ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଘରକୁ ଅତ୍ୟାବଶ୍ୟକ ସାମାଗ୍ରୀ ପହଞ୍ଚାଇବ ଭୁବନେଶ୍ଵର ମହାନଗର ନିଗମ। ବିଭିନ୍ନ ସଂସ୍ଥା ଓ ମୋବାଇଲ ଭ୍ୟାନ ଦ୍ଵାରା ଲୋକମାନଙ୍କୁ ଏହି ସୁବିଧା ଯୋଗାଇବ ବିଏମସି। ରାଜଧାନୀ ଭୁବନେଶ୍ଵରରେ ୩୦ରୁ ଅଧିକ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି। ଏଥିପାଇଁ ସାମାଜିକ ଦୂରତା ରକ୍ଷା କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଫଳରେ ଘରେ ବସି ଲୋକେ ପନିପରିବା ସାଙ୍ଗକୁ ଅନ୍ୟ ଗ୍ରୋସରି ସାମଗ୍ରୀ ପାଇ ପାରିବେ।

ଏହାସହ ଦୈନିକ ବଜାର ପାଇଁ ୬୭ଟି ଓ୍ଵାର୍ଡରେ ୬୮ଟି ନୂଆ ସ୍ଥାନ ଚିହ୍ନିଟ କରାଯାଇଛି। ଚିହ୍ନଟ ହୋଇଥିବା ସ୍ଥାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ବ୍ୟବସାୟୀମାନଙ୍କୁ ବସିବାକୁ ଦିଆଯିବ ନାହିଁ। ଏହି ସ୍ଥାନରେ ବ୍ୟବସାୟୀଙ୍କୁ ସାମାଜିକ ଦୂରତାରେ ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। ଏନେଇ ବିଏମସି ଟୁଇଟ କରି ସୂଚନା ଦେବା ସହ ଚିହ୍ନଟ ହୋଇଥିବା ନୂଆ ସ୍ଥାନର ତାଲିକା ଜାରି କରିଛି।

ସେହିଭଳି ଅତ୍ୟାବଶ୍ୟକ ସାମାଗ୍ରୀ ପହଞ୍ଚାଇବାକୁ ଥିବା ବିଭିନ୍ନ ସଂସ୍ଥା ଓ ମୋବାଇଲ ଭ୍ୟାନର ତାଲିକା ଓ ଫୋନ୍ ନମ୍ବର ଜାରି ହୋଇଛି। ଏନେଇ ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଟୁଇଟ କରି ସୂଚନା ଦେଇଛନ୍ତି।

ରବିବାର ଭୁବନେଶ୍ଵରରୁ ୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ରାଜଧାନୀରେ କରୋନା କଟକଣା ଆହୁରି କଡ଼ାକଡ଼ି କରାଯାଇଛି। ଲୋକଙ୍କୁ ସ୍ଥାନୀୟ ବଜାରକୁ ମୋଟର ସାଇକେଲ ଆଣିବା ଉପରେ କଟକଣା ଜାରି କରାଯାଇଛି। ନିକଟସ୍ଥ ବଜାରରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଅପିଲ କରାଯାଇଛି।

ବର୍ତ୍ତମାନ ସୁଦ୍ଧାରେ ରାଜ୍ୟରେ ୩୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟମାନଙ୍କ ଆଇସୋଲେସନ ଓ୍ଵାର୍ଡରେ ରଖି ଚିକିତ୍ସା କରାଯାଉଛି।

Comment