ଓଡ଼ିଶାଲାଇଭ୍ ବ୍ୟୁରୋ
ହୃଦରୋଗ ବା ହୃଦୟଜନିତ ରୋଗ କାରଣରୁ ଭାରତରେ ମୃତ୍ୟୁ ସଂଖ୍ୟା ଅଧିକ। ଏକ ଅଧ୍ୟୟନ ଅନୁଯାୟୀ, ୧୦୦୦ ଲୋକଙ୍କ ମଧ୍ୟରୁ ୨୭୨ ଲୋକଙ୍କ ମୃତ୍ୟୁ ହୃଦରୋଗ କାରଣରୁ ହୋଇଥାଏ। ତେବେ ହୃଦୟ ରୋଗ କ’ଣ ପାଇଁ ହୁଏ ଓ ଏହାକୁ କେମିତି ରୋକିବା ଜାଣନ୍ତୁ।
ଶରୀରରେ ହାର୍ଟ ବା ହୃଦୟ ପାଖାପାଖି ୩୦୦ ଗ୍ରାମ୍ର ସେଓ ଆକାର ସଦୃଶ। ହୃଦୟ ରକ୍ତକୁ ପମ୍ପ କରି ଅନ୍ୟ ଅଙ୍ଗକୁ ରକ୍ତ ଯୋଗାଇଥାଏ। ଏହାସହ ୩ଟି କରୋନାରୀ ଧମନୀ ମାଧ୍ୟମରେ ନିଜେ ରକ୍ତ ନେଇଥାଏ। ହାର୍ଟ ୧ ମିନିଟ୍ରେ ୭୨ ଥର ରକ୍ତକୁ ପମ୍ପ କରିଥାଏ। ପ୍ରତିଥର ହାର୍ଟ ରକ୍ତକୁ ପମ୍ପ କରି ପୂରା ଶରୀରକୁ ଯୋଗାଇଥାଏ।
ହୃଦ ରୋଗ ବିଭିନ୍ନ ପ୍ରକାରର ଥାଏ ଓ ପ୍ରକାର ଅନୁଯାୟୀ ଲକ୍ଷଣ ଦେଖାଦେଇଥାଏ।
- କୋରୋନାରି ଆର୍ଟେରୀ ରୋଗ (କୋରୋନାରି ଧମନୀ ରୋଗ)
- କାର୍ଡିଓମାୟୋପାଥି
- ଭଲ୍ଭ ଆବନରମାଲିଟିଜ୍
- ଅନିୟମିତ ହୃଦସ୍ପନ୍ଦନ
କୋରୋନାରି ଆର୍ଟେରୀ ରୋଗ (କୋରୋନାରି ଧମନୀ ରୋଗ)
ଲଗାତାର ପମ୍ପ କରୁଥିବା ହାର୍ଟକୁ ରକ୍ତର ପ୍ରବାହ କରୁଥିବା କରୋନାରି ନଳୀର ରାସ୍ତା ଅବରୋଧିତ ହେଲେ କୋରୋନାରି ଆର୍ଟେରୀ ରୋଗ ହୋଇଥାଏ। ଯେତେବେଳେ ପ୍ଲେକ୍ ନାମକ ଏକ ମୋଟା, ଚର୍ବିଯୁକ୍ତ ପଦାର୍ଥ କୋରୋନାରି ଧମନୀ ଭିତରେ ତିଆରି ହୁଏ ସେତେବେଳେ ଏହି ଧମନୀ ବାଟ ଦେଇ ରକ୍ତ ପ୍ରବାହିତ କଷ୍ଟକର ହୋଇଥାଏ।
କୋରୋନାରି ଧମନୀ ରୋଗ କାରଣ: ହାର୍ଟରେ ଥିବା ଧମନୀ କାନ୍ଥରେ ପ୍ଲେକ୍ ନିର୍ମାଣ ହେବା ଯୋଗୁଁ ସିଏଡି ହୁଏ। ଧମନୀରେ ଚର୍ବି, କୋଲେଷ୍ଟେରୋଲକୁ ନେଇ ପ୍ଲେକ୍ ତିଆରି ହୁଏ। ପ୍ଲେକ୍ ତିଆରି ହେବା ଫଳରେ ଧମନୀ ଭିତର ଅଂଶ ସଂକୀର୍ଣ୍ଣ ହୋଇଯାଏ, ଯାହା ରକ୍ତ ପ୍ରବାହକୁ ଆଂଶିକ ବା ସମ୍ପୂର୍ଣ୍ଣ ରୂପେ ଅବରୋଧ କରିଥାଏ। ଏହି ପ୍ରକ୍ରିୟାକୁ ଆଥେରୋସ୍କ୍ଲେରୋସିସ୍ ମଧ୍ୟ କୁହାଯାଏ।
ଲକ୍ଷଣ: ଧମନୀରେ ପ୍ଲେକ୍ ଜମା ହେବା ଦ୍ୱାରା ହାର୍ଟ ଅନ୍ୟ ଅଙ୍ଗକୁ ରକ୍ତ ପମ୍ପ କରିପାରେ ନାହିଁ। ଫଳରେ ଛାତି ଯନ୍ତ୍ରଣା, ଅସ୍ୱାଭାବିକତା, ଦୁର୍ବଳତା, ହାଲୁକା ମୁଣ୍ଡ ବିନ୍ଧା, ବାନ୍ତି ଓ ଥଣ୍ଡା ଲାଗିବା ଭଳି ଲକ୍ଷଣ ଦେଖାଯାଏ। ଏହାସହ ବାହୁ କିମ୍ବା କାନ୍ଧରେ ଯନ୍ତ୍ରଣା, ନିଶ୍ଵାସ ପ୍ରଶ୍ୱାସ ବେଗ ଧୀର ହେବା ଭଳି ସମସ୍ୟା ପରିଲିକ୍ଷିତ ହୋଇଥାଏ।
ଯେତେବେଳେ ହୃଦୟର କରୋନାରୀ ଧମନୀର ଭିତର ପାର୍ଶ୍ୱରେ ଏହି ପ୍ଲେକ୍ କାନ୍ଥ ଭଳି ମାଡ଼ିଯାଏ, ତେବେ ବ୍ୟକ୍ତିଙ୍କୁ ହାର୍ଟ ଆଟାକ ଓ ହାର୍ଟ ଫେଲ୍ୟୁୟର ହେବାର ଆଶଙ୍କା ଅଧିକ ଥାଏ।
କୋରୋନାରି ଧମନୀ ରୋଗ କାରଣ: ଅଧିକ ଓଜନ, ଶରୀରିକ ପରିଶ୍ରମର ଅଭାବ, ଅସ୍ୱାସ୍ଥ୍ୟକର ଖାଦ୍ୟ, ତମାଖୁ ସେବନ, ଚର୍ବିଯୁକ୍ତ ଖାଦ୍ୟର ସେବନ, ତମାଖୁ ସେବନ କୋରୋନାରି ଧମନୀ ରୋଗର ମୁଖ୍ୟ କାରଣ।
ହୃଦରୋଗର ଅନ୍ୟ ଏକ କାରଣ ହେଉଛି ବଂଶାନୁଗତ।
କାର୍ଡିଓମାୟୋପାଥି
ହୃଦରୋଗର ଅନ୍ୟ ଏକ କାରଣ ହେଲା କାର୍ଡିଓମାୟୋପାଥି। ଏହା ହେଉଛି ହୃଦୟ ମାଂସପେଶୀର ଏକ ରୋଗ। ଅଧିକାଂଶ ସମୟରେ ହୃଦୟର ମାଂସପେଶୀ ଦୁର୍ବଳ ହୋଇଯାଏ, ଯାହା ଶରୀରର ଅନ୍ୟ ଅଂଶକୁ ରକ୍ତକୁ ପମ୍ପ କରିବାରେ ଅସମର୍ଥ ହୋଇଥାଏ। କାର୍ଡିଓମାୟୋପାଥି ହୃଦଘାତ, ହାର୍ଟ ଫେଲ୍ୟୁୟରର କାରଣ ସାଜିଥାଏ।
କାର୍ଡିଓମାୟୋପାଥି ୪ ଭାଗରେ ବିଭକ୍ତ। ଯଥା- ଡିଲେଟେଡ୍ କାର୍ଡିଓମାୟୋପାଥି, ହାଇପରଟ୍ରୋଫିକ୍ କାର୍ଡିଓମାୟୋପାଥି, ରେଷ୍ଟ୍ରିକ୍ଟିଭ୍ କାର୍ଡିଓମାୟୋପାଥି, ଆରିଥ୍ମୋଜେନିକ୍ ରାଇଟ୍ ଭେଣ୍ଟ୍ରିକୁଲାର ଡିସ୍ପ୍ଲାସିଆ।
ଲକ୍ଷଣ: ହୃଦରୋଗର ପ୍ରାରମ୍ଭିକ ଅବସ୍ଥାରେ କାର୍ଡିଓମାୟୋପାଥିର କୌଣସି ଲକ୍ଷଣ ଜଣାପଡ଼ି ନଥାଏ। କିନ୍ତୁ ଅବସ୍ଥା ଗୁରୁତର ହେଲେ ଲକ୍ଷଣ ଧୀରେଧୀରେ ଜଣାପଡ଼ିଥାଏ।
ଅଣନିଶ୍ୱାସୀ ଲାଗିବା, ଗୋଡ଼ ଓ ପାଦ ଫୁଲିଯିବା, ପେଟ ଫୁଲିଯିବା, ଶୋଇବା ସମୟରେ କାଶ, ଥକ୍କା ଲାଗିବା, ହୃଦସ୍ପନ୍ଦନର ବେଗ ବଢ଼ିବା, ମୁଣ୍ଡ ବୁଲାଇବା, ଅଚେତ ହୋଇଯିବା ଭଳି ଲକ୍ଷଣ ହେଉଛି କାର୍ଡିଓମାୟୋପାଥିର ଲକ୍ଷଣ।
କାରଣ: କାର୍ଡିଓମାୟୋପାଥିର କାରଣଗୁଡ଼ିକ ହେଉଛି ଦୀର୍ଘକାଳୀନ ଉଚ୍ଚରକ୍ତଚାପ, ହୃଦୟ ମାଂସପେଶୀ ଦୁର୍ବଳ ହୋଇଗଲେ, ହୃଦୟ ଭଲ୍ଭ ସମସ୍ୟା, ମଧୁମେହ, ମେଦବହୁଳତା, ଥାଇରଏଡ୍, ଗର୍ଭଧାରଣରେ ଜଟିଳତା, ଅତ୍ୟଧିକ ମଦ୍ୟପାନ, କୋକେନ୍ ବା ଷ୍ଟେରୋଏଡ୍ର ବ୍ୟବହାର ଓ ବଂଶଗତ।
ହାର୍ଟ ଭଲ୍ଭ ରୋଗ
ହୃଦୟରେ ଚାରୋଟି ଚାମ୍ବରର ଦ୍ୱାର ବା କବାଟ ଭଳି ଥାଏ ଭଲ୍ଭ। ଏହି ଭଲ୍ଭ ଦ୍ୱାର ଦେଇ ରକ୍ତ ଚାମ୍ବରକୁ ଯାଇଥାଏ।
ଉଦାହରଣ ସ୍ଵରୂପ: ହୃଦହରେ ୪ଟି ଚାମ୍ବର ବା ଘର ଥାଏ। ପୂରା ଶରୀରର ରକ୍ତ ଚାମ୍ବର ୧କୁ ଆସିଥାଏ, ଏଠାରେ ସଫା ହେବା ପରେ ରକ୍ତ ପୂରା ଶରୀରରେ ପ୍ରବାହିତ ହୋଇଥାଏ। ରକ୍ତ ଚାମ୍ବର ୧କୁ ଆସିଥାଏ ପୁଣି ସେଠାରୁ ଚାମ୍ବର ୨କୁ ପମ୍ପ ହୋଇଥାଏ, ପୁଣି ଚାମ୍ବର ୨ରୁ ଏହି ରକ୍ତ ଫୁସ୍ଫୁସ୍କୁ ଯାଇଥାଏ, ଫୁସ୍ଫୁସ୍ରୁ ଅକ୍ସିଜେନ୍କୁ ପୂର୍ଣ୍ଣ କରି ପୁଣି ଚାମ୍ବର ୩କୁ ଯାଇଥାଏ, ପୁଣି ଚାମ୍ବର ୩ରୁ ରକ୍ତ ପମ୍ପ କରିବା ପରେ ଏହା ୪କୁ ଯାଏ ଏହାପରେ ଚାମ୍ବର ୪ ରକ୍ତକୁ ପମ୍ପ କରି ଏହା ପୂରା ଶରୀରକୁ ଯାଇଥାଏ। ଏହି ଚାମ୍ବରରେ ରକ୍ତ ପ୍ରବେଶ ଓ ପ୍ରସ୍ଥାନ ବେଳେ ଭଲ୍ଭ ଦେଇ ଯାଇଥାଏ। ବେଳେବେଳେ ଏହି ଭଲ୍ଭଗୁଡ଼ିକ ପରସ୍ପର ସହ ଲାଗିଯାଏ, ଯାହାକୁ ଭାଲଭୁଲାର ଷ୍ଟେନୋସିସ୍ କୁହାଯାଏ। ଏହି ସମୟରେ ଭଲ୍ଭର ଆକାର ଛୋଟ ହୋଇଯାଏ ଫଳରେ ହାର୍ଟକୁ ରକ୍ତ ପମ୍ପ କରିବା କଷ୍ଟ ହୋଇଥାଏ।
ହୃଦରୋଗ ହେବାର କାରଣ
ବୟସ: ବୟସ ବୃଦ୍ଧି ହେବା ଫଳରେ ଧମନୀ ଦୁର୍ବଳ ଓ ସରୁ ହୋଇଯିବାର ଆଶଙ୍କା ଥାଏ, ଏହାସହ ହାର୍ଟର ମାଂସପେଶୀ ଦୁର୍ବଳ ହୋଇଯାଏ, ଯାହାକୁ ଆମେ କାର୍ଡିଓମାୟୋପାଥି ବୋଲି କହୁ।
ଲିଙ୍ଗ: ମହିଳାମାନଙ୍କ ଅପେକ୍ଷା ପୁରୁଷମାନଙ୍କଠାରେ ହୃଦରୋଗ ହେବାର ଆଶଙ୍କା ଅଧିକ। କିନ୍ତୁ, ମେନୋପଜ୍ ପରେ ମହିଳାଙ୍କଠାରେ ହୃଦରୋଗ ହେବାର ଆଶଙ୍କା ବଢ଼ିଥାଏ।
ବଂଶଗତ: ହୃଦରୋଗ ବଂଶାନୁଗତ ହୋଇଥାଏ।
ଧୂମପାନ: ସିଗାରେଟ୍, ବିଡ଼ି, ତମାଖୁ, ଗଞ୍ଜେଇ ଭଳି ଧୂମପାନ ଯୋଗୁଁ ରକ୍ତବାହୀ ନଳୀ ସଙ୍କୋଚିତ ହୋଇଯାଏ। କାର୍ବନ ଡାଇଅକ୍ସାଇଡ୍ ଧମନୀର ଭିତର ପାର୍ଶ୍ୱକୁ ନଷ୍ଟ କରିଦିଏ। ଅଧ୍ୟୟନ ଅନୁଯାୟୀ, ଧୂମପାନ କରୁଥିବା ବ୍ୟକ୍ତିଙ୍କଠାରେ ହୃଦଘାତ ସମସ୍ୟା ଅଧିକ ଦେଖାଦେଇଛି।
ଅସ୍ୱାସ୍ଥ୍ୟକର ଖାଦ୍ୟ: ଚର୍ବି, ଲୁଣ, ଚିନି, ତେଲମସଲାଯୁକ୍ତ ଖାଦ୍ୟ ହୃଦରୋଗର କାରଣ ହୋଇଥାଏ।
ଉଚ୍ଚରକ୍ତଚାପ: ଉଚ୍ଚ ରକ୍ତଚାପ ହେବା ଫଳରେ ଧମନୀଗୁଡ଼ିକ ମୋଟା ଓ ଟାଣ ହୋଇଯାଏ, ଫଳରେ ହାଟ;କୁ ରକ୍ତ ପମ୍ପ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ। ଯାହା ହାର୍ଟ ଆଟାକ୍ର କାରଣ ହୋଇଥାଏ।
ରକ୍ତଶର୍କରା: ରକ୍ତରେ ଶର୍କରା ବା ସୁଗାର ବଢ଼ିଗଲେ ଧମନୀରେ ପ୍ଲେକ୍ ଜମା ହୋଇଯାଏ, ଏହା ରକ୍ତ ପ୍ରବହାରକୁ ରୋକିଥାଏ।
ହୃଦରୋଗ ଡାକିପାରେ ଏହି ସମସ୍ୟା
ହୃଦରୋଗ ହେବା ଫଳରେ ଅନେକ ସମସ୍ୟା ହୋଇଥାଏ। ହୃଦଘାତ, ହାର୍ଟ ଫେଲ୍ୟୁୟର, ଷ୍ଟ୍ରୋକ, ଆନେୟୁରିଜିମ୍, ପେରିଫେରାଲ ଧମନୀ ରୋଗ, କାର୍ଡିଆକ୍ ଆରେଷ୍ଟ ଭଳି ବଡ଼ ବଡ଼ ସମସ୍ୟା ସହ ଜଡ଼ିତ ଥାଏ ହୃଦରୋଗ। ଏଭଳି ସମସ୍ୟା ମୃତ୍ୟୁର କାରଣ ହୋଇଥାଏ।
ନିରାକରଣ
କେତେକ ପ୍ରକାରର ହୃଦରୋଗ ଯେପରିକି ହୃଦଘାତକୁ ରୋକା ଯାଇପାରିବ ନାହିଁ। ତଥାପି ଜୀବନଶୈଳୀରେ ପରିବର୍ତ୍ତନ କରି ଅନ୍ୟ ପ୍ରକାରର ହୃଦରୋଗକୁ ରୋକିପାରିବେ।
ଧୂମପାନକୁ ଛାଡ଼ନ୍ତୁ।
ଅନ୍ୟ ଶାରୀରିକ ସମସ୍ୟାକୁ ନିୟନ୍ତ୍ରଣ କରନ୍ତୁ, ଯେପରିକି ଉଚ୍ଚ ରକ୍ତଚାପ, କୋଲେଷ୍ଟେରୋଲ, ଡାଏବେଟିସ୍।
ଦିନକୁ ଅତିମ୍ରେ ୩୦ ମିନିଟ୍ ଏକ୍ସରସାଇଜ୍ କରନ୍ତୁ।
କମ୍ ଲୁଣ, କମ୍ ଚର୍ବିଯୁକ୍ତ, ବିନା ତେଲ ମସଲା ଖାଦ୍ୟ ଖଆନ୍ତୁ।
ଓଜନକୁ ନିୟନ୍ତ୍ରଣ କରନ୍ତୁ।
ଚାପମୁକ୍ତ ରହିବାକୁ ଚେଷ୍ଟା କରନ୍ତୁ।
ପରିଷ୍କାର ପରିଚ୍ଛନ ପ୍ରତି ଧ୍ୟାନ ଦିଅନ୍ତୁ।