ଓଡ଼ିଶାଲାଇଭ୍ ବ୍ୟୁରୋ

 ଆଧୁନିକ ଯୁଗରେ ମୋବାଇଲ ସମସ୍ତଙ୍କ ଜୀବନର ଏକ ଅଭିନ୍ନ ଅଙ୍ଗ। ମୋବାଇଲକୁ ଛାଡ଼ି ଗୋଟିଏ ଦିନ ରହିବା କଷ୍ଟକର ହୋଇ ପଡ଼ିଛି। ହେଲେ ବିଶ୍ଵରେ ଏମିତି ବି ଏକ ସହର ରହିଛି, ଯେଉଁଠି ମୋବାଇଲ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି।

ବର୍ତ୍ତମାନ ସମୟରେ ମୋବାଇଲ ବିନା ସମୟ କାଟିବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିଛି। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ହାତରେ ମୋବାଇଲ ଦେଖିବାକୁ ମିଳୁଛି। ଦୁନିଆରେ ଏମିତି  କୌଣସି ଘର ନଥିବ ଯେଉଁ ପରିବାରରେ ମୋବାଇଲ ବ୍ୟବହାର ହେଉନଥିବ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦୁନିଆରେ ଏମିତି ବି ସହର ରହିଛି ଯେଉଁଠି ମୋବାଇଲ, ଟିଭି ଓ ରେଡିଓ ଆଦି ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏମିତି ଏକ ସହର ହେଉଛି ଆମେରିକାର ଗ୍ରୀନ ବ୍ୟାଙ୍କ ସିଟି।

ଆମେରିକାର ଓ୍ଵେଷ୍ଟ ଭର୍ଜିନିଆର ପୋକାହୋଣ୍ଟାସ ନିକଟରେ ରହିଛି ଗ୍ରୀନ ବ୍ୟାଙ୍କ ସିଟି। ଏହି ସହରରେ ମାତ୍ର ୧୫୦ରୁ ୧୭୦ ଲୋକ ବାସ କରନ୍ତି। ତେବେ ସେମାନଙ୍କ ମଧ୍ୟରେ କେହି ବି ମୋବାଇଲ, ଟିଭି କିମ୍ବା ରେଡିଓ ବ୍ୟବହାର କରନ୍ତି ନାହିଁ। ଏହି ସହରରେ ଯଦି କେହି ମୋବାଇଲ କିମ୍ବା ରେଡିଓ ବ୍ୟବହାର କଲେ ସଂପୃକ୍ତ ବ୍ୟକ୍ତିଙ୍କୁ ଜେଲ ଯିବାକୁ ପଡ଼ିପାରେ।

ଏହି ସହରରେ ବିଶ୍ୱର ସର୍ବବୃହତ ଷ୍ଟେରିଓବେଲ ଟେଲିସ୍କୋପ ରହିଛି। ଏହି ଟେଲିସ୍କୋପ ପରିବହନ ଯୋଗ୍ୟ। ଅର୍ଥାତ ଏହି ଟେଲିସ୍କୋପକୁ ଗୋଟିଏ ଯାଗାରୁ ଅନ୍ୟ ଯାଗାରୁ ସ୍ଥାନାନ୍ତର କରି ହେବ। ଏହା ‘ଗ୍ରୀନ୍ ବ୍ୟାଙ୍କ ଟେଲିସ୍କୋପ୍’ ଭାବରେ ବେଶ ଜଣାଶୁଣା।

ମୋବାଇଲ ବ୍ୟବହାର ଉପରେ କଟକଣାର କାରଣ

ଗ୍ରୀନ୍ ବ୍ୟାଙ୍କ ଟେଲିସ୍କୋପ୍ ୪୮୫ଫୁଟ ଲମ୍ବା। ଏହାର ଓଜନ ହେଉଛି ୭ହଜାର ୬ଶହ ମେଟ୍ରିକ ଟନ୍। ୧୯୫୮ ମସିହାରେ ଆମେରିକାର ନ୍ୟାସନାଲ ରେଡିଓ ଜ୍ୟୋତିର୍ବିଜ୍ଞାନ ପର୍ଯ୍ୟବେକ୍ଷଣକାରୀ ସଂସ୍ଥା ପକ୍ଷରୁ ଏହାକୁ ପ୍ରତିଷ୍ଠା କରାଯାଇଥିଲା। ମହାକାଶରୁ ଆସୁଥିବା ରେଡିଓ ତରଙ୍ଗ ଅଧ୍ୟୟନ କରିଥାଏ ଗ୍ରୀନ୍ ବ୍ୟାଙ୍କ ଟେଲିସ୍କୋପ୍। ଏହାସହ ମାଧ୍ୟାକର୍ଷଣ ତରଙ୍ଗ ଓ ବ୍ଲାକ ହୋଲକୁ ମଧ୍ୟ ଚିହ୍ନଟ କରିବାକୁ ଏହି ଟେଲିସ୍କୋପ ସକ୍ଷମ।

ରେଡିଓ ତରଙ୍ଗ ଅଧ୍ୟୟନ କରୁଥିବାରୁ ଏହି ଅଞ୍ଚଳକୁ ଅତି ଅତ୍ୟନ୍ତ ସମ୍ବେଦନଶୀଳ ସ୍ଥାନ ଭାବରେ ଘୋଷଣା କରାଯାଇଛି। ଏଠାରେ ମୋବାଇଲ୍ ଫୋନ୍, ଟିଭି, ରେଡିଓ, ଆଇପ୍ୟାଡ୍, ବେତାର ହେଡଫୋନ୍ ବ୍ୟବହାର କଲେ ରେଡିଏସନ ବାହାରିବ। ଫଳରେ ଗ୍ରୀନ୍ ବ୍ୟାଙ୍କ ଟେଲିସ୍କୋପ୍‌କୁ ମହାକାଶରେ ରେଡିଓ ତରଙ୍ଗ ଚିହ୍ନଟ କରିବାରେ ଅସୁବିଧା ହେବ। ଏଥିପାଇଁ ଏଠାରେ ସମସ୍ତ ବେତାର ଯନ୍ତ୍ର ବ୍ୟବହାର ଉପରେ କଟକଣା ଜାରି କରାଯାଇଛି।

କୁହାଯାଏ ଗ୍ରୀନ୍ ବ୍ୟାଙ୍କ ଟେଲିସ୍କୋପ୍ ଦ୍ଵାରା ଏଲିୟନମାନଙ୍କ ଉପରେ ଗବେଷଣା କରାଯାଉଛି। ଏହାସହ ରେଡିଓ ତରଙ୍ଗ ମାଧ୍ୟମରେ ଅନ୍ୟ ଗ୍ରହରେ ଜୀବନର ସନ୍ଧାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ପୃଥିବୀ ବ୍ୟତୀତ ଅନ୍ୟ କୌଣସି ଗ୍ରହରେ ଜୀବନ ଅଛି କି ନାହିଁ ସେନେଇ କୌଣସି ପ୍ରମାଣ ମିଳି ପାରିନାହିଁ।

Comment