ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

  • କଟକ ଏସ୍‌ସିବି ଏବଂ ସିଟି ହସ୍ପିଟାଲରେ ନାହାନ୍ତି କରୋନା ରୋଗୀ
  • କ୍ୟାପିଟାଲ ହସ୍ପିଟାଲରେ ଜଣେ କରୋନା ଆକ୍ରାନ୍ତ
  • ତାଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରୁଛି, ଖୁବ୍‌ଶୀଘ୍ର ସେ ଡିସ୍‌ଚାର୍ଜ ହେବେ
  • ଏସ୍‌ସିବି, ସିଟି ଓ କ୍ୟାପିଟାଲ ହସ୍ପିଟାଲକୁ ଅନ୍ୟ ରୋଗୀ ଆସିପାରିବେ
  • କରୋନା ରୋଗୀଙ୍କ ଚିକିତ୍ସା କେବଳ କୋଭିଡ୍‌ ହସ୍ପିଟାଲରେ ହିଁ ହେବ

ଅନ୍ୟ ରୋଗୀମାନେ ଏବେ ହସ୍ପିଟାଲ ଆସିବାକୁ ଭୟ କରୁଛନ୍ତି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଅନ୍ୟ ରୋଗୀମାନେ ସଂକ୍ରମିତ ହେବା ଆଶଙ୍କାରେ ହସ୍ପିଟାଲ ଆସିବାକୁ ନିରାପଦ ମଣୁ ନାହାନ୍ତି। ହେଲେ ଏଥିରେ ଭୟ କରିବାର କୌଣସି କାରଣ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର କୋଭିଡ୍‌-୧୯ ହସ୍ପିଟାଲ ପ୍ରତିଷ୍ଠା କରିଛନ୍ତି। କେବଳ କରୋନା ଆକ୍ରାନ୍ତମାନେ ହିଁ ଏହି ହସ୍ପିଟାଲରେ ଚିକିତ୍ସିତ ହୋଇପାରିବେ। ଏଣୁ ଅନ୍ୟ ରୋଗୀମାନେ ରାଜ୍ୟରେ ଥିବା ଅନ୍ୟ ହସ୍ପିଟାଲକୁ ଯାଇପାରିବେ ବୋଲି ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ସଚିବ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି।

‘‘କଟକ ଏସ୍‌ସିବି ଏବଂ ସିଟି ହସ୍ପିଟାଲରେ କୌଣସି କରୋନା ରୋଗୀ ନାହାନ୍ତି। ସେହିପରି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଜଣେ ଆକ୍ରାନ୍ତ ଅଛନ୍ତି। ସେ ଏବେ ସୁସ୍ଥ ଅଛନ୍ତି। ଦୁଇ ଥର ରକ୍ତ ନମୁନା ପରୀକ୍ଷା ହେବା ପରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇପାରେ। ଏଣୁ ଅନ୍ୟ ରୋଗୀମାନେ ଭୟ ନକରି ଏହିସବୁ ହସ୍ପିଟାଲକୁ ଆସିପାରିବେ’’, କହିଛନ୍ତି ନିକୁଞ୍ଜ ଧଳ।

ଏହି ଅବସରରେ ଶ୍ରୀ ଧଳ କରୋନା ମୁକାବିଲାରେ ସାମିଲ ହୋଇଥିବା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସର ଶୁଭେଚ୍ଛା ଜଣାଇଥିଲେ। ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ସମସ୍ତଙ୍କର ସହଯୋଗ କରିବା ଦରକାର ବୋଲି ସେ କହିଥିଲେ।

coronaରାଜ୍ୟରେ ୭ଟି କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଥିବା ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଥିଲେ। ଆଗାମୀ ଦିନରେ ଆହୁରି ଅଧିକ ହସ୍ପିଟାଲ କାର୍ଯ୍ୟକ୍ଷମ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ସେ କହିଛନ୍ତି।

ଏହାସହ ଯେଉଁ ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀମାନେ କରୋନା ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ହୋଇଛନ୍ତି ସେମାନେ ଅନ୍ୟ ରୋଗୀଙ୍କ ଚିକିତ୍ସା କରିପାରିବେନି ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି।

Comment