ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ମୁକାବିଲା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ।

କରୋନା ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ। ଖୋର୍ଦ୍ଧା ଜିଲ୍ଲାର ୧୯୦ ଗ୍ରାମପଞ୍ଚାୟତ, ୨ଟି ମ୍ୟୁନିସିପାଲିଟି ଏବଂ ୨ଟି ଏନଏସିରେ ୨୧୦ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି। ଏଠାରେ ୫ ହଜାର ୨୮ଟି ଶଯ୍ୟା ବ୍ୟବସ୍ଥା କରାଯାଇଛି।

ଗ୍ରାମପଞ୍ଚାୟତରେ ୨୦୧ଟି ଏବଂ ମ୍ୟୁନିସିପାଲିଟି ଓ ଏନଏସିରେ ୯ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି। ଜାମୁଝରି ଓ ଛତାବରଠାରେ ୨ଟି କ୍ୱାରେଣ୍ଟାଇନ ସେଣ୍ଟରରେ ୨୫୨ ଜଣଙ୍କର ରହିବାର ବ୍ୟବସ୍ଥା କରାଯାଇଛି।

ତମାଣ୍ଡୋ ଭ୍ରବମରବର ହାଇସ୍କୁଲଠାରେ ଡେଷ୍ଟିଚ୍ୟୁଟ ହୋମ୍‌ ଖୋଲାଯାଇଛି। ଏଠାରେ ୨୦୦ ଅସହାୟ ବ୍ୟକ୍ତିଙ୍କୁ ରଖାଯିବାର ବ୍ୟବସ୍ଥା ହୋଇଛି। ବର୍ତ୍ତମାନ ସୁଦ୍ଧା ଏଠାରେ ୮୦ ଜଣ ଅସହାୟ ଲୋକ ରହିଛନ୍ତି।

ଖୋର୍ଦ୍ଧା ଜିଲ୍ଲାରେ ୭ ହଜାର ୨୭୧ ଅସହାୟ ବ୍ୟକ୍ତିଙ୍କୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ରନ୍ଧା ଖାଦ୍ୟ ଦିଆଯାଉଛି।

ଜିଲ୍ଲାର ଟାଙ୍ଗୀ, ଖୋର୍ଦ୍ଧା, ବାଳକାଟି ଓ ବୋଲଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରରୁ ଗତକାଲି ସୁଦ୍ଧା ୯୬୪ ଜଣ ବ୍ୟକ୍ତିଙ୍କର ସ୍ୱାବ୍‌ ସଂଗ୍ରହ କରାଯାଇ ଭୁବନେଶ୍ୱର ପଠାଯାଇଥିଲା। ସବୁ ରିପୋର୍ଟ ନେଗେଟିଭ୍‌ ଆସିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଖୋର୍ଦ୍ଧା ଜିଲ୍ଲାକୁ ବିଭିନ୍ନ ରାଜ୍ୟରୁ ୩ ହଜାର ୬୬୯ ଶ୍ରମିକ ଆସିଥିଲେ। ସେମାନଙ୍କ ମଧ୍ୟରୁ ୨୫୫୭ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ବାକି ୧୧୧୨ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖିବାକୁ ବ୍ୟବସ୍ଥା କରାଯାଉଛି। ୨୮୬ ଜଣ ୧୦୪ରେ ପଞ୍ଜୀକୃତ କରିଛନ୍ତି।

ସାମାଜିକ ଦୂରତା ବଜାୟ ରଖିବାକୁ ଖୋର୍ଦ୍ଧା ଜିଲ୍ଲାପାଳ ସିତାଂଶୁ କୁମାର ରାଉତ ଏବଂ ଅଜୟ ପ୍ରତାପ ସ୍ୱାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଦୋକାନୀମାନେ ୧.୫ ମିଟର ଦୂରତା ବ୍ୟବଧାନ ରଖିବାକୁ କୁହାଯାଇଛି। ଯିଏ ସାମାଜିକ ଦୂରତା ନମାନିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comment