୦ ଦିନର ଲଢ଼େଇ ପରେ ଘରକୁ ଫେରିଲେ ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ।

ଭୁବନେଶ୍ୱରରୁ ଆସିଲା ଆଉ ଏକ ଖୁସି ଖବର। ଦ୍ୱିତୀୟ ଆକ୍ରାନ୍ତଙ୍କ ପରେ ଓଡ଼ିଶାର ପ୍ରଥମ କରୋନା ରୋଗୀ ସୁସ୍ଥ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଗତ ୨୪ ଘଣ୍ଟା ଭିତରେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ସେ କ୍ୟାପିଟାଲ ହସ୍ପିଟାଲରୁ ଘରକୁ ଫେରିଛନ୍ତି।

ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାର ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଭୁବନେଶ୍ୱରରେ ତାଙ୍କ ଘର। ସେ ଇଟାଲିରୁ ଫେରିବା ପରେ ରକ୍ତ ନମୁନା ଏବଂ ସ୍ୱାବ୍‌ ପରୀକ୍ଷା ହୋଇଥିଲା। ରିପୋର୍ଟ ତାଙ୍କର ପଜିଟିଭ୍‌ ଆସିଥିଲା। ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ରଖାଯାଇଥିଲା।

୨୦ ଦିନର ଲଢ଼େଇ ପରେ ସେ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍‌ କରି ସୂଚନା ଦେଇଛି।

ଗତକାଲି ଦ୍ୱିତୀୟ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଏମ୍‌ସରୁ ଘରକୁ ଫେରିଥିଲେ। ଦୁଇ ଦିନରେ ଦୁଇଟି ଭଲ ଖବର ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିଛି।

ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୫ଟି ରିପୋର୍ଟ ପଜିଟିଭ୍‌ ଆସିଥିଲା। ସେଥିରୁ ଦୁଇ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିବା ପରେ ଆଉ ୩ ଜଣ ଆଇସୋଲେସନରେ ଅଛନ୍ତି।

Comment