ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କରୋନା ମୁକାବିଲା ପାଇଁ ସରକାରଙ୍କ ପଦକ୍ଷେପ
  • ଭୁବନେଶ୍ୱର, କଟକ ପରେ ରାଉରକେଲାରେ ଖୋଲିଲା ସ୍ଵତନ୍ତ୍ର ହସ୍ପିଟାଲ
  • ହସ୍ପିଟାଲରେ ୨୦୦ ବେଡ୍‌, ଭେଣ୍ଟିଲେଟର ଓ ଆଇସିୟୁ ବ୍ୟବସ୍ଥା
  • ରୋଗୀଙ୍କୁ ମାଗଣାରେ ମିଳିବ ଚିକିତ୍ସା ସୁବିଧା

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆଉ ଏକ ସ୍ୱତନ୍ତ୍ର ହସ୍ପିଟାଲ ଲୋକାର୍ପଣ କରିଛନ୍ତି। ରାଉରକେଲାସ୍ଥିତ ହାଇଟେକ୍‌ ମେଡିକାଲ କ୍ୟାମ୍ପସରେ ରାଜ୍ୟର ତୃତୀୟ କୋଭିଡ୍‌-୧୯ ହସ୍ପିଟାଲ ଜନସାଧାରଣଙ୍କ ପାଇଁ ଲୋକାର୍ପିତ ହୋଇଛି।

ଏହି ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲରେ ୨୦୦ ବେଡ୍‌ ରହିଥିବା ବେଳେ ଆଇସୋଲେସନ ୱାର୍ଡ, ଭେଣ୍ଟିଲେଟର ଏବଂ ଆଇସିୟୁ ବ୍ୟବସ୍ଥା ରହିଛି।

ଏହି ହସ୍ପିଟାଲରେ ମାଗଣାରେ ରୋଗୀମାନଙ୍କ ପାଇଁ ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଛି। ଏହାସହ ମାଗଣାରେ ମଧ୍ୟ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଏହି ହସ୍ପିଟାଲ ପରିଚାଳନା ପାଇଁ ଆବଶ୍ୟକୀୟ ଉପକରଣ ଏବଂ କର୍ମଚାରୀ ବାବଦରେ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌) ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

କୋଭିଡ୍‌-୧୯ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ହସ୍ପିଟାଲ ପରିଚାଳନା କର୍ତ୍ତୃପକ୍ଷ ଟ୍ରୋଲ ଫ୍ରି ନମ୍ବର ୧୮୦୦ ୩୪୫ ୭୧୦୬ ଜାରି କରିଛନ୍ତି।

ଗତ କିଛିଦିନ ତଳେ ରାଜ୍ୟ ସରକାର ଭୁବନେଶ୍ୱରସ୍ଥିତ କିମ୍‌ସରେ ୫୦୦ ଶଯ୍ୟା ଏବଂ କଟକ ଅଶ୍ୱିନୀ ହସ୍ପିଟାଲରେ ୧୫୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍‌-୧୯ ହସ୍ପିଟାଲ ଉନ୍ମୋଚନ କରିଥିଲେ। ସମ୍‌ ହସ୍ପିଟାଲରେ ମଧ୍ୟ ୫୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ହସ୍ପିଟାଲ ପାଇଁ ପ୍ରସ୍ତୁତି ଚାଲିଛି।

Comment