ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକଡାଉନର ନିରୋଳା ସୁଯୋଗରେ ଭିତରକନିକା ଜଙ୍ଗଲରୁ ବାର୍‌ହା ଓ ହରିଣ ଶିକାର ବଢିଚାଲିଛି। ଗତ ୭  ଦିନ ତଳେ ହରିଣ ଶିକାରକରୀଙ୍କଠାରୁ ୪୦ କେଜି ହରିଣ ମାଂସ ଜବତ କରି ଜଙ୍ଗଲ ବିଭାଗ ୨ ଜଣଙ୍କୁ ଗିରଫ କରିଥିଲା। ଆଜି ୫ଜଣ ବାର୍‌ହା ଶିକାରୀ ଧରାପଡିଛନ୍ତି ଜଙ୍ଗଲ ବିଭାଗ ଜାଲରେ।

କରୋନା ପାଇଁ ଲକଡାଉନ ଜାରି ରହିଥିବା ବେଳେ ଖୁଲମଖୁଲା ଚାଲିଛି ବନ୍ୟଜନ୍ତୁ ଶିକାର। ଭିତରକନିକା ଅଭୟାରଣ୍ୟ ମଧ୍ୟରେ ଥିବା ଜଙ୍ଗଲ ଭିତରେ ଅବାଧରେ ଏମାନେ ଚଳାଇଛନ୍ତି ଶିକାର। ଆଜି ଡାଙ୍ଗମାଳ ଜଙ୍ଗଲ ରେଞ୍ଜ ଅଞ୍ଚଳର ରଗଡାପାଟିଆ ଜଙ୍ଗଲରେ ଜାଲ ବସାଇ ବାର୍‌ହା ଶିକାର କରାଯାଇଥିବା ଖବରପାଇ ଡାଙ୍ଗମାଳ ବନ ବଭାଗ ପକ୍ଷରୁ ଶିକାରୀମାନଙ୍କ ଘର ଉପରେ ଚଢାଉ କରାଯାଇଥିଲା।

ସେମାନଙ୍କ ଘରୁ ବନ ବିଭାଗ ବାର୍‌ହା ଜାଲ, କଟୁରୀ, ରକ୍ତ ଭିଜା ଜରି ପାଲ, ବାର୍‌ହା ମାଂସ ଓ ମୁଣ୍ଡ ଜବତ କରିଛି। ଏହି ଅଭିଯୋଗରେ ବନ ବିଭାଗ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଖମାରସାହି ଗାଁର ଜନକର ମହାନ୍ତି, ଝାଡେଶ୍ୱର ମଣ୍ଡଳ, ନାରାୟଣ ଗିରୀ, ଗୁରିଆ ସେଠୀ ଓ ନୂଆଗାଁର ଧର ବାରିକ।

ଗତ ୮ ତାରିଖରେ ଭିତରକନିକା ଜଙ୍ଗଲରୁ ରାଜନଗର ବ୍ଲକ ଗୁପ୍ତି ଗାଁର ୩ଜଣ ହରିଣ ଶିକାର କରି ୪୦ କେଜି ହରିଣ ମାଂସ ବାଣ୍ଟି ନେବାବେଳେ ବନ ବିଭାଗ ହରିଣ ମାଂସ ଜବତ କରିବା ସହ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଉ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିଲା।

Comment