ଓଡ଼ିଶାଲାଇଭ୍‌ ବ୍ୟୁରୋ

ସହରର ମୁଖ୍ୟ ରାସ୍ତା ଏବଂ ଛକରେ ରହୁଥିବା କେନ୍ଦ୍ରାପଡ଼ା ପୋଲିସ କରୋନା ସଚେତନତା ପାଇଁ ଆଜି ଗାଁ ଗହଳିରେ ପହଞ୍ଚିଛି। ସହରର ବିଭିନ୍ନ ସାହି ବସ୍ତିରେ ରହୁଥିବା ଗରିବ ଲୋକଙ୍କ ନିକଟତର ହୋଇଛି। ସହରର ନସଡିପୁର ଓ ଶାମଗୁଡ଼ିଆ ଆଦି ଗାଁ ମାନଙ୍କରେ କରୋନା ସଚେତନତା କରିବା ପାଇଁ  ଘରେ ଘରେ ପହଞ୍ଚିଛି ଜିଲ୍ଲା ପୋଲିସ।

coronaକେନ୍ଦ୍ରାପଡା ସହରରେ ସରକାରଙ୍କ କରୋନା ସଚେତନତାର ବାର୍ତ୍ତା ଯେମିତି ପହଞ୍ଚୁଛି ଠିକ୍‌ ସେମିତି ବିଭିନ୍ନ ବସ୍ତି ଅଞ୍ଚଳରେ ପହଞ୍ଚି ପାରୁନି। ଲକଡାଉନ କଟକଣା ପାଇଁ ଏମାନେ ଘରୁ ବାହାରି ପାରୁନାହାନ୍ତି। ନିଜଘରେ ଏବେ ସେମାନେ ନିଜେ ବେଡ଼ି ପକାଇ ବସିଛନ୍ତି। ବାହାରକୁ ଗୋଡ କାଢିଲେ କରୋନାର ଭୟ ଯେତିକି ତା’ଠାରୁ ପୋଲିସ ଜୁଲମର ଭୟ ଅଧିକ ରହିଛି। ମୁଲ ମଜୁରୀ ବନ୍ଦ ହୋଇଯାଇଥିବାରୁ ଅନେକଙ୍କ ଘରେ ଏବେ ଖାଇବା ଚିନ୍ତା ବଢିଯାଇଛି। ରାସନ କାର୍ଡଧାରୀଙ୍କୁ ସିନା ସରକାର ୩ ମାସର ଆଗୁଆ ରାସନ ଦେଇଦେଲେ, ହେଲେ ରାସନ କାର୍ଡ ନଥିବା ଲୋକଙ୍କ ଅବସ୍ଥା ଅତ୍ୟନ୍ତ ଜଟିଳ ହେବାରେ ଲାଗିଛି। ନା ଏମାନଙ୍କ ନିକଟରେ ରାସନ ଅଛି ନା କାମ ମିଳୁଛି। ଦୈନିକ ମଜୁରୀ ଉପରେ ନିର୍ଭର କରୁଥିବା ଏହି ପରିବାରଙ୍କ ଦୁର୍ଦ୍ଦଶା ଏବେ ସଙ୍ଗୀନ ହେଲାଣି।

କେନ୍ଦ୍ରାପଡା ସହରର ଏପରି ବସ୍ତି ଅଞ୍ଚଳରେ ରହୁଥିବା ନସଡିପୁର ଓ ଶାମଗୁଡିଆ ଅଞ୍ଚଳକୁ ଠାବ କରିଥିଲା କେନ୍ଦ୍ରାପଡା ପୋଲିସ। ଆଜି ଏହି ଅଞ୍ଚଳରେ ବାସକରୁଥିବା ଗରିବ ପରିବାରଙ୍କ ନିକଟତର ହୋଇଛନ୍ତି କେନ୍ଦ୍ରାପଡା ଏସ୍ ପି ନିତିଶେଖର।

ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସହିତ ଏସ୍‌ପି ଏହି ବସ୍ତିରେ ବୁଲିବୁଲି କରୋନା ସଚେତନତା କରିଛନ୍ତି। ଘର ବାହାରକୁ ବାହାରିଲେ ମୁହଁରେ ମାସ୍କ ପିନ୍ଧିବା,  ସାମାଜିକ ଦୂରତ୍ୱ ବଜାୟ ରଖିବା। ପ୍ରତିଦିନ ୧୦ଥର ସାବୁନରେ ହାତ ଧୋଇବା, ଏଣେତେଣେ ଛେପ ନପକାଇବା, ବାହାରେ ମଳତ୍ୟାଗ ନକରିବା ଆଦି ସଚେତନତାର ବାର୍ତ୍ତା ଦେଇଛନ୍ତି ପୋଲିସ ଅଧିକାରୀମାନେ। ଏହାଛଡା ପ୍ରତି ପରିବାରରେ ସୁଖିଲା ଖାଦ୍ୟ ବିତରଣ କରିଛନ୍ତି।

Comment