ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏବେ ହୃଦଘାତ ଭଳି ମାରାତ୍ମକ ରୋଗ ଏକ ସାଧାରଣ କଥାରେ ପରିଣତ ହୋଇଛି। ଜାଣନ୍ତୁ, ହାର୍ଟ ଆଟାକର ମୁଖ୍ୟ କାରଣ କ’ଣ?

୧- ହୃଦୟ ମାଂସପେଶୀକୁ ରକ୍ତ ପ୍ରବାହ ଅବରୋଧ ହେଲେ ହୃଦଘାତ ହୁଏ।

୨- ହୃଦୟ ମାଂସପେଶୀକୁ ଯେଉଁ ଧମନୀ (କୋରୋନାରି ଧମନୀ) ରକ୍ତ ଯୋଗାଉଛି, ସେହି ଧମନୀରେ ଯଦି କୌଣସି କାରଣ ଯୋଗୁଁ ବ୍ଲକେଜ୍‌ ହୋଇ ରକ୍ତ ସଞ୍ଚାଳନ ବନ୍ଦ ହୋଇଯାଏ, ସେତେବେଳେ ହୃଦୟ ମାଂସପେଶୀକୁ ଆଘାତ ପହଞ୍ଚିଥାଏ। ତାହାକୁ ଆମେ ହାର୍ଟ ଆଟାକ କହିଥାଉ।

୩- ହୃଦଘାତ (ମାୟୋକାର୍ଡିଆଲ ଇନ୍‌ଫାର୍କସନ୍‌ ବା ଏମ୍‌ଆଇ) – ଯେତେବେଳେ ହୃଦୟରେ ଥିବା କରୋନାରି ଧମନୀରେ ରକ୍ତ ପ୍ରବାହ ଅବରୋଧିତ ହୋଇଯାଏ, ସେତେବେଳେ ହୃଦୟ ମାଂସପେଶୀ ରକ୍ତ ଓ ଅମ୍ଳଯାନରୁ ବଞ୍ଚିତ ହୋଇଥାଏ। ଯାହାଦ୍ଵାରା ହୃଦୟ ମାଂସପେଶୀରେ ଆଘାତ ଲାଗିଥାଏ। ଏହାକୁ ହୃଦଘାତ ବା ହାର୍ଟ ଆଟାକ କୁହାଯାଏ।

ହାର୍ଟ ଆଟାକ ବା ହୃଦଘାତ ତିନି ପ୍ରକାରର – ମାଇନର ହାର୍ଟ ଆଟାକ (Minor Heart attack)

ମେଜର ହାର୍ଟ ଆଟାକ (major Heart attack)

ମାସିଭ୍‌ ହାର୍ଟ ଆଟାକ (Massiv Heart attack)

ହାର୍ଟ ତିନୋଟି କୋରୋନାରି ଧମନୀ (ଡାହାଣ କରୋନାରି ଧମନୀ, ଏଲଏଡି ଧମନୀ, ଏଲ୍‌ସିଏକ୍ସ) ମାଧ୍ୟମରେ ନିଜ ପାଇଁ ରକ୍ତ ଓ ଅମ୍ଲଯାନ ନେଇଥାଏ। ଯେତେବେଳେ ଏହି ଧମନୀରେ ବ୍ଲକେଜ୍‌ ବା ଅବରୋଧିତ ହୁଏ ହାର୍ଟ ରକ୍ତ ଓ ଅମ୍ଳଯାନ ନେବାରୁ ବଞ୍ଚିତ ହୋଇଥାଏ। ଯାହା ହୃଦଘାତର କାରଣ ହୋଇଥାଏ।

କ’ଣ ପାଇଁ ହୁଏ ହାର୍ଟ ଆଟାକ

ସମୟ ସହିତ, କୋରୋନାରି ଧମନୀରେ ବିଭିନ୍ନ ପଦାର୍ଥ ବା କୋଲେଷ୍ଟେରୋଲ (ଆଥେରୋସ୍କ୍ଲେରୋସିସ୍) ଓ ଚର୍ବିର ଗଠନ ଯୋଗୁଁ ଧମନୀ ସଙ୍କୁଚିତ ହୋଇଯାଏ, ଯାହାକୁ କୋରୋନାରି ଧମନୀ ରୋଗ କୁହାଯାଏ। ଏହି ଅବସ୍ଥା ହୃଦଘାତର କାରଣ ହୋଇଥାଏ। ଧମନୀରେ ଚର୍ବି ବା କୋଲେଷ୍ଟେରୋଲ ଯୋଗୁଁ ଯେଉଁ ବ୍ଲକେଜ୍‌ ହୁଏ ତାହା ଉପରେ ଏକ ପରଦା ଥାଏ, ଯେତେବେଳେ ଏହି ବ୍ଲକେଜ୍‌ ବଢ଼ିଯାଏ, ସେତେବେଳେ ଏହି ପରଦା ଫାଟିଯାଏ। ପରଦା ଫାଟିଯିବା ଫଳରେ ଏହି ଧମନୀ ମାଧ୍ୟମରେ ଯାଉଥିବା ରକ୍ତ ଜମାଟ ବାନ୍ଧିଯାଏ। ଯାହା ଫଳରେ ରକ୍ତ ସଞ୍ଚାଳନ ହୋଇପାରି ନଥାଏ, ଯାହାକୁ ହୃଦଘାତ ବୋଲି କହିଥାଉ।

ହୃଦଘାତର ଅନ୍ୟ ଏକ କାରଣ ହେଉଛି କରୋନାରୀ ଧମନୀର ଏକ ସ୍ପାମ୍, ଯାହା ହୃଦୟ ମାଂସପେଶୀର କିଛି ଅଂଶକୁ ରକ୍ତ ପ୍ରବାହ ବନ୍ଦ କରିଥାଏ। କୋକେନ, ତମାଖୁ ଏବଂ ସିଗାରେଟ୍‌ ବ୍ୟବହାର କରିବା ଦ୍ୱାରା ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ।

ହାର୍ଟ ଆଟାକର କାରଣ

ହାର୍ଟ ଆଟାକ ହେବାର କେତେକ ରିସ୍କ ଫ୍ୟାକ୍ଟର ରହିଛି, ଯାହା କାରଣରୁ ହାର୍ଟ ଆଟାକ ହେବାର ରିସ୍କ ବଢ଼ିଯାଇଥାଏ।

ବୟସ: ୪୫ ବର୍ଷରୁ ଅଧିକ ବୟସ୍କ ପୁରୁଷ ଓ ୫୫ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କଠାରେ ସାଧାରଣତଃ ହୃଦଘାତର ଆଶଙ୍କା ଅଧିକ।

ବଂଶାନୁଗତ: ଆପଣଙ୍କ ପରିବାରରୁ କାହାକୁ ଯଦି ହୃଦଘାତ ହୋଇଥାଏ, ତେବେ ହାର୍ଟ ଆଟାକର ରିସ୍କ ଅଧିକ ଥାଏ।

ଉଚ୍ଚରକ୍ତଚାପ: ସମୟ ସହିତ, ଉଚ୍ଚ ରକ୍ତଚାପ ଆପଣଙ୍କ ଧମନୀକୁ ନଷ୍ଟ କରିଦିଏ ଫଳରେ ହାର୍ଟକୁ ରକ୍ତ ଅମ୍ଳଯାନ ମିଳିପାରି ନଥାଏ। ଫଳରେ ହୃଦଘାତ ହେବାର ଆଶଙ୍କା ଅଧିକ।

ଉଚ୍ଚ ରକ୍ତ କୋଲେଷ୍ଟେରୋଲ: ଖରାପ କୋଲେଷ୍ଟେରୋଲ ଧମନୀକୁ ସଙ୍କୋଚିତ କରିଦିଏ, ଯାହା ହାର୍ଟ ଆଟାକର କାରଣ ହୋଇଥାଏ।

ଡାଇବେଟିସ୍‌, ଧୂମପାନ, ମେଦବହୁଳତା, ବ୍ୟାୟାମର  ଅଭାବ, ମଦ୍ୟପାନ, ଚାପ ଓ ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ମଧ୍ୟ ହାର୍ଟ ଆଟାକର କାରଣ ହୋଇଥାଏ।

ଲକ୍ଷଣ

ଯଦିଓ ଛାତି ଯନ୍ତ୍ରଣା କିମ୍ବା ଚାପ ହୃଦଘାତର ସବୁଠାରୁ ସାଧାରଣ ଲକ୍ଷଣ, ହୃଦଘାତରେ ପୀଡ଼ିତମାନେ ବିଭିନ୍ନ ଅବସ୍ଥା ଅନୁଭବ କରିପାରନ୍ତି:

ଛାତି ଯନ୍ତ୍ରଣା

ଦାନ୍ତ ଓ ଦାନ୍ତ ମାଢ଼ିରେ ଅଧିକ ଯନ୍ତ୍ରଣା

ମୁଣ୍ଡ ବିନ୍ଧା

ଛାତି ପୋଡ଼ାଜ୍ୱଳା ହେବା

ବାହୁ ବା କାନ୍ଧ ବିନ୍ଧିବା

ଉପର ପିଠି ଯନ୍ତ୍ରଣା

ଅଧିକ ଝାଳ ବୋହିବା

ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା

ସମସ୍ତଙ୍କଠାରେ ସମାନ ଲକ୍ଷଣ ଦେଖାଯାଏ ନାହିଁ। କିଛି ଲୋକଙ୍କର ଅଧିକ ଯନ୍ତ୍ରଣା ହୁଏ ଓ କିଛି ଲୋକଙ୍କର ଅଳ୍ପ ଯନ୍ତ୍ରଣା ହୁଏ। କିଛି ହୃଦଘାତ ହଠାତ୍‌ ୧ ସେକେଣ୍ଡରେ ଆଘାତ କରେ, ହେଲେ କିଛି ଲୋକଙ୍କର କେତେ ଘଣ୍ଟାଏ, ଦିନ ଓ ସପ୍ତାହ ପୂର୍ବରୁ ଚେତାବନୀ ବା ଲକ୍ଷଣ ଥାଏ।

କିଛି ଲୋକଙ୍କର ହୃଦଘାତର ପ୍ରାଥମିକ ଚେତାବନୀ ଅର୍ଥାତ୍‌ ବାରମ୍ବାର ଛାତି ଯନ୍ତ୍ରଣା ବା ଆଞ୍ଜାଇନା ହୋଇପାରେ, ଯାହା ପରିଶ୍ରମ ଦ୍ୱାରା ଛାତି ଯନ୍ତ୍ରଣା ହୋଇଥାଏ ଓ ବିଶ୍ରାମ ଦ୍ୱାରା ଠିକ୍‌ ହୋଇଯାଏ। ହୃଦୟରେ ରକ୍ତର ପ୍ରବାହର ଅସ୍ଥାୟୀ ହ୍ରାସକୁ ଆଞ୍ଜାଇନା କୁହାଯାଏ।

କିଛି ଲୋକ ହୃଦଘାତର ଲକ୍ଷଣକୁ ଥକ୍କା ବା ଚାପ ବୋଲି ଦର୍ଶାନ୍ତି ଓ ଚିକିତ୍ସା କରିବାରେ ବିଳମ୍ବ କରିଥା’ନ୍ତି। ହେଲେ ପ୍ରାରମ୍ଭିକ ଚିକିତ୍ସା କରାଇନେବା ଲାଭଦାୟକ ହୋଇଥାଏ। ଚିକିତ୍ସା ବିଳମ୍ବରେ ହେଲେ ହୃଦୟ ମାଂସପେଶୀରେ ଅଧିକ କ୍ଷତି ହୋଇ ହୃଦୟର କାର୍ଯ୍ୟ ସ୍ଥାୟୀ ଭାବରେ ହ୍ରାସ ହୋଇପାରେ।

ହୃଦଘାତ ଡାକିଆଣେ ଏହିସବୁ ବିପଦ

ହାର୍ଟ ଫେଲ୍: ହାର୍ଟ ଫେଲ୍ୟୁଅର ହେଉଛି ଏକ ଅବସ୍ଥା ଯେଉଁଥିରେ ହୃଦୟ ପର୍ଯ୍ୟାପ୍ତ ମାତ୍ରାରେ ସଙ୍କୋଚନ ପ୍ରସାରଣ ପମ୍ପିଙ୍ଗ୍) କରି ନ ପାରିବାରୁ ଆବଶ୍ୟକୀୟ ରକ୍ତ ସଞ୍ଚାଳନର ମାତ୍ରା କମିଯାଏ। ଏହାଯୋଗୁଁ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ଯଥେଷ୍ଟ ପରିମାଣରେ ରକ୍ତ ପାଇପାରନ୍ତି ନାହିଁ। ହୃଦୟର ମାଂସପେଶୀ ବିଭିନ୍ନ କାରଣରୁ ଦୁର୍ବଳ ହୋଇପଡ଼ିବା ଫଳରେ ଏହି ଅବସ୍ଥା ହୋଇଥାଏ। ତେବେ ହୃଦଘାତ ପରବର୍ତ୍ତୀ ପର୍ଯ୍ୟାୟରେ ହାର୍ଟ ଫେଲ୍ୟୁଅର ଆଡ଼କୁ ଗତି କରିଥାଏ, ତେଣୁ ପ୍ରାରମ୍ଭିକ ଅବସ୍ଥାରେ ଠିକ୍ ଭାବେ ରୋଗ ନିରୂପଣ କରି ଚିକିତ୍ସା କରାଯିବା ଆବଶ୍ୟକ।

ଯେତେବେଳେ ବହୁ ପରିମାଣର ହୃଦୟ ମାଂସପେଶୀ ମରିଯାଏ, ସେତେବେଳେ ଶରୀରକୁ ରକ୍ତ ପମ୍ପ କରିବାର କ୍ଷମତା ହୃଦୟର କମିଯାଏ ଏବଂ ଏହା ହାର୍ଟ ଫେଲ୍‌ ମାରିବାର ମୁଖ୍ୟ କାରଣ। ହୃଦଘାତ ଅସ୍ଥାୟୀ ହୋଇପାରେ, କିମ୍ବା ଏହା ଏକ ଦୀର୍ଘସ୍ଥାୟୀ ଅବସ୍ଥା ହୋଇପାରେ ଯାହା ଆପଣଙ୍କ ହୃଦୟର ବ୍ୟାପକ ଏବଂ ସ୍ଥାୟୀ କ୍ଷତି କରିଥାଏ।

ଭେଣ୍ଟ୍ରିକୁଲାର ଫାଇବିଲେସନ୍‌: ଭେଣ୍ଟ୍ରିକୁଲାର ଫାଇବ୍ରିଲେସନ୍ ହେଉଛି ଏକ ହୃଦୟର ଗତି ସମସ୍ୟା, ଯେତେବେବେଳ ହୃଦସ୍ପନ୍ଦନ ଦ୍ରୁତ, ତ୍ରୁଟିପୂର୍ଣ୍ଣ ହୋଇଥାଏ, ସେତେବେଳେ ଏହି ସମସ୍ୟା ଦେଖାଯାଏ। ଫଳରେ ହୃଦୟରେ ଥିବା ଚାମ୍ବର ରକ୍ତକୁ ପମ୍ପ କରିପାରି ନଥାଏ। ଫଳରେ ହୃଦଘାତ ହୋଇଥାଏ।  ଭେଣ୍ଟ୍ରିକୁଲାର ଫାଇବ୍ରିଲେସନ୍, ଏକ ଜରୁରୀକାଳୀନ ପରିସ୍ଥିତି ଯାହା ତୁରନ୍ତ ଡାକ୍ତରୀ ଚିକିତ୍ସା ଆବଶ୍ୟକ କରେ, ବ୍ୟକ୍ତିକୁ କିଛି ସେକେଣ୍ଡ ପାଇଁ ଅଚେତ୍‌ କରିଦିଏ। ଏହା ହେଉଛି ହୃଦଘାତର ଏକ କାରଣ।

ଚିକିତ୍ସା

ଯଦି ଆପଣ ହୃଦଘାତର କୌଣସି ଲକ୍ଷଣ ବିଷୟରେ ଜାଣିବାକୁ ପାଉଛନ୍ତି, ତେବେ ତୁରନ୍ତୁ ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ। ପ୍ରଥମେ ଡାକ୍ତର ଆପଣଙ୍କର ରକ୍ତଚାପ, ନାଡ଼ ଓ ତାପମାତ୍ରା ଯାଞ୍ଚ କରିବେ। ଏହାଛଡ଼ା ଡାକ୍ତର ଆପଣଙ୍କର ଇସିଜି ଓ ରକ୍ତ ପରୀକ୍ଷା କରିବେ।

ଯଦି ଆପଣଙ୍କର ହୃଦଘାତ ହୋଇଛି କିମ୍ବା ଅଛି, ତେବେ ଡାକ୍ତର ଆପଣଙ୍କର ଅତିରିକ୍ତ ପରୀକ୍ଷା ମଧ୍ୟ କରିପାରନ୍ତି, ଯେପରିକି ଛାତି ଏକ୍ସରେ,  ଇକୋକାର୍ଡିଓଗ୍ରାମ୍‌, କୋରୋନାରି କ୍ୟାଥେଟେରିଜେସନ୍‌ (ଆଞ୍ଜିଓଗ୍ରାମ୍‌), କାର୍ଡିଆକ୍‌ ସିଟି ତଥା ଏମଆରଆଇ।

Comment