ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଘରୁ ବାହାରିଲେ ପୋଲିସ ପାହାର ଭୟ
  • ଖୁଚୁରା ବେପାରୀଙ୍କ ଉପରେ ଦାଉ ସାଧୁଛି ପୋଲିସ
  • ବାଇକ ନେଇ ଗଲେ ପିଟୁଛି ପୋଲିସ
  • ଭୟରେ ଭୁବନେଶ୍ୱର ଆସୁ ନାହାନ୍ତି ବେପାରୀ
  • ଉପର ସ୍ତରର ନିୟମ ତଳ ସ୍ତରରେ କାର୍ଯ୍ୟକାରୀ ହେଉନି: ବ୍ୟବସାୟୀ ମହାସଂଘ
  • ଯିଏ ଅସୁବିଧାରେ ପଡୁଛନ୍ତି ସେମାନେ ୧୦୦କୁ କଲ୍‌ କରନ୍ତୁ: ସିପି

ଲକ୍‌ଡାଉନ୍‌କୁ ପୂରିଲାଣି ୧୫ ଦିନ। ହେଲ ଏହା ଭିତରେ ଗୋଟିଏ ବଡ଼ ଖବର ଆସି ପହଞ୍ଚିଛି। ରାଜଧାନୀ ଭୁବନେଶ୍ୱର ଏବଂ କଟକରେ କଞ୍ଚା ପନିପରିବାର ଅଭାବ ସାଙ୍ଗକୁ ଗ୍ରୋସରୀ ସାମଗ୍ରୀ ଚଢ଼ା ଦରରେ ମିଳୁଛି। ଫଳରେ ଖାଉଟି ହନ୍ତସନ୍ତ ହେଉଛନ୍ତି। ଗୋଟିଏପଟେ ଘରୁ ବାହାରିଲେ ପୋଲିସ ପାହାରର ଭୟ ଥିବା ବେଳେ ଅନ୍ୟପଟେ ଖାଉଟି ସାମଗ୍ରୀର ଅଭାବ ଯୋଗୁଁ ଲୋକେ ଚିନ୍ତାରେ ପଡ଼ିଯାଇଛନ୍ତି।

ଲକ୍‌ଡାଉନ୍‌ରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ କୌଣସି ଅସୁବିଧା ହେବନାହିଁ। ଗୋଦାମରେ ସାମଗ୍ରୀ ମହଜୁଦ ରହିଛି। ଏଣୁ ଲୋକେ ଭୟ କରିବାର କୌଣସି କାରଣ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ବାରମ୍ବାର କରୁଛନ୍ତି ରାଜ୍ୟ ସରକାର। ଏପଟେ କଳାବଜାରୀଙ୍କ ଉପରେ କଡ଼ା ନଜର ରହିଛି ବୋଲି ଯୋଗାଣ ବିଭାଗ ମଧ୍ୟ କହୁଛି। ହେଲେ ବାସ୍ତବ ଚିତ୍ର କିନ୍ତୁ ଓଲଟା।

ଲକ୍‌ଡାଉନ୍‌ରେ ଘରୁ ବାହାରିଲେ ପୋଲିସ ପାହାର ବସୁଥିବାରୁ ଅଧିକାଂଶ ବେପାରୀ ଆଉ ରାଜଧାନୀ ଆସୁ ନାହାନ୍ତି। ଭୁବନେଶ୍ୱର ଆଖ ପାଖ ଅଞ୍ଚଳରୁ ଯେଉଁ ପରିବା ବେପାରୀମାନେ ଆସି ବ୍ୟବସାୟ କରୁଥିଲେ ସେମାନେ ଏବେ ପ୍ରାୟତଃ ଆସୁ ନାହାନ୍ତି। ପୋଲିସର ଜୁଲମ ଯୋଗୁଁ ବ୍ୟବସାୟୀମାନେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ଯେଉଁମାନେ ଆସୁଛନ୍ତି ସେମାନେ ପରିବା ବିକି ସାରିବା ପରେ ଘରକୁ ଫେରିବା ବେଳେ ପୋଲିସ ହାବୁଡ଼ରେ ପଡୁଛନ୍ତି।

ପୋଲିସ ଏହି ପରିବା ବିକାଳିଙ୍କୁ ଅଟକାଇ ମନଇଚ୍ଛା ଗାଳିଗୁଲଜ କରିବା ସହ ଗାଡ଼ି ଜବତ କରୁଥିବା କିଛି ବ୍ୟବସାୟୀ ଅଭିଯୋଗ କରିଛନ୍ତି। ଫଳରେ ରାଜଧାନୀ ଭୁବନେଶ୍ୱରେ କଞ୍ଚା ପରିବାର ଅଭାବ ଦେଖାଦେଲାଣି।

ଏପଟେ ଗ୍ରୋସରୀ ଦୋକାନୀଙ୍କର ବି ସମାନ ଅବସ୍ଥା। ସରକାର ନିୟମ କରିଛନ୍ତି କୌଣସି ଲୋକ ହୋଲସେଲ ବଜାରକୁ ସାମଗ୍ରୀ ଆଣିବାକୁ ଯିବେନାହିଁ। ଘର ପାଖ ଦୋକାନରୁ ସମସ୍ତେ ସାମଗ୍ରୀ କିଣିବାକୁ ସରକାର ଅନୁରୋଧ କରୁଛନ୍ତି। କିନ୍ତୁ ଏବେ ଘରପାଖ ଖୁଚୁରା ଦୋକାନରେ ଗ୍ରୋସରୀ ସାମଗ୍ରୀ ସରି ଆସିଲାଣି। ଯାହା ବି ଅଛି ତାହା ଚଢ଼ା ଦରରେ ବିକ୍ରି ହେଉଛି।

ଯେଉଁ ଦୋକାନମାନଙ୍କରେ ସାମଗ୍ରୀ ଶେଷ ହେଲାଣି ସେ ଦୋକାନୀମାନେ ଗୋଦାମ ଯିବାକୁ ଭୟ କରୁଛନ୍ତି। ଖୁଚୁରା ବେପାରୀମାନେ ବାଇକ ନେଇ ଯଦି ଗୋଦାମକୁ ସାମଗ୍ରୀ ଆଣିବାକୁ ଯାଉଛନ୍ତି ତାହାଲେ ପୋଲିସ ତାଙ୍କ ଉପରେ ଦାଉ ସାଧୁଥିବା ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି।

ସାମଗ୍ରୀ ନେଇ ଯିବା ବେଳେ ପୋଲିସ ତାଙ୍କୁ ଗାଳିଗୁଲଜ କରିବା ସହ ଲାଠି ପାହାର ଦେଉଛି। ଫଳରେ ବ୍ୟବସାୟୀମାନେ ଆଉ ଗୋଦାମକୁ ଆସୁ ନାହାନ୍ତି। ଘରପାଖ ଖୁଚୁରା ଦୋକାନରେ ଗ୍ରୋସରୀ ସାଗ୍ରୀ ମିଳୁ ନଥିବାରୁ ଖାଉଟିମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ଚାହିଁଲେ ବି ବଡ଼ ଦୋକାନକୁ ଯାଇପାରୁ ନାହାନ୍ତି। କାରଣ ଗଲେ ପୋଲିସର ଭୟ ରହୁଛି। ଏପରିସ୍ଥଳେ କ’ଣ କରାଯିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

‘‘ମାଲଗୋଦାମରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ହୋଇ ରହିଛି। ହେଲେ ପୋଲିସ ଜୁଲମକୁ ଭୟ କରି ଖୁଚୁରା ବ୍ୟବସାୟୀମାନେ ମାଲଗୋଦାମ ଆସୁ ନାହାନ୍ତି। ଉପର ସ୍ତରରେ ଗୋଟିଏ ନିର୍ଦ୍ଦେଶନାମା ଦିଆଯାଉଥିବା ବେଳେ ତାହା ତଳ ସ୍ତରରେ କାମ କରୁନି। ଖୁଚୁରା ବ୍ୟବସାୟୀଙ୍କ ବାଇକକୁ ଅଟକାଇ ପୋଲିସ ପାହାର ବସାଉଛି’’, କହିଛନ୍ତି ବ୍ୟବସାୟୀ ମହାସଂଘ ସମ୍ପାଦକ ସୁଧାକର ପଣ୍ଡା।

ଖାଉଟି ଏବଂ ବ୍ୟବସାୟୀଙ୍କ ଅଭିଯୋଗ ଆସିବା ପରେ ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଟୁଇଟ୍ କରି ପ୍ରତିକ୍ରିୟା ଦେଇଛନ୍ତି।

corona‘‘ଅତ୍ୟାବଶ୍ୟକ ସାମ୍ରଗୀ ଯୋଗାଣରେ କୌଣସି ଅସୁବିଧା ନାହିଁ। ଯେଉଁ ବ୍ୟବସାୟୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେମାନେ ତୁରନ୍ତ ନିକଟସ୍ଥ ଥାନା କିମ୍ବା ୧୦୦କୁ ଫେରନ କରନ୍ତୁ’’, କହିଛନ୍ତି ପୋଲିସ କମିସନର।

ପୋଲିସ କମିସନର ଆହୁରି କହିଛନ୍ତି ଯେ, ଭୁବନେଶ୍ୱରକୁ ବାଙ୍କୀ, ଆଠଗଡ଼ ଏବଂ ଖୁଣ୍ଟୁଣିରୁ ପ୍ରତିଦିନ କଞ୍ଚା କରିବା ଆସିଥାଏ। ହେଲେ କରୋନା ଭୟରେ ଚାଷୀମାନେ ଭୁବନେଶ୍ୱର ଆସୁ ନାହାନ୍ତି। କାରଣ ସେମାନଙ୍କ ଗାଁରେ କିଛି କଟକଣା ରହିଛି। ଆମ ଅଫିସରମାନେ ବାଙ୍କୀ, ଆଠଗଡ଼ ଏବଂ ଖୁଣ୍ଟୁଣି ଯାଇ ଆଲୋଚନା କରିଛନ୍ତି। ଏହି ସମସ୍ୟାର ସମାଧାନ କରାଯିବ। ଭୁବନେଶ୍ୱରରୁ ବଡ଼ ଗାଡ଼ି ଯାଇ ଚାଷୀଙ୍କ ପାଖରୁ ପରିବା ସଂଗ୍ରହ କରିବେ।

Comment