ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ମାର୍ଚ୍ଚ ୧୫ରୁ ଏପ୍ରିଲ ୫। ଓଡ଼ିଶାରେ ୨୨ ଦିନରେ କରୋନାର ଶୀକାର ହେଲେ ୨୩ ଜଣ।

ଚୀନର ଉହାନ ସହରରେ ଦେଖାଦେଇଥିବା ଭୟାନକ କରୋନା ଭୂତାଣୁ ସୀମା ସରହଦ ଡେଇଁ ଓଡ଼ିଶାରେ ପ୍ରବେଶ କରିଛି। ମାତ୍ର ୨୨ ଦିନ ଭିତରେ ଓଡ଼ିଶାରେ ୨୩ ଜଣ କରୋନା ଜାଲରେ ଫସିଛନ୍ତି।

ସେମାନଙ୍କ ଭିତରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିଲେ ମଧ୍ୟ ଆହୁରି ୨୧ ଜଣ କରୋନା ସହ ବିଭିନ୍ନ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଲଢ଼େଇ କରୁଛନ୍ତି। କରୋନାର ଭୟାବହତା ଏତେ ବଢ଼ି ଯାଇଛି ଯେ, ସବୁଠି ଭୟ ଦେଖିବାକୁ ମିଳିଛି।

ଇଟାଲୀ ଫେରନ୍ତା ଯୁବକଙ୍କଠାରୁ କରୋନା ଓଡ଼ିଶାରେ ପ୍ରବେଶ କରିଥିଲା କୁହାଯାଉଛି। ଯଦିଓ ତାଙ୍କଠାରୁ ଅନ୍ୟ କାହାକୁ ଭୂତାଣୁ ଡେଇଁନି, ହେଲେ ଇଟାଲୀ ଫେରନ୍ତା ଯୁବକ ହିଁ ଓଡ଼ିଶାର ପ୍ରଥମ କେରାନା ରୋଗୀ ବୋଲି କୁହାଯାଉଛି।

ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଭୁବନେଶ୍ୱରର ଯୁବକ ଇଟାଲୀରେ ରହିଥିଲେ। ସେ ଦିଲ୍ଲୀରୁ ଟ୍ରେନ୍‌ ଯୋଗେ ଭୁବନେଶ୍ୱର ଆସିଥିଲେ। ବାହାରୁ ଆସିଥିବାରୁ ତାଙ୍କ ନମୁନା ପରୀକ୍ଷା ହୋଇଥିଲା। ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା।

ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଖପର ବିଜୁଳି ବେଗରେ ଚାରିଆଡ଼େ ବ୍ୟାପିଗଲା। ଲୋକେ ଯିଏ ଯେଉଁଠି ଥିଲେ ସ୍ତବ୍ଧ ହୋଇଗଲେ। ଚୀନ୍, ଇଟାଲୀ, ଆମେରିକାରେ ମୃତ୍ୟୁର ତାଣ୍ଡବ ରଚୁଥିବା କରୋନା ଓଡ଼ିଶାରେ ପ୍ରବେଶ କରିଥିବା ଖବରକୁ କେହି ସହଜରେ ବିଶ୍ୱାସ କରିପାରିଲେନି।

ଏହି ଆକ୍ରାନ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ରଖାଯାଇଥିଲା। ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ କଡ଼ ନଜର ରଖିଥିଲେ। ୧୯ ଦିନର ଲଢ଼େଇ ପରେ ଏହି ଯୁବକ ସୁସ୍ଥ ହୋଇ ଫେରିଥିଲେ।

ଇଟାଲୀ ଫେରନ୍ତାଙ୍କ ପରେ ବ୍ରିଟେନରୁ ଆସିଥିବା ଜଣେ ଛାତ୍ର ପୁଣି ଓଡ଼ିଶାବାସୀଙ୍କ ଚିନ୍ତା ବଢ଼ାଇଥିଲେ। ମାର୍ଚ୍ଚ ୧୯ରେ ବିଟେନରୁ ଆସିଥିବା ଯୁବକଙ୍କ ନମୁନା ପଜିଟିଭ୍‌ ଆସିବା ପରେ ଚାରିଆଡ଼େ ଭୟର ବାତାବରଣ ଖେଳିଗଲା। ମାତ୍ର ୪ ଦିନରେ ଓଡ଼ିଶାରେ ଦ୍ୱିତୀୟ ଆକ୍ରାନ୍ତ ଚିହ୍ନଟ ହେବା ଖବର ଭୟ ବଢ଼ାଇଥିଲା।

ଏବେ ସେ ଦ୍ୱିତୀୟ ଆକ୍ରାନ୍ତ ଏମ୍‌ସରୁ ଡିସ୍‌ଚାର୍ଜ ହୋଇଛନ୍ତି। ୧୪ ଦିନ ଆଇସୋଲେସନରେ ରହିବା ପରେ ତାଙ୍କୁ ଘରକୁ ପଠାଯାଇଛି।

ଚାହୁଁ ଚାହୁଁ ଓଡ଼ିଶାରେ ତୃତୀୟ କରୋନା ଅକ୍ରୋନ୍ତ ଚିହ୍ନଟ ହୋଇଗଲେ। ମାର୍ଚ୍ଚ ୨୬ରେ ଜଣେ ୬୦ ବର୍ଷୟୀ ବୃଦ୍ଧ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଲା। ସେ ବୃଦ୍ଧ ଜଣକ ଦିଲ୍ଲୀରୁ ଫେରିଥିବାରୁ ତାଙ୍କୁ ଆଇସୋଲେସନରେ ରଖାଯାଇଥିଲା। ତାଙ୍କ ସ୍ତ୍ରୀ, ଝିଅ ଓ ଡ୍ରାଇଭରଙ୍କୁ କ୍ୱାରେଣ୍ଟାଇନରେ ରଖାଯିବା ପରେ ସେ ଆଉ କାହା ସଂସ୍ପର୍ଶରେ ଆସିଥିଲେ ଖୋଳତାଡ଼ ଚାଲିଲା।

ସେ କେଉଁ ବିମାନରେ ଆସିଥିଲେ ଏବଂ କୁଆଡ଼େ କୁଆଡ଼େ ଯାଇଥିଲେ ତାକୁ ନେଇ ଛାନଭିନ୍‌ କଲା ପ୍ରଶାସନ। ଶେଷରେ ଯେଉଁମାନଙ୍କୁ ଠାବ କରାଗଲା ସେମାନଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଲା ପ୍ରଶାସନ।

ଏହି ତୃତୀୟ ଆକ୍ରାନ୍ତଙ୍କୁ ନେଇ ଚର୍ଚ୍ଚ ଚାଲିଥିବା ବେଳେ ଭଦ୍ରକରୁ ୩୧ ତାରିଖରେ ଏକ ଚରଞ୍ଚଲ୍ୟକର ଖବର ଆସିଲା। ଦୁବାଇରୁ ଭାୟ କୋଲକାତା ଦେଇ ନିଜ ଘର ଭଦ୍ରକକୁ ଆସିଥିବା ଯୁବକଙ୍କ ନମୁନା ରିପୋର୍ଟ ପଜିଟିଭ୍‌ ଆସିଲା। ଏହି ଯୁବକଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଗଲା।

ଏହି ୪ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରିକୁ ଅନୁମାନ କଲେ ଜଣାପଡୁଛି ଯେ, ଏମାନେ ବାହାରୁ ଆସିଛନ୍ତି। ଏଣୁ ବାହାରୁ ହିଁ ଏହି ଭୂତାଣୁ ଓଡ଼ିଶାରେ ପ୍ରବେଶ କରିଥିବା କୁହାଯାଉଛି। ହେଲେ ଏପ୍ରିଲ ୧ ତାରିଖ ରାତିରେ ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳରୁ ବାହାରିଥିବା ଆକ୍ରାନ୍ତ ସରକାରଙ୍କ ମୁଣ୍ଡ ବିନ୍ଧାଇଥିଲେ।

ଏହି ଆକ୍ରାନ୍ତଙ୍କର କୌଣସି ବାହାର ରାଜ୍ୟର ଲିଙ୍କ୍ ନଥିବାରୁ ଭୁବନେଶ୍ୱରରେ ଗୋଷ୍ଠୀ ସଂକ୍ରମଣ ନେଇ ଆଶଙ୍କା ଦେଖାଦେଲା। ପ୍ରଶାସନ ତତ୍ପର ହୋଇ ସୂର୍ଯ୍ୟନଗର ଅଞ୍ଚଳ ସିଲ୍‌ କରିବା ସହ ଘରୁ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦେଲା। ଅଞ୍ଚଳକୁ ସିଲ୍‌ କରି ଡାକ୍ତରୀ ଦଳ ଛାନ୍‌ଭିନ୍‌ ଆରମ୍ଭ କରିଥିଲେ।

୩ ତାରିଖ ଦିନ ଯେଉଁ ରିପୋର୍ଟ ଆସିଲା ତାହା ସମସ୍ତଙ୍କର ଚିନ୍ତା ବଢ଼ାଇଥିଲା। ସୂର୍ଯ୍ୟନଗରରୁ କେବଳ ୭ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଆକ୍ରାନ୍ତଙ୍କ ସ୍ତ୍ରୀ, ଝିଅଙ୍କ ସହିତ ଭଡ଼ାଟିଆଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା।

ସବୁଠୁ ବଡ଼ କଥା ହେଉଛି ଏହି ଦିନ ହିଁ କଟକରୁ ଜଣେ, ଭଦ୍ରକରୁ ଦୁଇ ଜଣ, ପୁରୀ ଏବଂ ଯାଜପୁରରୁ ଜଣେ ଲେଖାଏଁ ଏବଂ ଭୁବନେଶ୍ୱର ବମିଖାଲ ଅଞ୍ଚଳରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହେବା ଲୋକଙ୍କ ମନରେ ଛନକା ସୃଷ୍ଟି କରିଥିଲା।

୩ ତାରିଖ ଦିନ ଏକକାଳୀନ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାର ଏବଂ ପ୍ରଶାସନ ଆହୁରି ତତ୍ପର ହୋଇ ଉଠିଥିଲେ। ଅଧିକ ଛାନ୍‌ଭିନ୍‌ କରିବା ପାଇଁ ଭୁବନେଶ୍ୱର, କଟକ ଓ ଭଦ୍ରକରେ ୪୮ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା କରିଥିଲେ। ସମଗ୍ର ଅଞ୍ଚଳକୁ ବିଶୋଧନ କରିବା ସହ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ତେବେ ସରକାରଙ୍କ ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱର, କଟକ, ଯାଜପୁର, ପୁରୀରୁ ଯେଉଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ବାହାର ରାଜ୍ୟର ଲିଙ୍କ୍ ରହିଛି।

ସୂର୍ଯ୍ୟନଗର ଆକ୍ରାନ୍ତଙ୍କ ପରିବାର ସଦସ୍ୟ କୋଲକାତାରୁ ଫେରିଥିବା ବେଳେ ବମିଖାଲ ଅଞ୍ଚଳର ତିନି ଭାଇ ସଂକ୍ରମିତ ହୋଇଛନ୍ତି। ତାଙ୍କ ବାପା ଭୋପାଳରେ କରୋନା ଆକ୍ରାନ୍ତ ଅଛନ୍ତି।

କଟକ, ଯାଜପୁର ଏବଂ ପୁରୀରୁ ଯେଉଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନେ ଦିଲ୍ଲୀରୁ ଫେରିଥିବା କୁହାଯାଉଛି। ଏମାନେ ନିଜାମୁଦ୍ଦିନ ଧର୍ମସମ୍ମିନଳୀରେ ଯୋଗ ଦେଇଥିଲେ। ସେଠାରୁ ହିଁ ଏମାନେ ସଂକ୍ରମିତ ହୋଇଥିବା କୁହାଯାଉଛି।

ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାରେ ମାତ୍ର ଜଣେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ହେଲେ ୧୧ ଦିନ ଭିତରେ ଏହି ସଂଖ୍ୟା ୨୧ରେ ପହଞ୍ଚି ଯାଇଛି। ଇଟାଲୀ ଫେରନ୍ତା ଯୁବକଙ୍କ ପାଖରୁ ଏହି ଭୂତାଣୁ ଠାବ ହେବା ପରେ ଏବେ ଏହଳା ନିଜାମୁଦ୍ଦିନ ଧର୍ମସମ୍ମିଳନୀରୁ ଫେରିଥିବା ଲୋକଙ୍କ ପାଖରେ ଚିହ୍ନଟ ହେଉଛି।

ସବୁଠୁ ବଡ଼ କଥା ହେଉଛି ଉପକୂଳ ଓଡ଼ିଶା ଛାଡ଼ି ଏବେ ପଶ୍ଚିମ ଓଡ଼ିଶାର ପଛୁଆ ଜିଲ୍ଲା କଳାହାଣ୍ଡିର ଜଣେ ଯୁବକ କରୋନାର ଶୀକାର ହୋଇଛନ୍ତି। ସେ ବାହାରିନ୍‌ରୁ ଫେରିଥିବା ସରକାର କହୁଛନ୍ତି। ସେ ଦେଶ ବାହାରୁ ହିଁ ସଂକ୍ରମିତ ହୋଇଥିବା କୁହାଯାଉଛି। ହେଲେ ଓଡ଼ିଶାର ଜଣକ ପରେ ଜଣେ ବ୍ୟକ୍ତି ସଂକ୍ରମିତ ହେଉଥିବାରୁ ଲୋକଙ୍କ ମନରେ ଭୟ ବଢ଼ୁଛି।

ମାର୍ଚ୍ଚ ୫ରେ ଆଉ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣେ ଭୁବନେଶ୍ୱର କପିଳ ପ୍ରସାଦ ଅଞ୍ଚଳର ହୋଇଥିବା ବେଳେ ଆଉ ଜଣେ ବମିଖାଲ ଅଞ୍ଚଳର। କପିଳ ପ୍ରସାଦ ଅଞ୍ଚଳର ବ୍ୟକ୍ତି ଅଷ୍ଟ୍ରେଲିଆରୁ ଫେରିଥିଲେ।

ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣର ଏବେ କୌଣସି ଆଶଙ୍କା ନଥିବା ରାଜ୍ୟ ସରକାର କହିଛନ୍ତି। ଯେଉଁମାନଙ୍କ ପାଖରେ ଭୂତାଣୁ ଚିହ୍ନଟ ହେଉଛି ସେମାନେ ଅନ୍ୟ ଦେଶ କିମ୍ବା ରାଜ୍ୟରୁ ଫେରିଥିବା ବ୍ୟକ୍ତି ବୋଲି ସରକାର କହୁଛନ୍ତି।

Comment