ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଲକ୍‌ଡାଉନ୍‌ ବେଳେ ପୋଲିସ ମାନବିକତା ଦେଖାଇବାକୁ ଓଡ଼ିଶା ହାଇକୋର୍ଟ ଦେଲେ ନିର୍ଦ୍ଦେଶ।

  • ପୋଲିସକୁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ
  • ଲକ୍‌ଡାଉନ୍‌ ବେଳେ ଜବତ ଗାଡ଼ି ଫେରାଅ
  • ଜରିମାନା ନୁହେଁ, ଅଣ୍ଡରଟେକିଂ ଲେଖି ଗାଡ଼ି ଫେରାଅ
  • ଲକ୍‌ଡାଉନ୍‌ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଯାଉଥିବା ଲୋକଙ୍କୁ ଅଟକାଆ ନାହିଁ
  • ଘର ପାଖରେ ସାମଗ୍ରୀ ଉପଲବ୍ଧ କରିବାକୁ ବ୍ୟବସ୍ଥା କର
  • ଲକ୍‌ଡାଉନ୍‌ ବେଳେ ପୋଲିସ ମାନବିକତା ଦେଖାଉ

ଲକ୍‌ଡାଉନ୍‌ ବେଳେ ପୋଲିସ କରୁଥିବା ଜୁଲୁମ୍‌କୁ ନାପସନ୍ଦ କରିଛନ୍ତି ଓଡ଼ିଶା ହାଇକୋର୍ଟ। ଏହାସହ କଡ଼ା ଆଭିମୁଖ୍ୟ ମଧ୍ୟ ପୋଷଣ କରିଛନ୍ତି। ଲକ୍‌ଡାଉନ୍‌ ବେଳେ ପୋଲିସ ମାନବିତାର ସହ କାମ କରୁ ବୋଲି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହାସହ ତାଲାବନ୍ଦ ବେଳେ ଯେଉଁ ବାଇକ୍‌ ପୋଲିସ ଜବତ କରିଛି ସେସବୁ ଅଣ୍ଡରଟେକିଂ ଲେଖି ଲୋକମାନଙ୍କୁ ଫେରାଇ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କର ଏହି ନିର୍ଦ୍ଦେଶନାମା ପୋଲିସ ଏବଂ ପ୍ରଶାସନକୁ ବଡ଼ ଝଟ୍‌କା ଦେଇଛି।

ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି କୁମାରୀ ସଞ୍ଜୁ ପଣ୍ଡା ଏବଂ ବିଚାରପତି ବିଶ୍ୱନାଥ ରଥ ଏହି ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ବିଚାର କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।

ପୋଲିସର ଜୁଲୁମ୍‌

କରୋନା ମୁକାବିଲା ପାଇଁ ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଥିଲେ କେନ୍ଦ୍ର ସରକାର। ଏହି ଲକ୍‌ଡାକଉନ୍‌ ବେଳେ ଘରେ ରହିବାକୁ ସରକାର ପରାମର୍ଶ ଦେଇଥିଲେ। ହେଲେ ଯେଉଁ କେତେଜଣ ଅମାନିଆ ନିୟମ ଉଲ୍ଲଂଘନ କରି ଘରୁ ବାହାରୁଥିଲେ ସେମାନଙ୍କୁ ପୋଲିସ ଧରୁଥିଲା ଏବଂ ନିସ୍ତୁକ ପିଟୁଥିଲା। ଖାଲି ଅମାନିଆ ନୁହନ୍ତି, ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବଜାରକୁ ଆସୁଥିବା ସାଧାରଣ ଲୋକଙ୍କୁ ପୋଲିସ ଛାଡୁ ନଥିଲା। ସେମାନଙ୍କୁ ଠେଙ୍ଗା ଦେଖାଇବା ସହ ଗାଡ଼ି ଜବତ କରି ଥାନାକୁ ନେଇ ଆସୁଥିଲା। ବିଚାରା ଘର ସଉଦା ପାଇଁ ଯାଇଥିବା ସାଧାରଣ ଲୋକ କାନମୁଣ୍ଡା ଆଉଁସି ଘରକୁ ଫେରୁଥିଲା।

coronaପୋଲିସର ଏଭଳି ଜୁଲୁମ୍‌ ହାଇକୋର୍ଟ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଯେଉଁମାନଙ୍କ ଗାଡ଼ି ଜବତ କରିଛ ସେମାନଙ୍କଠାରୁ ଅଣ୍ଡରଟେକିଂ ଲେଖି ଗାଡ଼ି ଫେରା ବୋଲି ହାଇକୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଲକ୍‌ଡାଉନ୍‌ ବେଳେ ଦୁଇ ଚକିଆ ଗାଡ଼ି ଚଳାଚଳକୁ ପୋଲିସ ନରୋକିବା ପାଇଁ ହାଇକୋର୍ଟ କହିଛନ୍ତି।

ଘର ପାଖରେ ମିଳୁନି ଅତ୍ୟାବଶ୍ୟକ ସାମଗ୍ରୀ

ପୋଲିସ ଏବଂ ରାଜ୍ୟ ସରକାର କହିଥିଲେ ଯେ, ସାଧାରଣ ଲୋକ କେହି ଘରୁ ପଦାକୁ ବାହାରନ୍ତୁ ନାହିଁ। ଘରର ଜଣେ ସଦସ୍ୟ ସଉଦା କିଣିବାକୁ ଆସନ୍ତୁ। ଗାଡ଼ି ନଆଣି ଚାଲିଚାଲି ଆସନ୍ତୁ ଏବଂ ଘର ପାଖ ଦୋକାନରୁ ସଉଦା କିଣନ୍ତୁ। ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ବିଚାର କରିଛନ୍ତି ହାଇକୋର୍ଟ। ହାଇକୋର୍ଟ ତାଙ୍କ ନିର୍ଦ୍ଦେଶନାମାରେ କହିଛନ୍ତି ଯେ, ଅଧିକାଂଶ ଅଞ୍ଚଳରେ ଘର ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁନି। ଏଣୁ ଲୋକମାନେ ବାଧ୍ୟ ହୋଇ ଘରଠାରୁ ଦୂରରେ ଥିବା ଦୋକାନକୁ ପରିବା ଏବଂ ଗ୍ରୋସରୀ ସାମଗ୍ରୀ କିଣିବାକୁ ଆସୁଛନ୍ତି। ବିଶେଷକରି ବରିଷ୍ଠ ନାଗରିକ, ମହିଳା ଏବଂ ଏକୁଟିଆ ରହିଥିବା ବ୍ୟକ୍ତି ଚାଲି ଚାଲି ଆସି ସଉଦା କିଣି ଘରକୁ ଫେରିବା ସମ୍ଭବ ନୁହେଁ। ଏଣୁ ସେମାନେ ଗାଡ଼ିରେ ଆସିବାକୁ ପୋଲିସ ଅନୁମତି ଦେଉ।

ମାନବିକତା ଦେଖାଉ ପୋଲିସ

ଘରୁ ବାହାରିଲେ ପୋଲିସର ଲାଠି ଏବଂ କରୋନା ଭାଇରସ୍‌କୁ ନେଇ ସାଧାରଣ ଲୋକ ଚିନ୍ତା ଏବଂ ଦୁଃଖରେ ଅଛନ୍ତି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ପୋଲିସ ମାନବିତାର ସହ କାମ କରୁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଲକ୍‌ଡାଉନ୍‌ ବେଳେ ପୋଲିସ ଯେଉଁ ଜୁଲୁମ୍‌ କରୁଛି ତାହାକୁ ହାଇକୋର୍ଟ ନାପସନ୍ଦ କରିଛନ୍ତି। ଏହାସହ ଘର ପାଖରେ କେମିତି ଅତ୍ୟାବଶ୍ୟକ ସାମଗ୍ରୀ ମିଳି ପାରିବ ସେଥିପ୍ରତି ରାଜ୍ୟ ସରକାର ବ୍ୟବସ୍ଥା କରିବାକୁ ହାଇକୋର୍ଟ କହିଛନ୍ତି। ଏଥିରେ ପୋଲିସ ଡିଜି ହସ୍ତକ୍ଷେପ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଲକ୍‌ଡାଉନ୍‌ ଘୋଷଣା ହେବା ପରେ ବାଇକ୍‌ ଚଳାଚଳ ଉପରେ କଟକଣା କରିଥିଲେ ରାଜ୍ୟ ସରକାର। ଏହାକୁ ବିଳମ୍ବ ନକରି କାର୍ଯ୍ୟକାରୀ କରିଥିଲା ପୋଲିସ। ସାମାଜିକ ଦୂରତା ରକ୍ଷା ହେଉ ନଥିବା ଅଭିଯୋଗରେ ପୋଲିସ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଯାଉଥିବା ଲୋକଙ୍କୁ ଅଟକାଇ ଏକପ୍ରକାର ଦାଦାଗିରି କରୁଥିଲା। ଦୋକାନ ଆଗରୁ ଗାଡ଼ି ଉଠାଇନେବା ସହ ଲୋକଙ୍କୁ ନିସ୍ତୁକ ମାଡ଼ ମାରୁଥିଲା। ଏପରିକି କିଛି ସ୍ଥାନରେ ପୋଲିସ ଗାଡ଼ିଭଙ୍ଗାରୁଜା କରୁଥିବା ଦେଖିବାକୁ ମିଳିଥିଲା। ପୋଲିସ ଭୟରେ ଲୋକେ ଗାଡ଼ି ଚଳାଇବା ଛାଡ଼ି ଦେଇଥିଲେ। ବଜାରକୁ ଚାଲି ଚାଲି ଯାଇ ସଉଦା କିଣୁଥିଲେ। ଏହା କେବଳ କଟକ, ଭୁବନେଶ୍ୱରରେ ନୁହେଁ, ସାରା ରାଜ୍ୟରେ ଦେଖିବାକୁ ମିଳିଥିଲା। ଏପରିକି ପନିପରିବା ବିକିବାକୁ ଆସିଥିବା ଲୋକଙ୍କୁ ମଧ୍ୟ ଛାଡ଼ି ନଥିଲା ପୋଲିସ। ଏହି ସମ୍ବେଦନଶୀଳ ଘଟଣାକୁ ହାଇକୋର୍ଟ ଗୁରୁତ୍ୱର ସହ ଗ୍ରହଣ କରି ପୋଲିସକୁ ମାନବିକତାର ପାଠ ପଢ଼ାଇଛନ୍ତି।

Comment