ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି ଡାକ୍ତର। ଘର ପରିବାର ଭୁଲି ଦିନ ରାତି ଏକ କରି ଚିକିତ୍ସା କରୁଛନ୍ତି। ତଥାପି ଥକି ଯାଉନାହାନ୍ତି। ଏଭଳି ଜଣେ ଡାକ୍ତର ହେଉଛନ୍ତି ମଧ୍ୟ ପ୍ରଦେଶର ଡାକ୍ତର ସଚିନ ନାୟକ, ଯିଏକି କରୋନା ଚିକିତ୍ସା କରୁଥିବାରୁ ଘରକୁ ନଯାଇ କାର୍‌ରେ ଦିନ କାଟୁଛନ୍ତି।

ସାରା ବିଶ୍ଵ ଏବେ କରୋନା ସହ ସଂଗ୍ରାମ କରୁଛି। ଏହି ସଂଗ୍ରାମର ମୁଖ୍ୟ ଯୋଦ୍ଧା ପାଲଟିଛନ୍ତି ଡାକ୍ତର। ଦିନ ରାତି ଏକ କରି କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଲାଗି ପଡ଼ିଛନ୍ତି। ନିଜ ଘର ପରିବାରଠାରୁ ଦୂରରେ ରହି ନିଜକୁ କରୋନା ସଂଗ୍ରାମରେ ନିୟୋଜିତ କରିଛନ୍ତି। ଏଭଳି ଜଣେ ଡାକ୍ତର ହେଉଛନ୍ତି ମଧ୍ୟପ୍ରଦେଶର ସଚିନ ନାୟକ। କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବାରୁ ଡାକ୍ତର ସଚିନ ନାୟକ ଏବେ ନିଜ ଘରକୁ ନଯାଇ ନିଜ କାର୍‌ରେ ରହୁଛନ୍ତି। ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଡାକ୍ତର ସଚିନ ନାୟକ।

କାର୍‌ରେ ରାତି କାଟୁଛନ୍ତି ଡାକ୍ତର

“ମୁଁ ଜେପି ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଛି। ମୁଁ ଘରକୁ ଯିବା ଆସିବା କଲେ କରୋନା ସଂକ୍ରମଣ ହେବାର ଆଶଙ୍କ ରହିଛି। ଏଥିପାଇଁ ମୁଁ ଘରକୁ ନଯାଇ କାର୍‌ରେ ରହିବାକୁ ନିଷ୍ପତ୍ତି ନେଇଛି। ୮ଦିନ ହେଲାଣି ମୁଁ ମୋ କାରରେ ରାତି ବିତାଉଛି।” ଏହା କହିଛନ୍ତି ମଧ୍ୟପ୍ରଦେଶର ଜେପି ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତର ସଚିନ ନାୟକ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ଭାଇରସ ଭଳି ମହାମାରୀର ମୁକାବିଲା ପାଇଁ କୌଣସି ଦେଶ ପ୍ରସ୍ତୁତ ନଥିଲେ। ଏଭଳି ସଂଙ୍କଟ ସ୍ଥିତିରେ ସଭିଏଁ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ସାମାଜିକ ଦୂରତା ରକ୍ଷା କରିବା ନିତାନ୍ତ ଆବଶ୍ୟକ। ତେବେ ବର୍ତ୍ତମାନ ସ୍ଥିତିରେ ସୁଧାର ଆସିବାକୁ ଲାଗିଛି।

ପୁଅ ଘରକୁ ଯାଉନଥିବାରୁ ମା’ ଆଖିରେ ଲୁହ

କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବାରୁ ୮ଦିନ ହେଲାଣି ଡାକ୍ତର ସଚିନ ନାୟକ ଆଉ ଘରକୁ ଯାଇନଥିଲେ। ୮ଦିନ ପରେ ଡାକ୍ତର ସଚିନ ତାଙ୍କ ଘର ପାଖକୁ ଯାଇଥିଲେ। ବାହାରେ ରହି ତାଙ୍କ ମା’, ସ୍ତ୍ରୀ ପୁଅକୁ ଦେଖି ଆସିଲେ। ପୁଅକୁ ଦେଖି ଡାକ୍ତର ସଚିନ ନାୟକଙ୍କ ମା’ଙ୍କ ଆଖିରେ ଲୁହ ଆସିଯାଇଥିଲା। ନିଜ ଘର ଭିତରକୁ ଯାଇ ପାରିନଥିଲେ ଡାକ୍ତର ସଚିନ ନାୟକ। କେବଳ ବାହାରେ ରହି ପାଣି ପିଇ ଫେରି ଆସିଥିଲେ। ପାଖରେ ଝିଅକୁ ପାଇ ମଧ୍ୟ ଡାକ୍ତର ସଚିନ ତାକୁ ଗେଲ କରି ପାରିନଥିଲେ।

ଏନେଇ ଡାକ୍ତର ସଚିନ ନାୟକ କହିଛନ୍ତି ଯେ, ଦୁଃଖ ତ ଲାଗୁଛି। କିନ୍ତୁ ଏଭଳି ପରିସ୍ଥିତିରେ ସଚେତନ ରହିବା ଆବଶ୍ୟକ। ମୁଁ ଚାହୁଁନି ମୋ ପାଇଁ ମୋ ପରିବାରକୁ କୌଣସି ପ୍ରକାର କ୍ଷତି ହେଉ।

ମୁଖ୍ୟମନ୍ତ୍ରୀ ଜଣାଇଲେ ସାଧୁବାଦ

କାର୍‌ରେ ଦିନ ରାତି ବିତାଉଥିବା ନେଇ ଏକ ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଥିଲା। ଏହି ଫୋଟକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଟୁଇଟରରେ ସେୟାର କରି ଡାକ୍ତରଙ୍କୁ ସାଧୁବାଦ ଜଣାଇଛନ୍ତି। ଡାକ୍ତର ସଚିନ ନାୟକ କରୋନା ମହାଯୁଦ୍ଧର ଯୋଦ୍ଧା। ମଧ୍ୟପ୍ରେଦଶ ଏଭଳି ଡାକ୍ତର ପାଇ ଗର୍ବିତ ବୋଲି ସେ ଟୁଇଟ କରିଛନ୍ତି।

ଡାକ୍ତର ସଚିନ ନାୟକଙ୍କ ପତ୍ନୀ ମଧ୍ୟ ଲୋକଙ୍କୁ ସଚେତନ କରାଇଛନ୍ତି। ଲୋକଙ୍କୁ ସମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ଏବେ ବି କିଛି ଲୋକ କରୋନାକୁ ଏତେଟା ସତର୍କ ହେଉ ନାହାନ୍ତି। ଲୋକେ ସଚେତନ ହେଲେ ଜଣେ ପୁଅ ତା ମା’ ପାଖକୁ ଫେରି ପାରିବ ଓ ଜଣେ ବାପା ତା ଝିଅ ପାଖକୁ ଫେରି ପାରିବ।

ବର୍ତମାନ ସୁଦ୍ଧା ଦେଶରେ ୫ହଜାର ୨୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୭୭ଜଣ ଭଲ ହୋଇ ଘରକୁ ଫେରଥିବା ବେଳେ ୧୬୯ଜଣଙ୍କ ମୃତ୍ୟୁ ହୋଇଛି। କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ବାରମ୍ବାର ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି। ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୪ତାରିଖ ଯାଏ ସାରା ଦେଶକୁ ଲକ୍‌ଡାଉନ ଘୋଷଣା କରାଯାଇଛି।

Comment