ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏବେ ପଶ୍ଚିମ ଓଡ଼ିଶାରେ ୪ କରୋନା ଆକ୍ରାନ୍ତ। କଳାହାଣ୍ଡିରୁ ୨, ସୁନ୍ଦରଗଡ଼ରୁ ୨।

କାୟା ବିସ୍ତାର କରି ଚାଲିଛି କରୋନା ଭାଇରସ୍‌। ଉପକୂଳ ଓଡ଼ିଶାରେ ଜଣକ ପରେ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ପଶ୍ଚିମ ଓଡ଼ିଶାରେ କରୋନା ଜାଲରେ ଜଣକ ପରେ ଜଣେ ପଡୁଛନ୍ତି। କଳାହାଣ୍ଡି ପରେ ଏବେ ସୁନ୍ଦରଗଡ଼ରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପଶ୍ଚିମ ଓଡ଼ିଶାରେ ଭୟର ବାତାବରଣ ଦେଖାଦେଇଛି।

ପ୍ରଥମେ ରାଜଧାନୀ ଭୁବନେଶ୍ୱରରୁ ମାର୍ଚ୍ଚ ୧୫ରେ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଇଟାଲୀରୁ ଆସିଥିବା ଜଣେ ଯୁବକଙ୍କ ଦେହରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। ଏହି ଘଟଣା ପରେ ଓଡ଼ିଶାବାସୀଙ୍କ ମନରେ ଛନକା ସୃଷ୍ଟି ହୋଇଥିଲା। ଘର ପାଖରେ କରୋନା ଭୂତାଣୁ ପହଞ୍ଚି ଯାଇଥିବାରୁ ଲୋକଙ୍କ ମନରେ ଭୟ ଦେଖାଦେଇଥିଲା।

ମାର୍ଚ୍ଚ ୧୫ ପରେ ଦିନ ଗଢ଼ି ଚାଲିଲା। ତାରିଖ ମଧ୍ୟ ବଢ଼ି ଚାଲିଲା। ଏହାରି ଭିତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବି ବଢ଼ି ଚାଲିଲା। ଭୁବନେଶ୍ୱରରେ ଜଣକ ପରେ ଜଣେ ରୋଗୀ ଚିହ୍ନଟ ହେଲେ। ଭୁବନେଶ୍ୱରରେ ଏବେ କରୋନା ରୋଗୀଙ୍କ ସଂଖ୍ୟା ୪୧ରେ ପହଞ୍ଚିଛି। କେବଳ ଭୁବନେଶ୍ୱର ନୁହେଁ, ଭଦ୍ରକ, କଟକ, ପୁରୀ, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା। ଉପକୂଳ ଓଡ଼ିଶାରେ ଜଣକ ପରେ ଜଣେ ରୋଗୀ ଚିହ୍ନଟ ହେବାକୁ ନେଇ ସବୁଠି ଚିନ୍ତା ବଢ଼ିଥିଲା।

ହେଲେ ଏପ୍ରିଲ ୪ ତାରିଖରେ ଏକ ନୂଆ ଖବର ଆସିଥିଲା। ଉପକୂଳ ଓଡ଼ିଶା ପରେ ପଶ୍ଚିମ ଓଡ଼ିଶା କରୋନା ଆକ୍ରାନ୍ତ ତାଲିକାରେ ଯୋଡ଼ି ହୋଇଥିଲା। ପଛୁଆ ଅଞ୍ଚଳ ଭାବେ ପରିଚିତ କଳାହାଣ୍ଡି ଜିଲ୍ଲାରୁ ଜଣେ ଯୁବକ କରୋନା ଆକ୍ରାନ୍ତ ହୋଇଥିବା ରାଜ୍ୟ ସରକାର ସୂଚନା ଦେଲେ। ସଂପୃକ୍ତ ଯୁବକ ଜଣକ ବାହାରିନ୍‌ରୁ ଆସିଥିବା ସରକାର କହିଥିଲେ। ଏହାପରେ ପ୍ରଶାସନ ସଂପୃକ୍ତ ଯୁବକଙ୍କ ଗାଁକୁ ସିଲ୍‌ କରିବା ସହ ତାଙ୍କ ସଂସ୍ପର୍ଶରେ କିଏ କିଏ ଆସିଥିଲେ ଖୋଳତାଡ଼ କରିଥିଲା। ଯେଉଁମାନେ ଏହି ଆକ୍ରାନ୍ତଙ୍କ ସହ ମିଶିଛନ୍ତି ସେମାନେ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପ୍ରଶାସନ ପରାମର୍ଶ ଦେଇଥିଲା।

୧୦ ତାରିଖରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଥିଲା। ବାହାରିନ୍‌ରୁ ଆସିଥିବା ଆକ୍ରାନ୍ତଙ୍କ ସହ ଗୋଲମୁଣ୍ଡାର ଜଣେ ଯୁବକ ସଂସ୍ପର୍ଶରେ ଆସିଥିବାରୁ ତାଙ୍କ ନମୁନା ପଜିଟିଭ୍‌ ଆସିଥିଲଲା। ବର୍ତ୍ତମାନ କଳାହାଣ୍ଡିରେ ୨ ଆକ୍ରାନ୍ତ ଅଛନ୍ତି।

କଳାହାଣ୍ଡି ଜିଲ୍ଲାରୁ ଦୁଇ ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂପୃକ୍ତ ଜିଲ୍ଲା ସହ ଆଖପାଖ ଅଞ୍ଚଳ ସୋନପୁର, ବୌଦ୍ଧ, ବଲାଙ୍ଗୀର ଆଦି ଜିଲ୍ଲାରେ ଲୋକେ ଚିନ୍ତାରେ ପଡ଼ିଯାଇଥିଲେ। କରୋନାକୁ ମୁକାବିଲା କରିବା ପାଇଁ ପ୍ରଶାସନ ଏବଂ ସାଧାରଣ ଲୋକେ ମନଭିତରେ ସାହସ ବାନ୍ଧୁଥିବା ବେଳେ ଆଜି ଆଉ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥର କରୋନା ଆକ୍ରାନ୍ତ ପଶ୍ଚିମ ଓଡ଼ିଶାର ଖଣି ପ୍ରଭାବିତ ଅଞ୍ଚଳ ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ର ବିଶ୍ରା ଅଞ୍ଚଳରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ପଶ୍ଚିମ ଓଡ଼ିଶାବାସୀଙ୍କ ମନରେ ଭୟ ସୃଷ୍ଟି ହୋଇଛି।

ପ୍ରଥମେ କଳାହାଣ୍ଡି ଓ ଏବେ ସୁନ୍ଦରଗଡ଼ ଜିଲ୍ଲାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପଶ୍ଚିମ ଓଡ଼ିଶାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି।

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ବିଶ୍ରାକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରି ସିଲ୍‌ କରିଦେଇଛି। ଲୋକେ କେହି ଘରୁ ବାହାରିପାରିବେ ନାହିଁ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚିବ ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି। ଏହି ଆକ୍ରାନ୍ତମାନଙ୍କ ସହ କିଏ କିଏ ସଂସ୍ପର୍ଶରେ ଆସିଥିଲେ ସେନେଇ ପ୍ରଶାସନ ଖୋଳତାଡ଼ କରୁଛି।

କରୋନା ଭାଇରସ୍‌ ଏବେ ତାର ମୋଡ଼ ବଦଳାଇଛି। ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିବା ସହ ପଶ୍ଚିମ ଓଡ଼ିଶାରେ ବି ତାର କାୟା ମେଲାଇଲାଣି। ପଶ୍ଚିମ ଓଡ଼ିଶାର ଚାରି ଜଣଙ୍କୁ ମିଶାଇ ଏବେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି। ସେଥିମଧ୍ୟରୁ ୧୨ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ବର୍ତ୍ତମାନ ଚିକିତ୍ସାଧୀନ ଥିବା ୮୦ ପ୍ରତିଶତ ରୋଗୀଙ୍କ ପାଖରେ ଥଣ୍ଡା, କାଶ, ଛିଙ୍କ ଭଳି ଲକ୍ଷଣ ଦେଖାଦେଇ ନଥିବା ସରକାର କହିଛନ୍ତି। ଏହି ଖବର ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିଛି। ହେଲେ ଜିଲ୍ଲାରୁ ଜିଲ୍ଲାକୁ କରୋନା ବ୍ୟାପୁଥିବାରୁ ଏବଂ ଜରକ ପରେ ଜଣେ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଚିନ୍ତା ବଢ଼ିଛି।

Comment