ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଆଜି କଟକରୁ ୧୦୧୯ ଏବଂ ଭୁବନେଶ୍ୱରରୁ ୮୭୪ ବାଇକ୍‌ ଜବତ କଲା ପୋଲିସ।

କଟକ, ଭୁବନେଶ୍ୱର ଟୁଇନସିଟିରୁ ସଟ୍‌ଡାଉନ୍‌ ହଟିବା ପରେ କଡ଼ାକଡ଼ି ହୋଇଛି ଲକ୍‌ଡାଉନ୍‌ ନିୟମ। ଲକ୍‌ଡାଉନ୍‌ ନିୟମ ମାନିବାକୁ କମିସନରେଟ୍‌ ପୋଲିସ ବାରମ୍ବାର ଜନସାଧାରଣଙ୍କୁ ନିବେଦନ କରିଥିଲେ ମଧ୍ୟ କିଛି ଅମାନିଆ ଏହାକୁ ମାନୁ ନାହାନ୍ତି। ଫଳରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

କଟକ ଓ ଭୁବନେଶ୍ୱରରୁ ଆଜି ପୋଲିସ ପ୍ରାୟ ୨୦୦୦ ବାଇକ୍‌ ଜବତ କରିଛି। ରାସ୍ତାରେ ବାଇକ୍‌ ଥୋଇ ଯେଉଁମାନେ ଗ୍ରୋସରୀ ଓ ପରିବା କିଣୁଥିଲେ ସେମାନଙ୍କ ବାଇକ୍‌କୁ ସିଧା ପୋଲିସ ଥାନାକୁ ଉଠାଇ ନେଇ ଆସିଛି।

କଟକରେ ୧୦୧୯ ବାଇକ୍‌ ଜବତ ହୋଇଥିବା ବେଳେ ଭୁବନେଶ୍ୱରରେ ୮୭୪ ବାଇକ୍‌ ଜବତ କରିଛି ପୋଲିସ। ଏହାସହ କିଛି ସ୍ଥାନରେ ଅମାନିଆ ଲୋକଙ୍କ ଉପରେ ଲାଠି ପାହାର ବସିଛି। ଗ୍ରୋସରୀ ଓ ପରିବା କିଣିବା ପାଇଁ ବାଇକ୍‌ ନଆଣିବାକୁ ପୋଲିସ ଅନୁରୋଧ କରୁଥିଲେ ମଧ୍ୟ ଏହାକୁ ଶୁଣୁ ନାହାନ୍ତି ଲୋକେ। ଫଳରେ ବାଧ୍ୟ ହୋଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

corona awarenessଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି, ‘‘ଗ୍ରୋସରୀ ଓ ପରିବା କିଣିବା ପାଇଁ ଲୋକେ ବାଇକ୍‌ ନେଇ ଆସନ୍ତୁ ନାହିଁ। ଘରୁ ଚାଲି ଚାଲି ନିକଟସ୍ଥ ଦୋକାନକୁ ଆସନ୍ତୁ। ପରିବାରର ଜଣେ ସଦସ୍ୟ ବଜାରକୁ ଆସନ୍ତୁ। ଫଳରେ ବଜାର ଗହଳି ହେବ ନାହିଁ। ଜିନିଷପତ୍ର କିଣିବା ବେଳେ ସାମାଜିକ ଦୂରତା ରକ୍ଷା କରନ୍ତୁ।’’

ଗତକାଲି ରାତି ୮ଟାରେ କଟକ, ଭୁବନେଶ୍ୱର ଓ ଭଦ୍ରକରୁ ସଟ୍‌ଡାଉନ୍‌ ଉଠିଥିଲା। ସଟ୍‌ଡାଉନ୍‌ ଉଠିବା ପରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଥିବା ରାଜ୍ୟ ସରକାର ସୂଚନା ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକ୍‌ଡାଉନ୍‌ ନିୟମ କଡ଼ାକଡ଼ି ମାନିବା ପାଇଁ ଅପିଲ୍‌ କରିଥିଲେ। ଯେଉଁମାନେ ନିୟମ ନମାନିବେ ସେମାନଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାର ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ।

Comment